ଭାଇରାଲ ହେଲା ସୂର୍ଯ୍ୟଙ୍କ ‘ନମସ୍କାର’ । ତାଳି ମାରି ଉତ୍ସାହିତ କଲେ ଅଧିନାୟକ ରୋହିତ ଶର୍ମା । ଦେଖନ୍ତୁ ଭିଡ଼ିଓ ।

319

କନକ ବ୍ୟୁରୋ : ଦିନିକିଆ ପରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟି-୨୦ ସିରିଜକୁ କ୍ଲିନ ସୁଇପ କରିଛି ଟିମ୍ ଇଣ୍ଡିଆ । କୋଲକାତାରେ ଖେଳାଯାଇଥିବା ଶେଷ ଟି-୨୦ ମ୍ୟାଚକୁ ୧୭ ରନରେ ଜିତିବା ସହ ଟିମ୍ ଇଣ୍ଡିଆ ସିରିଜକୁ କବଜା କରିଛି । ଶେଷ ଟି-୨୦ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବଙ୍କ ଧୂଆଁଧାର ଇନିଂସ ବଳରେ ଭାରତ ଏହି ବଡ ବିଜୟ ହାସଲ କରିଥିଲା । ତେବେ ଏହି ବିଜୟ ପରେ ସୂର୍ଯ୍ୟ କରିଥିବା ସେଲିବ୍ରେସନର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଶେଷ ଟି-୨୦ ମ୍ୟାଚରେ ଭାରତୀୟ ଟିମ୍ ପାଇଁ ସଙ୍କଟମୋଚକ ସାଜିଥିଲେ ସୂର୍ଯ୍ୟ । ମାତ୍ର ୩୧ ବଲରୁ ୬୫ ରନର ବିସ୍ଫୋରକ ଇନିଂସ ଖେଳିଥିଲେ ସୂର୍ଯ୍ୟ । ଯେଉଁଥିରେ ୭ଟି ବିଶାଳ ଛକା ରହିଥିଲା । ଆଉ ଏହି ଇନିଂସ ହିଁ ମ୍ୟାଚର ମୋଡ ବଦଳାଇବାକୁ ଯଥେଷ୍ଟ ଥିଲା । ଅର୍ଦ୍ଧଶତକ ହାସଲ ପରେ ସୂର୍ଯ୍ୟ ଏକ ନିଆରା ଢଙ୍ଗରେ ସେଲିବ୍ରେସନ କରିଥିଲେ । ପିଚ୍ ଉପରେ ଛିଡା ହୋଇ ସୂର୍ଯ୍ୟ ଡ୍ରେସିଂ ରୁମ ଆଡକୁ ଚାହିଁ ନମସ୍କାର କରିବା ସହ ଏହି ସେଲିବ୍ରେସନ କରିଥିଲେ । ଆଉ ସୂର୍ଯ୍ୟଙ୍କ ଏହି ଅନ୍ଦାଜ ଦେଖି ରୋହିତ ଶର୍ମାଙ୍କ ବ୍ୟତୀତ ଅନ୍ୟ ଖେଳାଳୀ ମାନେ ତାଳି ବଜାଇଥିଲେ । ଯାହାର ଭିଡ଼ିଓ ଓ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।

ଶେଷ ଟି-୨୦ ମ୍ୟାଚରେ ଭାରତ ଯେତେବେଳେ ୧୦୦ ରନରେ ୪ ୱିକେଟ ହରାଇ ସଙ୍କଟଜନକ ସ୍ଥିତିରେ ଥିଲା ସେତେବେଳେ ଦଳ ପାଇଁ ସଙ୍କଟମୋଚକ ସାଜି ଉଭା ହୋଇଥିଲେ ସୂର୍ଯ୍ୟଯାଦବ ଓ ଭେଙ୍କଟେଶ ଆୟର । ଉଭୟଙ୍କ ମଧ୍ୟରେ ମାତ୍ର ୬ ଓଭରରେ ୯୦ ରନରୁ ଅଧିକ ପାର୍ଟନରସିପ ହୋଇଥିଲା । ଆଉ ଭାରତ ନିର୍ଦ୍ଧାରିତ ଓଭରରେ ୧୮୪ ରନ କରିବାକୁ ସକ୍ଷମ ହୋଇଥିଲା । ତେବେ ୧୮୫ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ୱେଷ୍ଟଇଣ୍ଡିଜ ଟିମ୍ ମାତ୍ର ୧୬୭ ରନ କରିବାକୁ ସକ୍ଷମ ହୋଇଥିଲା । ଆଉ ଏହାସହ ଟି-୨୦ ସିରିଜକୁ କ୍ଲିନ୍ ସୁଇପ କରିଥିଲା ଟିମ୍ ଇଣ୍ଡିଆ ।

ଏହି ବିଜୟ ସହ ଟି-୨୦ ରାକିଂରେ ପୁଣିଥରେ ନମ୍ବର-ୱାନ ସ୍ଥାନ ଅକ୍ତିଆର କରିଛି ଟିମ୍ ଇଣ୍ଡିଆ । ସିରିଜ ଆରମ୍ଭରୁ ଭାରତ ୨ ନମ୍ବର ସ୍ଥାନରେ ରହିଥିବା ବେଳେ ସିରିଜ ଶେଷ ସୁଦ୍ଧା ଭାରତ ଏକ ନମ୍ବର ଦଳ ଭାବେ ଉଭା ହୋଇଛି ।