ମୁମ୍ବାଇ ଇଣ୍ଡିଆନ୍ସର ପରାଜୟରେ ଲାଗିବ କି ବ୍ରେକ? ଫିଟ୍ ହେବା ପରେ ଟିମକୁ ସୂର୍ଯ୍ୟକୁମାର ଯାଦବଙ୍କ ଏଣ୍ଟ୍ରି ।

110

କନକ ବ୍ୟୁରୋ : ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ଦୟନୀୟ ପ୍ରଦର୍ଶନ ଜାରି ରହିଛି । ୩ରୁ ୩ ମ୍ୟାଚରେ ପରାଜିତ ହୋଇ ମୁମ୍ବାଇ ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ରହିଛି । ତେବେ ଏହା ଭିତରେ ମୁମ୍ବାଇ ଫ୍ୟାନ୍ସଙ୍କ ପାଇଁ ଖୁସିଖବର ଆସିଛି । କାରଣ ଆହତ ସମସ୍ୟାରୁ ମୁକୁଳିବା ପରେ ଦଳ ସହ ଯୋଡି ହୋଇଛନ୍ତି ବିସ୍ଫୋରକ ବ୍ୟାଟର ସୂର୍ଯ୍ୟକୁମାର ଯାଦବ । ରବିବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ସୂର୍ଯ୍ୟଙ୍କୁ ମୈଦାନରେ ଦେଖିବାକୁ ମିଳିପାରେ । ସୂର୍ଯ୍ୟକୁମାର ଯାଦବ ଦଳରେ ଯୋଗ ଦେବା ପରେ ମୁମ୍ବାଇର ବ୍ୟାଟିଂ ଲାଇନ ଅପ୍ ଆହୁରି ଶକ୍ତିଶାଳୀ ହୋଇଛି । ସୂର୍ଯ୍ୟଙ୍କ ଆଗମନ ସହ ଦଳର ଭାଗ୍ୟରେ ପରିବର୍ତ୍ତନ ଆସିବ ବୋଲି ମୁମ୍ବାଇ ଫ୍ୟାନ୍ ଆଶା ବାନ୍ଧି ବସିଛନ୍ତି ।

ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଏକ ଭିଡ଼ିଓ ଜାରି କରି କୁହାଯାଇଛି ଯେ, ଯାହାଙ୍କର ଅପେକ୍ଷା ଥିଲା ସେ ଆସିସାରିଛନ୍ତି । ବିଶ୍ୱର ସର୍ବଶ୍ରେଷ୍ଠ ଟି-୨୦ ବ୍ୟାଟର ଭାବେ ପରିଚିତ ସୂର୍ଯ୍ୟକୁମାର ଯାଦବ ଆହତ ହେବା ସହ ଗତ କିଛି ମାସ ହେବ ଜାତୀୟ କ୍ରିକେଟ ଏକାଡେମୀରେ ରିହାବରେ ରହିଥିଲେ । ଦୀର୍ଘ ଦିନ ଜାତୀୟ କ୍ରିକେଟ ଏକାଡେମୀରେ ରହିବା ପରେ ସୂର୍ଯ୍ୟ କୁମାର ଯାଦବ ଏବେ ସମ୍ପୂର୍ଣ୍ଣ ଫିଟ୍ । ସୂର୍ଯ୍ୟ ଆଇପିଏଲର ପ୍ରଥମ କିଛି ମ୍ୟାଚ୍ ଖେଳିପାରିବେନି ବୋଲି ପୂର୍ବରୁ ସ୍ପଷ୍ଟ ହୋଇଥିଲା । ତେବେ ସୂର୍ଯ୍ୟ ଫିଟ୍ ହେବା ପରେ ମୁମ୍ବାଇ ଇଣ୍ଡିଆନ୍ସର ବ୍ୟାଟିଂ ବାହିନୀ ଆହୁରି ଶକ୍ତିଶାଳୀ ହୋଇଛି । ସୂଯ୍ୟକୁମାର ଯାଦବ ଶେଷଥର ପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମ୍ୟାଚ୍ ଖେଳିଥିବାର ନଜର ଆସିଥିଲେ ।