କୋଭିଡ୍ ଟିକା ନେଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟିକା ନେଇ ସେଆର୍ କଲେ ଫଟୋ ।

110

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରି ଆଜି କୋଭିଡ୍ ଟିକା ନେଇଛନ୍ତି ଓଡିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ସେ ବିଧାନସଭା ଡିସପେନସାରୀରେ ଏହି କୋଭିଡ୍ ଟିକା ନେଇଛନ୍ତି । ବାଚସ୍ପତିଙ୍କ ସହିତ ଉପ-ବାଚସ୍ପତି ରଜନୀକାନ୍ତ ସିଂହ, ବିଧାୟକ ଭୁପିନ୍ଦର ସିଂହ ଓ ଜିତୁ ମିତ୍ରଙ୍କୁ ମଧ୍ୟ କୋଭିଡ୍ ଟିକାର ପ୍ରଥମ ଡୋଜ୍ ଦିଆଯାଇଛି ।

ଆଜିଠୁ ଦେଶରେ କୋଭିଡ୍ ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟ ୬୦ ବର୍ଷରୁ ଅଧିକ ବୟସର କିମ୍ବା ୪୫ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଯେଉଁମାନେ ଗୁରୁତର ରୋଗରେ ପୀଡିତ ଥିବେ ସେମାନଙ୍କୁ ଟିକା ଦିଆଯିବ । ଏହି କ୍ରମରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ୍ ଟିକାର ପ୍ରଥମ ଡୋଜ୍ ନେଇଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କୋଭିଡ୍ ଟିକା ନେବା ପରେ ଏହାର ଫଟୋକୁ ନିଜର ସୋସିଆଲ୍ ମିଡିଆ ଆକାଉଣ୍ଟରେ ସେଆର୍ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କୁ ଭୁବନେଶ୍ୱର କ୍ୟାପିଟଲ ହସ୍ପିଟାଲର ନର୍ସ ସ୍ମରଣିକା ରଣସିଂହ ଟିକା ଦେଇଛନ୍ତି । ଏହି ସମୟରେ କ୍ୟାପିଟାଲ ହସ୍ପିଟାଲର ଡେପୁଟୀ ସୁପରିଟେଣ୍ଡଂଟ ଡକ୍ଟର ଧନଞ୍ଜୟ ଦାସ ମଧ୍ୟ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଟିକା ଦେବା ପରେ ନର୍ସ ସ୍ମରଣିକା କହିଛନ୍ତି, ଟିକା ଦେବା ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ବାରମ୍ବାର ଧନ୍ୟବାଦ ଦେଇଥିଲେ । ଆଜିର ଦିନ ତାଙ୍କ ପାଇଁ ଗର୍ବର ଦିନ ବୋଲି କହିଥିଲେ ।

ସେପଟେ ଟୁଇଟରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଟିକାର ପ୍ରଥମ ଡୋଜ ନେଇ ସେ ଖୁସି ଅଛନ୍ତି । ଖୁବ ଶୀଘ୍ର ଟିକା ପ୍ରସ୍ତୁତ କରିଥିବାରୁ ବୈଜ୍ଞାନିକ, ସ୍ୱାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥିସହ କୋଭିଡ ମୁକ୍ତ ଓଡିଶା ପାଇଁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରେ ଯୋଗ୍ୟ ବ୍ୟକ୍ତିମାନେ ଟିକା ନେବା ପାଇଁ ଆଗେଇ ଆସିବାକୁ ଅପିଲ କରିଛନ୍ତି ନବୀନ ପଟ୍ଟନାୟକ । ଦେଶ ତଥ୍ୟା ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଚାଲିଥିଲେ ମଧ୍ୟ ଲୋକଙ୍କ ମନରେ ଏବେ ବି ଟିକାକୁ ନେଇ ସନ୍ଦେହ ରହିଛି । ତେଣୁ ମୁଖ୍ୟମନ୍ତ୍ରୀ ଟିକା ନେବା ଘଟଣା ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରେ ଯୋଗ୍ୟ ବ୍ୟକ୍ତିଙ୍କୁ ଟିକା ନେବା ପାଇଁ ଉତ୍ସାହିତ କରିବ ।