ଆସନ୍ତାକାଲି ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ । ଜାଣନ୍ତୁ, କେଉଁଠି କେଉଁଠି ହେବ ଦୃଶ୍ୟମାନ?

1,304

କନକ ବ୍ୟୁରୋ: ଆସନ୍ତାକାଲି ଦେଖିବାକୁ ମିଳିବ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ । ଏପ୍ରିଲ ୩୦ ତାରିଖ ମଧ୍ୟରାତ୍ରିରୁ ଏହା ଆରମ୍ଭ ହେବ ବୋଲି ସୂଚନା ମିଳିଛି । ତେବେ ବୈଶାଖ ମାସ ଅମାବାସ୍ୟା ତିଥିରେ ଏହା ଘଟିବ । ଯେଉଁଥିରେ ସୂଯ୍ୟଙ୍କ ୬୪ ପ୍ରତିଶତ ଅଂଶ ଚନ୍ଦ୍ର ଦ୍ୱାରା ଢାଙ୍କି ହୋଇଯିବ । ମିଳିଥିବା ସୂଚନା ମୁତାବକ, ଏହା ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ହେବାକୁ ଥିବାବେଳେ, ଆଗାମୀ ଅକ୍ଟୋବର ମାସ ୨୫ ତାରିଖରେ ଚଳିତ ବର୍ଷର ଦ୍ୱିତୀୟ ସୂର୍ଯ୍ୟ ପରାଗ ଦେଖିବାକୁ ମିଳିବ ।

ଭାରତୀୟ ସମୟ ଅନୁସାରେ ଏପ୍ରିଲ ୩୦ ତାରିଖ ମଧ୍ୟରାତ୍ରି ୧୨ଟା ୧୫ରୁୁ ଏହା ଆରମ୍ଭ ହୋଇ ମେ ୧ ତାରିଖ ଭୋର ୪ଟା ୭ ମିିନିଟ୍ ପର୍ଯ୍ୟନ୍ତ ରହିବ । ଦୀର୍ଘ ୪ ଘଣ୍ଟା ଧରି ଏହି ସୂର୍ଯ୍ୟପରାଗ ହେବ । ତେବେ ଏହି ଗ୍ରହଣ ଆଂଶିକ ହେବ । ଯେଉଁଥିରେ ଚନ୍ଦ୍ର କେବଳ ସୂର୍ଯ୍ୟଙ୍କର କିଛି ଅଂଶକୁ ହିଁ ଢାଙ୍କି ରହିବେ । ବିଶେଷଜ୍ଞମାନଙ୍କର କହିବା ଅନୁସାରେ, ଅଣ୍ଟାକର୍ଟିକା, ପ୍ରଶାନ୍ତ ମହାସାଗର, ଦକ୍ଷିଣ ଆମେରିକାର ଦକ୍ଷିଣ ପଶ୍ଚିମ ଭାଗରେ ଏହା ଦେଖିବାକୁ ମିଳିବ । ଏହି ଗ୍ରହଣ ଭାରତରେ ଦେଖିବାକୁ ମିଳିବ ନାହିଁ ।

ସୂଚନାଯୋଗ୍ୟ ଯେ, ବୈଜ୍ଞାନିକ କାରଣ ଅନୁସାରେ ଚନ୍ଦ୍ର ଯେତେବେଳେ ସୂର୍ଯ୍ୟ ଆଉ ପୃଥିବୀ ମଝିକୁ ଚାଲିଆସେ, ସେତେବେଳେ ସୂର୍ଯ୍ୟ ପରାଗ ହୋଇଥାଏ । ଯେଉଁଥିରେ ସୂର୍ଯ୍ୟ ଆଂଶିକ ଭାବେ କିମ୍ବା ସମ୍ପୂର୍ଣ୍ଣ ଭାବେ ଲୁଚି ଯାଇଥାନ୍ତି ଏବଂ ପୃଥିବୀବାସୀ ସୂର୍ଯ୍ୟଙ୍କୁ ଦେଖିପାରନ୍ତି ନାହିଁ । ତେବେ ଏପ୍ରିଲ ୩୦ ତାରିଖରେ ହେବାକୁ ଥିବା ସୂର୍ଯ୍ୟ ପରାଗ ଆଂଶିକ ହୋଇଥିବା କାରଣରୁ ସୂର୍ଯ୍ୟ ସମ୍ପୂର୍ଣ୍ଣ ରୂପେ ଲୁଚି ରହିବେ ନାହିଁ ।