ବିମୁଦ୍ରାକରଣରୁ ସାଧାରଣ ଲୋକଙ୍କୁ କେତେ ଲାଭ, କେତେ କ୍ଷତି ? ଜାଣନ୍ତୁ କ’ଣ କହୁଛି ସର୍ଭେ ରିପୋର୍ଟ ।

330

ବିମୁଦ୍ରାକରଣ ନିଷ୍ପତ୍ତିକୁ ଦୁଇ ବର୍ଷରୁ ଅଧିକ ସମୟ ବିତିଯାଇଛି । କିନ୍ତୁ ଏବେବି ସାଧାରଣ ଲୋକମାନେ ନୋଟବନ୍ଦୀ ସମୟରେ ସମ୍ମୁଖୀନ ହୋଇଥିବା କଷ୍ଟକୁ ଭୁଲି ପାରିନାହାନ୍ତି । ଇଣ୍ଡିଆ ଟୁଡେ ଏବଂ କର୍ବି ଇନସାଇଟସ୍ ପକ୍ଷରୁ ସାରା ଦେଶରେ କରାଯାଇଥିବା ସର୍ଭେ ରିପୋର୍ଟର କହିବା କଥା, ୭୨ ପ୍ରତିଶତ ଲୋକ ମାନୁଛନ୍ତି ଯେ, ବିମୁଦ୍ରାକରଣ ନିଷ୍ପତ୍ତି ସାଧାରଣ ଲୋକଙ୍କୁ ଲାଭ କମ ବରଂ କ୍ଷତି ବେଶି ପହଞ୍ଚାଇଛି ।

ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ଏନଡିଏ ସରକାର ୨୦୧୬ ମସିହା ନଭେମ୍ବର ମାସରେ ସାରା ଦେଶରେ ନୋଟବନ୍ଦୀର ଘୋଷଣା କରିଥିଲେ । ଆଉ ଏହି ଘୋଷଣା ଅନୁଯାଇ, ୧୦୦୦ ଟଙ୍କିଆ ଏବଂ ୫୦୦ ଟଙ୍କିଆ ନୋଟକୁ ଅଚଳ ଘୋଷଣା କରାଯାଇଥିଲା । ମୋଦି ସରକାରଙ୍କ ଏହି ନିଷ୍ପତ୍ତି ପରେ ସାରା ଦେଶରେ ଚହଳ ପଡିଯାଇଥିଲା । ବ୍ୟାଙ୍କ ଆଗରେ ଲୋକମାନଙ୍କୁ ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡା ହେବା ପାଇଁ ପଡିଥିବା ବେଳେ ଉଭୟ ସଂଗଠିତ ଏବଂ ଅଣସଂଗଠିତ କ୍ଷେତ୍ରର କାରବାର ଉପରେ ଏହା ପ୍ରଭାବ ପକାଇଥିଲା ।

ନୋଟବନ୍ଦୀର ପ୍ରଭାବ ଉପରେ ଅନେକ ବିସ୍ତୃତ ପ୍ରଶ୍ନକୁ ନେଇ ଇଣ୍ଡିଆ ଟୁଡେ କାର୍ବି ଇନସାଇଟସ୍, ଦେଶର ୯୭ଟି ସଂସଦୀୟ କ୍ଷେତ୍ରରେ ୧୨, ୧୬୬ ଇଣ୍ଟରଭ୍ୟୁ କରିଥିଲା । ଆଉ ଏଥିରେ ୭୨ ପ୍ରତିଶତ ଲୋକମାନଙ୍କ କହିବା କଥା ବିମୁଦ୍ରାକରଣ ଦ୍ୱାରା ଲୋକମାନଙ୍କୁ ଲାଭ ଅପେକ୍ଷା ଅଧିକ କ୍ଷତି ସହିବାକୁ ପଡିଛି । ଜାନୁଆରୀ ୨୦୧୯ ପର୍ଯ୍ୟନ୍ତ, ମୁଡ୍ ଅଫ୍ ଦି ନେସନରେ, ୨୦ ପ୍ରତିଶତ ଲୋକମାନହ୍କ କହିବା କଥା, ନୋଟବନ୍ଦୀ ନିଷ୍ପତ୍ତି ଦ୍ୱାରା ଛୋଟ ବ୍ୟବସାୟ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଥିଲା । ସେପଟେ ୧୬ ପ୍ରତିଶତ ଲୋକମାନଙ୍କ କହିବା କଥା, ଏହି ନିଷ୍ପତ୍ତି ଦ୍ୱାରା, ବଡ ସଂଖ୍ୟାରେ ଲୋକମାନଙ୍କୁ ନିଜ ଚାକିରି ହରାଇବାକୁ ପଡିଥିଲା, ସେହିପରି ୧୪ ପ୍ରତିଶତ ଲୋକଙ୍କ କହିବା କଥା, ବିମୁଦ୍ରାକରଣ ନିଷ୍ପତ୍ତି, ଦେଶର କୃଷକ ମାନଙ୍କୁ ଅଧିକ ମାତ୍ରାରେ ପ୍ରଭାବିତ କରିଥିଲା । ସବୁଠାରୁ ବଡ କଥା ହେଉଛି, ୨୨ ପ୍ରତିଶତ ଲୋକ ଏପରି ଅଛନ୍ତି, ଯେଉଁମାନଙ୍କ କହିବା କଥା, ବିମୁଦ୍ରାକରଣ ନିଷ୍ପତ୍ତି ସମସ୍ତ ଛୋଟ ବ୍ୟବସାୟୀ, ଚାଷୀଙ୍କୁ ପ୍ରଭାବିତ କରିବା ସହ, ଚାକିରିଆ ଲୋକଙ୍କୁ ବେରୋଜଗାର କରିବାର କାମ କରିଛି । ତେବେ ଆଗକୁ ୨୦୧୯ ନିର୍ବାଚନ ଆସୁଥିବା ବେଳେ ଏହି ସର୍ଭେ ରିପୋର୍ଟ ନିର୍ବାଚନ ଉପରେ ପ୍ରଭାବ ପକାଇବ ବୋଲି ଅନେକାଂଶରେ ଚର୍ଚ୍ଚା ହେଉଛି ।