୩ ବର୍ଷର ବିସ୍ମୟ ବାଳକ : ବିନା କିଛି ପ୍ରଶିକ୍ଷଣରେ ଆଖି ପିଛୁଳାକେ ପୋଖରିର ଏପାଖ ସେପାଖ ବୁଲି ଆସୁଛି ଝାରସୁଗୁଡ଼ା ଭଅଁରାଚାକା ଗାଁର ଦୁର୍ଗା ଧୁରୁଆ; ମା’ଙ୍କ ସାଙ୍ଗେ ଗାଧୋଇ ଯିବା ବେଳେ କରୁଥିଲା ଅଭ୍ୟାସ

527

କନକ ବ୍ୟୁରୋ : ୩ ବର୍ଷର ବିସ୍ମୟ ବାଳକ । ବିନା କିଛି ପ୍ରଶିକ୍ଷଣରେ ଆଖି ପିଛୁଳାକେ ପୋଖରିର ଏପାଖ ସେପାଖ ବୁଲି ଆସୁଛି ଝାରସୁଗୁଡ଼ା ଲଖନପୁର ବ୍ଲକ ଅନ୍ତର୍ଗତ ଭଅଁରାଚାକା ଗାଁର ଦୁର୍ଗା ଧୁରୁଆ । ବୟସ ମାତ୍ର ୩ବର୍ଷ । ମା’ଙ୍କ ସାଙ୍ଗେ ପୋଖରୀକୁ ଗାଧୋଇ ଯିବା ବେଳେ ଦୁର୍ଗା ପହଁରିବାର ଅଭ୍ୟାସ କରିଥାଏ । ଧିରେ ଧିରେ ପହଁରା ଶିଖି ପୋଖରୀ ପାର ହେବା ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ସୃଷ୍ଟି କରିଛି ।

ସାଧାରଣତଃ ପୋଖରୀ ପାଣି ଦେଖିଲେ ବଡ଼ ଲୋକ ମଧ୍ୟ ଡ଼ରି ଯାଆନ୍ତି । ମାତ୍ର ୩ବର୍ଷର ଏହି କଅଁଳ ଶିଶୁ ଆଗରେ ପହଂରିବା ଯେମିତି ଅତି ସାଧାରଣ ହୋଇପଡ଼ିଛି । ଯାହା ଆଖିରେ ନଦେଖିଲେ ବିଶ୍ୱାସ କରି ହେବନି । ଗାଁର ସସ୍ମିତା ଧୁରୁଆଙ୍କ ପୁଅ ଦୁର୍ଗା ଧୁରୁଆ । ତାଙ୍କ ପ୍ରତିଭା ଆଗରେ ହାର ମାନିଛି ବୟସ । ମା’ଙ୍କ ସହ ପୋଖରୀକୁ ଯିବା ବେଳେ ମାତ୍ର ଦୁଇ ବର୍ଷ ବୟସରୁ ସେ ପହଂରିବା ପାଇଁ ଜିଦ୍ କରୁଥିଲେ । ପୁଅ ଛୋଟ ଥିବାରୁ କିଛି ଅଘଟଣା ନେଇ ମା’ ତାଙ୍କୁ ବାନ୍ଧି ରଖୁଥିଲେ ।

ପରେ ପୁଅର ଅଳି ଆଗରେ ମା’ ହାର ମାନି ପୁଅକୁ ସାଙ୍ଗରେ ଗାଧୋଇ ନେଉଥିଲେ । ସେବେଠାରୁ ସେ ପୋଖରୀରେ ଗାଧୋଇବା ସହ ସନ୍ତରଣ ମଧ୍ୟ ଅଭ୍ୟାସ କରୁଥିଲା । ଆଉ ଅଳ୍ପ ଦିନ ଭିତରେ ସେ ପହଁରା ଶିଖିବାରେ ପାରଙ୍ଗମ ହୋଇପଡ଼ିଛି । ତେବେ ଦୁର୍ଗାଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦିଆଗଲେ ସେ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିପାରିବେ ବୋଲି ଦୁର୍ଗାଙ୍କ ମା’ କହିଛନ୍ତି ।