ଯେବେ ବିଜେଡି ସୁପ୍ରିମୋ କରନ୍ତି ଜଟିଳ ସମସ୍ୟାର ସରଳ ସମାଧାନ । ନବୀନଙ୍କ ନିଷ୍ପତ୍ତିରେ ଚକିତ ହୋଇଯାଆନ୍ତି ହେଭିୱେଟ ।

459

କନକ ବ୍ୟୁରୋ : ବାଲେଶ୍ୱର ସଦର ଆସନ ପାଇଁ ସ୍ୱରୂପ ଦାସଙ୍କୁ ବିଜେଡି ପ୍ରାର୍ଥୀ ଭାବେ ଘୋଷଣା କରି ସମସ୍ତଙ୍କୁ ଚକିତ କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ସଦର ଆସନ ପାଇଁ ଅନେକ ହେଭିୱେଟଙ୍କ ନାଁ ଚର୍ଚ୍ଚାରେ ଥିଲେ ମଧ୍ୟ ସ୍ୱରୁପଙ୍କୁ ପ୍ରାର୍ଥୀ କରି ସମସ୍ତଙ୍କୁ ଚକମା ଦେଇଛନ୍ତି ନବୀନ । ତେବେ ବିଧାୟକ ପ୍ରାର୍ଥୀ ଭାବେ ସ୍ୱରୁପଙ୍କ ଭଳି ନୂଆ ମୁହଁକୁ ସାମ୍ନାକୁ ଆଣିବା ପଛରେ ନବୀନଙ୍କର କଣ ଷ୍ଟ୍ରାଟେଜି ରହିଛି ତାହା ଅନେକଙ୍କ ପାଇଁ ଏବେ ବି ଅଡୁଆ ସୂତାର ଖିଅ ଭଳି । କାରଣ ବିଜେଡିରୁ ଟିକେଟ ହାତେଇଥିବା ସ୍ୱରୁପଙ୍କୁ ପୂର୍ବରୁ ଦଳରେ ସେଭଳି କୌଣସି ବଡ ପଦପଦବୀରେ ଦେଖିବାକୁ ମିଳିନାହିଁ । କେବଳ ବିଜେଡିର ପୂର୍ବତନ କାଉନସିଲରର ମୋହର ଯେ ସ୍ୱରୁପଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ସାମ୍ନାକୁ ଆଣିବ ତାହା ରାଜନୈତିକ ପଣ୍ଡିତଙ୍କ ପାଇଁ କଳ୍ପନାର ବାହାରେ । ତେବେ ସଦର ଆସନ ପାଇଁ ବିଜେଡିର ସରପ୍ରାଇଜ ସିପାହୀ ସାଜିଥିବା ସ୍ୱରୁପଙ୍କୁ ବାଛି ସୁପ୍ରିମୋ ଜଟିଳ ସମସ୍ୟାର ସରଳ ସମାଧାନ କରିଥିବା ଚର୍ଚ୍ଚା ହେଉଛି ।

ଏକଥା ଏଥିପାଇଁ କୁହାଯାଉଛି, କାରଣ ସଦର ଆସନ ପାଇଁ ବିଜେଡିର ପ୍ରାର୍ଥୀ ଦୌଡରେ ବଡ ବଡ ହେଭିୱେଟଙ୍କ ନାଁ ସାମ୍ନାକୁ ଆସୁଥିଲା । ଦିନ ଯେତିକି ଗଡୁଥିଲା, ଏହି ତାଲିକାରେ ଗୋଟିଏ ପରେ ଗୋଟିଏ ନାଁ ସେତିକି ଅଧିକ ଯୋଡି ହୋଇ ଚାଲୁଥିଲା । ଗୋଟିଏ ପଟେ ବାଲେଶ୍ୱରର ପୂର୍ବତନ ସାଂସଦ ତଥା ଜିଲ୍ଲା ସଭାପତି ରବୀନ୍ଦ୍ର ଜେନାଙ୍କ ସ୍ତ୍ରୀ ସୁବାସିନୀଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଅନ୍ୟପଟେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ମଧ୍ୟ ଟିକେଟ ଦୌଡରେ ନିଜକୁ ଆଗରେ ରଖିଥିଲେ । ଦିନ ଗଡୁଥିଲା, ଦଳ ଭିତରେ ଅସନ୍ତୋଷ ବଢୁଥିଲା । ଏପରିକି ଉଭୟ ଗୋଷ୍ଠୀଙ୍କୁ ବୁଝାଇବା ପାଇଁ ରାଜଧାନୀରୁ ନେତା ଯାଇଥିଲେ ମଧ୍ୟ ଏହି ଫର୍ମୁଲା କାମ କରିନଥିଲା । ଏଭଳି ସମୟରେ ପ୍ରାର୍ଥୀ ତାଲିକାରେ ଯୋଡି ହୋଇଥିଲା ସିନେଷ୍ଟାର ତଥା ବିଜେଡି ନେତା ଅରିନ୍ଦମଙ୍କ ନାଁ । ଆଉ ଏଭଳି ଚର୍ଚ୍ଚାକୁ ନେଇ ଦଳ ଭିତରେ ଅସନ୍ତୋଷ ଆହୁରି ଉଗ୍ର ରୂପ ଧାରଣ କରିଥିଲା । ଯାହା ଦଳକୁ ବ୍ୟାକଫୁଟକୁ ଠେଲି ଦେବା ପାଇଁ ଯଥେଷ୍ଟ ଥିଲା ।

ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ମଧ୍ୟ ବିଜେଡି ଟିକେଟ କିଏ ହାତେଇବ ତାହାକୁ ନେଇ ସସପେନ୍ସ ଲାଗି ରହିଥିଲା । ବାରମ୍ବାର ବୈଠକ, ଆଲୋଚନା ପରେ ମଧ୍ୟ ପ୍ରାର୍ଥୀ ଭାବେ କାହା ନାଁରେ ମୋହର ବାଜିବ ତାହା ସ୍ଥିର କରି ପାରୁନଥିଲେ ଦଳର ଥିଙ୍କଟ୍ୟାଙ୍କ୍ । ଏଭଳି ସମୟରେ ସଦର ଆସନରେ ପୁଣିଥରେ ସବୁଜ ଆସନ ଉଡାଇବା ପାଇଁ ଅଙ୍କ କଷିଥିଲେ ନବୀନ । ଜଟିଳ ସମସ୍ୟାର ସରଳ ସମାଧାନ କରିବାରେ ମାହିର ଥିବା ନବୀନ ଖେଳିଥିଲେ ସରପ୍ରାଇଜ କାର୍ଡ । ତୃଣମୂଳସ୍ତରରେ ଦଳ ପାଇଁ କାମ କରୁଥିବା କର୍ମୀଙ୍କୁ ନେତା ହେବାର ସୁଯୋଗ ଦେଉଥିବା ନବୀନ ବାଲେଶ୍ୱର ସଦର ଆସନ ପାଇଁ ମଧ୍ୟ ସମାନ ଫର୍ମୁଲା ଆପଣାଇଥିଲେ । ୨୦୧୯ରେ ଆସ୍କାରୁ ପ୍ରମିଳାଙ୍କ ଭଳି ୨୦୨୦ ସ୍ୱରୂପଙ୍କୁ ସାମ୍ନାକୁ ଆଣି ନବୀନ ମାରିଛନ୍ତି ମାଷ୍ଟରଷ୍ଟ୍ରୋକ । ର୍ନିବିବାଦୀୟ ଚେହେରା ସାଙ୍ଗକୁ ନୂଆ ମୁହଁ, ଏହି ନିଷ୍ପତ୍ତି ନେଇ ଦଳ ଭିତରେ ଥିବା ଅସନ୍ତୋଷକୁ ପ୍ରଶମିତ କରିବାକୁ ପ୍ରୟାସ କରିଥାଇପାରନ୍ତି ନବୀନ । ଆଉ ନବୀନଙ୍କ ଏହି ନିଷ୍ପତ୍ତି ସୂଚାଉଛି ଯେ, ଯିଏ ଯେତେ ଆକଳନ କରୁ ରାଜନୀତିର ବୈତରଣୀ ପାର କରିବାକୁ ନାଉରୀ କିଏ ହେବ ତାହାର ସଠିକ ଦିଗ ନିର୍ଦ୍ଧାରଣ କରନ୍ତି ନବୀନ ।