ଆଜି ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭୁପେନ୍ଦ୍ର ପଟେଲ : କିଛି ମନ୍ତ୍ରୀ ବି ନେଇପାରନ୍ତି ଶପଥ

ବଡ ବଡ ନେତାଙ୍କୁ ପଛରେ ପକାଇ ଭୁପେନ୍ଦ୍ର ହୋଇଥିଲେ ଆକସ୍ମିକ ମୁଖ୍ୟମନ୍ତ୍ରୀ

68

କନକ ବ୍ୟୁରୋ : ଆଜି ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭୂପେନ୍ଦ୍ର ପଟେଲ । ବଡ ବଡ ନେତାଙ୍କୁ ପଛରେ ପକାଇ ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ଭୂପେନ୍ଦ୍ର ପଟେଲଙ୍କୁ ଗତକାଲି ମୁଖ୍ୟମନ୍ତ୍ରୀ ବଛାଯାଇଥିଲା । ଉତ୍ତରାଖଣ୍ଡ ଓ କର୍ଣ୍ଣାଟକ ପରେ ଗୁଜରାଟରେ ଏଭଳି ନିଷ୍ପତି ନେଇ ମୋଦି-ଶାହ ଯୋଡି ସମସ୍ତଙ୍କୁ ଚମକାଇ ଦେଇଥିଲେ । ଶେଷ ସମୟ ସୁଦ୍ଧା ରେସରେ ନଥିଲେ ଭୁପେନ୍ଦ୍ର । ପାଟିଦାର ସମୁଦାୟରୁ ଆସିଥିବା ନୂଆ ଚେହେରାଙ୍କ ନେତୃତ୍ୱରେ ବିଜେପି ଆଗାମୀ ବର୍ଷର ନିର୍ବାଚନ ଲଢିବ ।

ଭୂପେନ୍ଦ୍ର ପଟେଲ ୨୦୧୭ରେ ପ୍ରଥମ ଥର ପାଇଁ ବିଧାୟକ ନିର୍ବାଚିତ ହୋଇଥିଲେ ଏବଂ ମାତ୍ର ୪ ବର୍ଷର କାର୍ଯ୍ୟକାଳ ମଧ୍ୟରେ ବିଜେପି ନେତୃତ୍ବ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଆସୀନ କରିବାକୁ ଯାଉଛି । ରାଜ୍ୟର ମୋଟ ଜନସଂଖ୍ୟାର ୧୪ ପ୍ରତିଶତ ପଟିଦାର ସମୁଦାୟର ହୋଇଥିବା ବେଳେ ସରକାର ଗଠନରେ ଏହି ସମାଜର ବଡ଼ ଭୂମିକା ରହୁଛି । ତେଣୁ ୨୦୨୨ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପଟିଦାର ସଂପ୍ରଦାୟର ଜଣେ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରି ବିଜେପି ରଣନୀତିକ ଦୃଷ୍ଟିରୁ ଏକ ମାଷ୍ଟର‌ଷ୍ଟ୍ରୋକ୍‌ ଖୋଳିଛି ।

ତେବେ ଦଳର ବହୁ ବରିଷ୍ଠ ନେତାଙ୍କୁ ପଛରେ ପକାଇ ଭୂପେନ୍ଦ୍ର ନେତା ନିର୍ବାଚିତ ହେବା ସମସ୍ତଙ୍କୁ ଚମକାଇ ଦେଇଛି । ଭୂପେନ୍ଦ୍ର ସରକାରରେ ମନ୍ତ୍ରୀ ନଥିଲେ କି ଦଳର କୌଣସି ବଡ଼ ପଦପଦବିରେ ନଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ସଭାପତି ଜେପି ନଡ୍ଡା କର୍ଣ୍ଣାଟକ ଏବଂ ଉତ୍ତରାଖଣ୍ଡରେ ମୁଖ୍ୟମନ୍ତ୍ରୀ ଚୟନ ନେଇ ଯେଭଳି ଚକିତକାରୀ ନିଷ୍ପତ୍ତି ନେଇଥିଲେ ଏବେ ଗୁଜରାଟ କ୍ଷେତ୍ରରେ ବି ତାହାର ପୁନରାବୃତ୍ତି ହୋଇଛି । ବିଧାୟକ ଦଳ ବୈଠକରେ ହିଁ କେନ୍ଦ୍ରୀୟ ନେତୃତ୍ବର ନିଷ୍ପତ୍ତି ସଂପର୍କରେ ଜଣାଇ ଦିଆଯାଇଥିଲା ଏବଂ ସବୁ ନେତା ଏହାକୁ ଗ୍ରହଣ କରିଥିଲେ ।