ବିବାଦ ଭିତରେ ବିଜୟ, ପ୍ରଥମ ଅଣ ଇଂଗ୍ରାଜୀ ସିନେମା ଭାବେ ‘ଜୟ ଭୀମ’ କୁ ମିଳିଲା ଏହି ପୁରସ୍କାର

118

କନକ ବ୍ୟୁରୋ : ତାମିଲ ଅଭିନେତା ସୂର୍ଯ୍ୟାଙ୍କ ଅଭିନୀତ ‘ଜୟ ଭୀମ’ ସିନେମା ପରଦାକୁ ଆସିବା ପରେ ଲଗାତର ବିବାଦ ଭିତରେ ରହିଥିଲା । ଏହି ସିନେମାକୁ ଗୋଟିଏ ପଟେ କୋଟି କୋଟି ଲୋକ ପସନ୍ଦ କରୁଥିବା ବେଳେ ଗୋଟିଏ ସଂପ୍ରଦାୟର ଲୋକେ ଏହି ସିନେମା ବିରୋଧରେ ପ୍ରଚାର କରିଚାଲିଛନ୍ତି । କେବଳ ପ୍ରଚାର ନୁହେଁ ଏହି ସିନେମାରେ ଅଭିନୟ କରିଥିବା ମୁଖ୍ୟ ଚରିତ୍ର, ପ୍ରଯୋଜକ ଓ ବିତରକ ଅମାଜନ ପ୍ରାଇମ ଭିଡିଓ ମାଲିକଙ୍କୁ ବି ଉକ୍ତ ସଂପ୍ରଦାୟ ଅନେକ ବାର ଧମକ ଦେଇଛି । ହେଲେ ଏହାରି ମଧ୍ୟରେ ଖବର ଆସିଛି କି ‘ଜୟ ଭୀମ’ ସିନେମାକୁ ଅଧିକାରୀ ସ୍ତରରେ ‘ଗୋଲଡେନ ଗ୍ଲୋବ୍ସ ୨୦୨୨’ ପୁରସ୍କାର ମିଳିବାକୁ ଯାଉଛି । ସବୁଠାରୁ ବଡକଥା ଯେ ପ୍ରଥମ ଅଣ ଇଂଗ୍ରାଜୀ ସିନେମା ଭାବେ ‘ଜୟ ଭୀମ’କୁ ଏହି ପୁରସ୍କାର ମିଳିବାକୁ ଯାଉଛି ।

କହିରଖୁ କି ‘ଜୟ ଭୀମ’ ସିନେମା ହଲିଉଡର ‘ଦ ଶଶାଂକ ରିଡେମ୍ପସନ’ ଓ ‘ଦ ଗଡ ଫାଦର’ ର ଆଇଏମଡିବି ରେଟିଂକୁ ପାର କରିଛି । ଏବେ ଏହି ସିନେମାକୁ ୧୦ ରୁ ୯.୬ ରେଟିଂ ମିଳିଛି । ସବୁ ବିବାଦ ଓ ସମାଲୋଚନା ପରେ ବି ଲୋକମାନେ ଜୟଭୀମ ସିନେମାକୁ ପସନ୍ଦ କରିଛନ୍ତି । ସୁପରଷ୍ଟାର ସୂର୍ଯ୍ୟାଙ୍କ ଅଭିନୀତ ଏହି ସିନେମାକୁ ନେଇ ଏବେ ଦେଶରେ ବେସ୍ ଚର୍ଚ୍ଚା ହେଉଛି ।

ସୂଚନା ଥାଉକି ସିନେମା ସ୍ତରରେ ମିଳୁଥିବା ସବୁଠାରୁ ବଡ ପୁରସ୍କାର ଓସ୍କାର ପରେ ଗୋଲଡେନ ଗ୍ଲୋବ ପୁରସ୍କାର ଦ୍ୱିତୀୟ ଅର୍ନ୍ତରାଷ୍ଟ୍ରୀୟ ପୁରସ୍କାର ଭାବେ ମାନ୍ୟତା ମିଳିଛି । ଏହି ସିନେମାରେ ଆଦିବାସୀ ସମୁଦାୟର ସତ୍ୟ ଘଟଣାର ସକରାତ୍ମକ ଓ ନକରାତ୍ମକ ଦିଗ ଦେଖିବାକୁ ମିଳିଛି । ଏହାର କାହାଣୀ ଏକ ଗର୍ଭବତୀ ଆଦିବାସୀ ମହିଳାଙ୍କୁ ନେଇ । ଯାହାଙ୍କ ସ୍ୱାମୀ ପୋଲିସ ହେପାଜତରୁ ନିଖୋଜ ହୋଇ ଯାଇଛି । ଏହାପରେ ସ୍ୱାମୀଙ୍କୁ ପାଇବାକୁ ମହିଳା ଜଣଙ୍କ ଜଣେ ଓକିଲଙ୍କ ସହାୟତା ନେଇଛନ୍ତି । ଏହି ସିନେମାରେ ଏକ ନିର୍ଦ୍ଧିଷ୍ଟ ସଂପ୍ରଦାୟ ସେତେବେଳେ କିଭଳି ଭାବେ ଆଦୀବାସୀମାନଙ୍କ ଉପରେ ଅତ୍ୟାଚାର କରୁଥିଲା ତାହା ଦର୍ଶାଯାଇଛି । ଯାହାକୁ ନେଇ ଉକ୍ତ ସଂପ୍ରଦାୟ ବାରମ୍ବାର ଅଭିଯୋଗ କରୁଛି ।