ଭାରତୀୟ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ସୁରିନାମ ଗଣରାଜ୍ୟର ରାଷ୍ଟ୍ରପତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା

271

କନକ ବ୍ୟୁରୋ : ସୁରିନାମ ଗଣରାଜ୍ୟର ରାଷ୍ଟ୍ରପତି ଚନ୍ଦ୍ରିକା ପ୍ରସାଦ ସନ୍ତୋଖୀ ୨୬ ଜାନୁଆରୀରେ ଭାରତୀୟ ଗଣତନ୍ତ୍ର ଦିବସ ପ୍ୟାରେଡରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ବୋଲି ପ୍ରଧାନମନ୍ତ୍ରୀଙ୍କ କର୍ଯ୍ୟାଳୟ ସହ ଯୋଡି ହୋଇଥିବା ସୂତ୍ରରୁ ସୂଚନା ମିଳିଛି ।  ସୂଚନା ଥାଉକି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା । ମାତ୍ର ବ୍ରିଟେନରେ ନୂଆ କରୋନା ଷ୍ଟେନକୁ ନଜରରେ ରଖି ସେ ଭାରତ ଯାତ୍ରା ବାତିଲ୍ କରିଥିଲେ । ଏହାପରେ ଭାରତ ସରକାରଙ୍କ ପକ୍ଷରୁ ସୁରିନାମର ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ପଠା ଯାଇଥିଲା । ଏହି ନିମନ୍ତ୍ରଣକୁ ସେ ସ୍ୱଇଚ୍ଛାରେ ଗ୍ରହଣ କରିଥିବା ଜଣାପଡିଛି ।

ସୁରିନାମର ରାଷ୍ଟ୍ରପତି ଚନ୍ଦ୍ରିକା ପ୍ରସାଦ ସନ୍ତୋଖୀ ଏହା ପୂର୍ବରୁ ଶନିବାର ଦିନ ପ୍ରବାସୀ ଭାରତୀୟ ଦିବସରେ ସାମିଲ ହୋଇଥିଲେ । ଯେଉଁଠାରେ କି ସେ ଭାରତ ଓ ସୁରିନାମ ମଧ୍ୟରେ ମୁକ୍ତ ଗମନା ଗମନ ନେଇ ଭାରତ ସରକାରଙ୍କୁ ଏକ ପ୍ରସ୍ତାବ ଦେଇଥିଲେ । ଏହାସହ ସେ ଦ୍ୱିପାକ୍ଷୀକ ବାଣିଜ୍ୟ ଓ ସାଂସ୍କୃତିକ ସଂପର୍କକୁ ନେଇ ଭାରତକୁ ସମ୍ପୁର୍ଣ୍ଣ ସମର୍ଥନ ଦେଇଥିଲେ । ଏନେଇ ଡିଜିଟାଲ ମାଧ୍ୟମରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ସେ କହିଥିଲେ କି ସୁରିନାମରୁ ଭାରତ ଆସୁଥିବା ଯାତ୍ରୀ ମାନଙ୍କ ପାଇଁ ମୁକ୍ତ ଭିସା ଅନୁମତି ପାଇଁ ସେ ପ୍ରସ୍ତୁତ ରହିଥିବା କଥା ସୂଚନା ଦେଇଥିଲେ । ଏହା ସହ ଉଭୟ ଦେଶ ବାଣିଜ୍ୟ ଓ ପର୍ଯ୍ୟଟନ କ୍ଷେତ୍ରରେ ଉଭୟଙ୍କୁ ସହଯୋଗ କରିବାକୁ ସେ ପ୍ରସ୍ତାବ ରଖିଥିଲେ ।

ଅନ୍ୟପଟେ ଏଥର ରୋଚକ ହୋଇପାରେ ଦିଲ୍ଲୀରେ ଗଣତନ୍ତ୍ର ଦିବସର ପ୍ୟାରେଡ । ଜାନୁଆରୀ ୨୬ ମଧ୍ୟରେ କେନ୍ଦ୍ର ସରକାର ଯଦି କୃଷକ ମାନଙ୍କର ଦାବି ମାନି ନ ନିଅନ୍ତି ତାହେଲେ ଗଣତନ୍ତ୍ର ଦିବସରେ ଦିଲ୍ଲୀ ରାଜପଥରେ କୃଷକ ମାନେ ଟ୍ରାକ୍ଟର ଓ ଟ୍ରଲିରେ ପ୍ୟାରେଡ କରିବେ ବୋଲି ଆଗୁଆ ସୂଚନା ଦେଇ ସାରିଛନ୍ତି ।