ପାଠପଢ଼ା ପାଇଁ ନଈବଢ଼ି ବାଧକ । ଡଙ୍ଗାରେ ନଦୀ ପାର ହୋଇ ସ୍କୁଲ ଯାଉଛନ୍ତି ଖୋର୍ଦ୍ଧା ହରିମୂଳ ଗାଁର ଛାତ୍ରଛାତ୍ରୀ

32

କନକ ବ୍ୟୁରୋ : ରାଜୁଆ ନଦୀରେ ବନ୍ୟା ସ୍ଥିତି ପାଇଁ ୧୦ ଦିନ ହେବ ଜଳବନ୍ଦୀରେ ଖୋର୍ଦ୍ଧା ଜିଲ୍ଲାର ୩ ପଂଚାୟତର ୧୫ଟି ଗାଁ । ଓରବରସିଂ ପଂଚାୟତ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଗାଁ ସଂପୂର୍ଣ୍ଣ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଗାଁ ଦାଣ୍ଡରେ ଆଣ୍ଠୁଏ ଉଚ୍ଚର ପାଣି ବହୁଛି । ଘରେ ପାଣି ପସି ଯାଇଥିବାରୁ ଲୋକେ ନା ନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେପଟେ ପିଲାଙ୍କ ପାଠ ପଢ଼ା ବନ୍ୟା ଯୋଗୁଁ ଠପ ହୋଇଯାଇଛି । ହେଲେ ଅନ୍ୟ କିଛି ପଂଚାୟତରେ ପାଣି କମି ଥିବାରୁ ପିଲାଙ୍କ ପାଠପଢ଼ା ସ୍ୱାଭିବିକ ହେଉଛି । ହେଲେ ରାସ୍ତା ପାଣି ଥିବାରୁ ଡଙ୍ଗାରେ ପାଠ ପଢ଼ିବାକୁ ଯାଉଛନ୍ତି ଛାତ୍ରଛାତ୍ରୀ ।

ସେପଟେ, କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ବନ୍ୟା ପାଣି ବଢିବାରେ ଲାଗିଛି । ବ୍ରାହ୍ମଣୀ ଅବବାହିକାରେ ବନ୍ୟା ଆସିବା ଯୋଗୁ ଦୁଇ ଦିନ ହେବ ପାଣି ବଢିବାରେ ଲାଗିଛି । ରାଜନଗର ବ୍ଲକର ୫ଟି ପଂଚାୟତର ପାଖାପାଖି ୪୦ ହଜାର ଲୋକ ଜଳବନ୍ଦୀ ହୋଇ ରହିଛନ୍ତି । ବନ୍ଧପଡା, ଓସ୍ତିଆ, ବେଲପାଳ ଓ ରାଜପୁର ପଂଚାୟତର ଲୋକମାନେ ୭ ଦିନ ଧରି ପାଣି ଘେରରେ ରହିଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଲୋକେ ଏକମାତ୍ର ହୁଲି ଡଙ୍ଗା ଉପରେ ନିର୍ଭର କରୁଛନ୍ତି । ପଂଚାୟତ ତରଫରୁ ଗୋଟିଏ ହୁଲି ଡଙ୍ଗାର ବ୍ୟବସ୍ଥା କରାଯାଇଛି । ଦିନରୁ ରାତି ଯାଏଁ ଲୋକେ ଏହି ଡଙ୍ଗା ସାହାର୍ଯ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ରାଜନଗର ଓ ମନଦପୁର ବଜାରକୁ ଆସୁଛନ୍ତି ।