ଆତଙ୍କୀ ଦେଶରେ ଆତଙ୍କର ରାତି । ରକ୍ତର ବଦଲା ରକ୍ତରେ ନେଇଥିଲା ଭାରତ । ଭୟଙ୍କର ସର୍ଜିକାଲ ଷ୍ଟ୍ରାଇକକୁ ପୂରିଲା ୪ ବର୍ଷ । ଅନ୍ଧାର ରାତିରେ ପାକିସ୍ତାନ ମାଟିରେ ପଶି ଆତଙ୍କୀଙ୍କୁ ଖୋଜି ଖୋଜି ନିପାତ କରିଥିଲା ହିନ୍ଦୁସ୍ତାନ ।

ସୈତାନଙ୍କ ପାଇଁ ସର୍ଜିକାଲ୍ ଷ୍ଟ୍ରାଇକ୍...ଆତଙ୍କୀ ଦେଖିଥିଲା ଯବାନଙ୍କ ଜୋଶ୍ ।

994

କନକ ବ୍ୟୁରୋ : ଥରି ଉଠିଥିଲା ଶତ୍ରୁ ଶିବିର । ଶୁନଶାନ୍ ରାତିରେ ପାକିସ୍ତାନ ମାଟିରେ ପାନେ ପାଇଥିଲେ ଆତଙ୍କବାଦୀ । ଖଣ୍ଡ ବିଖଣ୍ଡିତ ହୋଇ ମାଟିରେ ମିଶିଯାଇଥିଲେ ମୃତ୍ୟୁର ସୌଦାଗର । ରକ୍ତର ବଦଲା ରକ୍ତରେ ନେଇଥିଲା ହିନ୍ଦୁସ୍ତାନ । ବିଶ୍ୱ ଦେଖିଥିଲା ଭୟଙ୍କର ସର୍ଜିକାଲ୍ ଷ୍ଟ୍ରାଇକ୍ । ଆଉ ଭାରତୀୟ ବୀର ଯବାନଙ୍କ ସେହି ସର୍ଜିକାଲ୍ ଷ୍ଟ୍ରାଇକ୍, ଆଜିକୁ ପୂରିଛି ୪ ବର୍ଷ ।

ସୈତାନଙ୍କ ପାଇଁ ସର୍ଜିକାଲ୍ ଷ୍ଟ୍ରାଇକ୍ । ଆତଙ୍କୀ ଦେଖିଥିଲା ଯବାନଙ୍କ ଜୋଶ୍ । ୧୮ ସେପ୍ଟେମ୍ବର ବିଳମ୍ବିତ ରାତିରେ ଉରି ଉତର କାଶ୍ମୀରର ବାରାମୂଲା ଜିଲ୍ଲାରେ ସେନାର ବେସକ୍ୟାମ୍ପରେ ଆତ୍ମଘାତୀ ଆକ୍ରମଣ କରିଥିଲେ ଆତଙ୍କବାଦୀ । ସଇତାନ୍ ଶତ୍ରୁ, ନିଦରେ ଶୋଇଥିବା ଆମ ଯବାନମାନଙ୍କୁ ହତ୍ୟା କରିଥିଲେ । ଶୋକରେ ବୁଡିଥିବା ଭାରତୀୟଙ୍କ ମନରେ ସେତେବେଳେ ଜୋସ୍ ଭରିଥିଲା ଯେତେବେଳେ ପ୍ରଧାନମନ୍ତ୍ରୀ କହିଥିଲେ, ବ୍ୟର୍ଥ ଯିବନି ଆମ ଯବାନଙ୍କ ବଳିଦାନ । ସବୁବେଳେ ଶାନ୍ତିରେ ବିଶ୍ୱାସ ରଖୁଥିବା ଭାରତ, ଏବେ ଚୁପ୍ ବସିବନି । କାରଣ ଇଏ ହେଉଛି ନୂଆ ଭାରତ । ଏ ଭାରତ ଶତ୍ରୁର ଘରେ ବି ପଶିବ, ଆଉ ବଳିଦାନର ବଦଲା ବି ନେବ ।

ଆତଙ୍କୀ ଦେଶରେ ଆତଙ୍କର ରାତି । ବିଧ୍ୱଂସଲୀଳା ରଚିଥିଲେ ବୀର ଯବାନ । ରକ୍ତର ବଦଲା ରକ୍ତରେ ନେଇଥିଲା ଭାରତ । ଉରି ଆକ୍ରମଣର ପାଲଟା ଜବାବ ଦେବାକୁ ଯାଇ ଅନ୍ଧାର ରାତିରେ ଆତଙ୍କୀ ଦେଶ ଭିତରେ ପଶି, ଆତଙ୍କ ରଚିଥିଲେ ଭାରତୀୟ ସେନାର ବୀର ଯବାନ । ପ୍ରଥମ ସର୍ଜିକାଲ ଷ୍ଟ୍ରାଇକ୍ ପାଇଁ ସେପ୍ଟେମ୍ବର ୨୪ ତାରିଖରୁ ଭାରତୀୟ ସେନା ରଚିଥିଲା ରଣନୀତି । ଆଉ ସେତେବେଳେ ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା, ଆତଙ୍କୀ ଶିବିରକୁ ଧ୍ୱଂସ କରିବାକୁ ଭାରତର ଘାତକ କମାଣ୍ଡୋମାନେ ସେପ୍ଟେମ୍ବର ୨୮-୨୯ ମଧ୍ୟରାତ୍ରିରେ କରିଥିଲେ ଭୟଙ୍କର ହାମଲା । ଆଖି ପିଛୁଳାକେ ଘୋଟିଯାଇଥିଲା ଆତଙ୍କୀ ଦେଶ ଆକାଶରେ ଆତଙ୍କର କଳାବାଦଲ ।

ଗୋଟିଏ ପରେ ଗୋଟିଏ ଆତଙ୍କୀ ଶିବିରକୁ ଧ୍ୱଂସ କରିଦେଇଥିଲେ ଆମ ବୀର ଯବାନ । ଖୋଜି ଖୋଜି ଜଣ ଜଣ କରି ସବୁ ଆତଙ୍କବାଦୀଙ୍କୁ ନିପାତ କଲେ । ଆତଙ୍କୀ ଦେଶରେ ଖେଳିଯାଇଥିଲା ଆତଙ୍କ । ପାଖାପାଖି ୨-୩ ଘଂଟାର ସର୍ଜିକାଲ୍ ଷ୍ଟ୍ରାଇକ୍ ପରେ ପିଓକେରେ ଥିବା ସବୁ ଆତଙ୍କୀ ଶିବିରକୁ ଧ୍ୱଂସ କରି ଭାରତମାଟିକୁ ଫେରିଆସିଥିଲେ ଭାରତର ବୀର ଯବାନ ।

ସେହି ଭୟଙ୍କର ସର୍ଜିକାଲ୍ ଷ୍ଟ୍ରାଇକକୁ ୪ ବର୍ଷ ପୂରିଛି । ଆଉ ବୀର ଯବାନଙ୍କ ବିଧ୍ୱଂସଲୀଳାକୁ ଆଜି ବି ମନେରଖିଛି ସଇତାନ ପାକିସ୍ତାନ । କେବଳ ପାକିସ୍ତାନ କାହିଁକି ସାରା ବିଶ୍ୱ ଦେଖିଥିଲା ଭାରତର ଶକ୍ତି । ସେବେଠାରୁ ସେପ୍ଟେମ୍ବର ୨୯କୁ ସାହସୀ ବୀରଙ୍କ ପରାକ୍ରମ ଉଦ୍ଦେଶ୍ୟରେ ମନେ ରଖିଛି ଭାରତ । ଏହି ଦିନ ଆସିଲେ ପ୍ରତିଟି ଭାରତୀୟଙ୍କ ଛାତି ଗର୍ବରେ ଫୁଲିଉଠେ । କାରଣ ବୀର ଯବାନଙ୍କ ବୀରତ୍ୱର ଅଧ୍ୟାୟ, ଇତିହାସର ସ୍ୱର୍ଣ୍ଣୀମ ଅଧ୍ୟାୟରେ ଲିପିବଦ୍ଧ ହୋଇରହିଛି ।