ସର୍ଜିକାଲ ଷ୍ଟ୍ରାଇକର ୨ ବର୍ଷ ପୂର୍ତ୍ତି। ଆଜିଠାରୁ ତିନିଦିନ ଧରି ଦେଶର ୫୧ଟି ସହରରେ ‘ପରାକ୍ରମ ପର୍ବ’ ହେବ ପାଳିତ ।

45

ସର୍ଜିକାଲ ଷ୍ଟ୍ରାଇକର ୨ ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ପାଳନ ହେଉଛି ପରାକ୍ରମ ଦିବସ । ପାକିସ୍ତାନ ଆତଙ୍କବାଦୀ କ୍ୟାମ୍ପ ଉପରେ ଠିକ୍ ୨ ବର୍ଷ ପୂର୍ବେ ରାତି ଅଧିଆ ସର୍ଜିକାଲ ଷ୍ଟ୍ରାଇକ କରି ଶତ୍ରୁ ପକ୍ଷକୁ ନିପାତ କରିଥିଲେ ଭାରତୀୟ ସେନା । ଏହି ଗୌରବମୟ ସଫଳତାକୁ ଉତ୍ସବ ଭଳି ପାଳନ କରିବା ପାଇଁ କେନ୍ଦ୍ର ସରକାର ଯୋଜନା କରିଛନ୍ତି । ୩ଦିନ ଧରି ପରାକ୍ରମର ପର୍ବ ନାଁରେ ଦେଶର ୫୧ଟି ସହରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହା ସହ ଇଣ୍ଡିଆ ଗେଟ୍ ସମ୍ମୁଖରେ ୩ ଦିନ ଧରି ଏହି ପରାକ୍ରମ ଦିବସକୁ ବିଜୟର ଧ୍ୱନି ସହ ପାଳନ କରାଯିବ । ଯେଉଁଥିରେ ଭାରତୀୟ ଯବାନଙ୍କ ସାହାସିକତାକୁ ବର୍ଣ୍ଣନା କରାଯିବ । ଗତକାଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ୨୦୧୬ ସର୍ଜିକାଲ ଷ୍ଟ୍ରାଇକର ଆଉ କିଛି ନୂଆ ଭିଡିଓ ଜାରି କରାଯାଇଥିଲା ।

Surgical-strikesଦୁଇ ବର୍ଷ ତଳେ ଯେତେବେଳେ ଶତ୍ରୁ ସୀମାରେ ପଶି ସର୍ଜିକାଲ ଷ୍ଟ୍ରାଇକ ମାଧ୍ୟମରେ ପରାକ୍ରମର ପ୍ରମାଣ ଦେଇଥିଲେ ଭାରତୀୟ ଯବାନ । ପାକ୍ ସେନାର ଆଖି ଆଢୁଆଳରେ ଭାରତୀୟ ଯବାନ ଏଭଳି ଏକ ଅପରେସନ୍ କରିଥିଲେ ଯେ, ଶତ୍ରୁ ପକ୍ଷ ଆଖି ଖୋଲିଲା ବେଳକୁ ଧ୍ୱସ୍ତବିଧ୍ୱସ୍ତ ହୋଇ ସାରିଥିଲା ଆତଙ୍କବାଦୀଙ୍କ ଠିକଣା । ନିଶ୍ଚିହ୍ନ ହୋଇଯାଇଥିଲା ସବୁ କିଛି । ଆଉ ଏହି ଅପରେସନର ଦୁଇବର୍ଷ ପୂର୍ତୀ ଉପଲକ୍ଷେ କେନ୍ଦ୍ର ସରକାର, ପରାକ୍ରମର ପର୍ବ ନାଁରେ ଏକ ତିନି ଦିନିଆ କାର୍ଯ୍ୟକ୍ରମ ଦେଶବ୍ୟାପୀ ଆୟୋଜନ କରିଛନ୍ତି ।

୨୮ ସେପ୍ଟେମ୍ବର ୨୦୧୬ । ପାକ୍ ଅଧିକୃତ କାଶ୍ମୀରରେ ଅଚାନକ ଶୁଭିଥିଲା ଗୁଳିଗୋଳାର ଶବ୍ଦ । ମଧ୍ୟରାତ୍ରୀରେ ସୀମା ଡେଇଁ ଭାରତୀୟ ଯବାନ ପହଂଚି ଯାଇଥିଲେ ସେଇ ସବୁ ଠିକଣାକୁ ଯେଉଁଠୁ ପ୍ରସ୍ତୁତ ହେଉଥିଲା ଆତଙ୍କବାଦୀ ଆକ୍ରମଣର ନକ୍ସା । ଉରୀ ଆକ୍ରମଣର ଆଘାତ୍ ଭାରତୀୟ ଯବାନଙ୍କୁ ଏମିତି ବିବ୍ରତ କରିଥିଲା ଯେ, ଠିକଣା ସମୟରେ, ଠିକଣା ଜାଗାରେ ଜବାବ୍ ଦେବାକୁ ନିଷ୍ପତି ନେଇଥିଲା ଭାରତ । ଆଉ ୨୯ ସେପ୍ଟେମ୍ବର ସକାଳ ପାଇଲା ବେଳକୁ ଦୁନିଆ ଆଗରେ ଖୋଲି ଯାଇଥିଲା ପାକିସ୍ତାନର ଅସଲ ମୁଖା । ଆଉ ଏପଟେ ଏହି ଅପରେସନର ସଫଳତା ନେଇ ୨ ବର୍ଷ ପୂର୍ତ୍ତି ନେଇ ଖୁସି ମନାଉଛନ୍ତି ପୂରା ଦେଶ ।