ଦଳ ବିରୋଧୀ ମନ୍ତବ୍ୟ ପାଇଁ ହୋଇଥିବା ନୋଟିସର ଉତ୍ତର ରଖିଲେ ସୁରେଶ ରାଉତରାୟ । କହିଲେ, ଦେଇନାହାନ୍ତି ଦଳ ବିରୋଧୀ ମନ୍ତବ୍ୟ…

645

କନକ ବ୍ୟୁରୋ: ଦଳ ବିରୋଧୀ ମନ୍ତବ୍ୟ ପାଇଁ ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କୁ ହୋଇଥିବା ନୋଟିସର ସେ ଉତର ରଖିଛନ୍ତି । ପିସିସି ସଭାପତିଙ୍କ ନିକଟରେ ଉତର ରଖିଛନ୍ତି ସୁରେଶ ରାଉତରାୟ । ନିଜ ଦୋଷ ଲୁଚାଇ ଗଣମାଧ୍ୟମକୁ ଦୋଷୀ କରିବାକୁ ପ୍ରୟାସ କରିଛନ୍ତି ଜଟଣୀ ବିଧାୟକ ।

ଗଣମାଧ୍ୟମକୁ ସୁର କହିଛନ୍ତି, ସେ ଦଳ ବିରୋଧରେ କୌଣସି ମନ୍ତବ୍ୟ ଦେଇନାହାନ୍ତି । ତାଙ୍କ ମନ୍ତବ୍ୟକୁ କଦର୍ଥ କରି ପ୍ରସାରଣ କରାଯାଇଛି । ଶେଷ ଜୀବନ ପର୍ଯ୍ୟନ୍ତ ସେ କଂଗ୍ରେସରେ ରହିବେ ଓ ଦଳ ପାଇଁ ପ୍ରଚାର କରିବେ । ବୋଲି କହିଥିଲେ ସୁର । ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ କଂଗ୍ରେସକୁ ଭଲ ପାଏ, ତାକୁ ଯେଉଁଠାରୁ ଟିକେଟ ମିଳିବ ସେ ଯାଇ ପ୍ରଚାର କରିବେ । କିନ୍ତୁ ସାନ ପୁଅ ମନ୍ମଥ ପାଇଁ ପ୍ରଚାର କରିବେ ନାହିଁ ବୋଲି କହିଥିଲେ ।

ସୁରଙ୍କ ସାନ ପୁଅ ବିଜେଡିରୁ ସାଂସଦ ପ୍ରାର୍ଥୀ ହୋଇଛନ୍ତି । ତେବେ ଭୁବନେଶ୍ୱର ଉତର ବିଜେଡି ବିଧାୟକ ସୁଶାନ୍ତ ରାଉତଙ୍କ ଉପସ୍ଥିତରେ ସେ ଉଭୟ ବିଧାନସଭା ଓ ଲୋକସଭା ପାଇଁ ବିଜେଡିକୁ ଭୋଟ ଦେବାକୁ ଅପିଲ କରିଥିଲେ ସୁରେଶ ରାଉତରାୟ । ସୁରଙ୍କ ଏଭଳି ବୟାନ ପରେ ଦଳ ପକ୍ଷରୁ ସୁରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା ।