ରାଇନାଙ୍କୁ ବାଏ ବାଏ କହିବ ସିଏସକେ! କେଉଁ ଦଳରେ ସାମିଲ ହେବେ ମିଷ୍ଟର ଆଇପିଏଲ?

379

କନକ ବ୍ୟୁରୋ: ଆଉ କିଛି ମାସ ପରେ ପୁଣି ଆରମ୍ଭ ହେବାକୁ ଯାଉଛି ବିଶ୍ୱର ସବୁଠୁ ଧନୀ କ୍ରିକେଟ୍ ଲିଗ୍ ଆଇପିଏଲ । ଏହାପୂର୍ବରୁ ଏବେ ଆଇପିଏଲ ଦଳମାନଙ୍କର ଚାଲିଛି ଖେଳାଳିମାନଙ୍କର ରିଟେନ୍ ପ୍ରକ୍ରିୟା । ଆଉ ଏହାରି ଭିତରେ ଆଇପିଏଲକୁ ନେଇ ଆସିଛି ଏକ ବଡ ଖବର । ଆଇପିଏଲ୍ ଚାମ୍ପିୟନ ଚେନ୍ନାଇ ସୁପରକିଙ୍ଗସ ନିଜର ପୁରୁଖା ଖେଳାଳି ସୁରେଶ ରାଇନାଙ୍କୁ କହିପାରେ ବାଏ ବାଏ ।

ଇଣ୍ଡିଆନ୍ ପ୍ରିମିୟର ଲିଗର ଆଗାମୀ ସିଜିନରେ ସିଏସକେ ସହ ନଜର ନଆସିପାରନ୍ତି ସୁରେଶ ରାଇନା । ଦଳ ତାଙ୍କୁ ଆସନ୍ତା ସିଜିନ ପାଇଁ ରିଟେନ୍ ନରଖିବାକୁ ସ୍ଥିର କରିଥିବା ଖବର ମିଳିଛି । ଖାଲି ସେତିକି ନୁହେଁ, ସିଏସକେ କେଉଁ କେଉଁ ଖେଳାଳିଙ୍କୁ ରିଟେନ୍ ରଖିବ ତାର ଏକ ରିପୋର୍ଟ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।

ସିଏସକେ ଆସନ୍ତା ୩ ବର୍ଷ ପାଇଁ ନିଜ କ୍ୟାପଟେନ୍ ଧୋନୀଙ୍କୁ ରିଟେନ୍ ରଖିବାକୁ ଯାଉଛି । ସେହିପରି ଦଳର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଓ ଯୁବ ଖେଳାଳି ଋତୁରାଜ ଗାଏକ୍ୱାଡଙ୍କୁ ମଧ୍ୟ ଦଳ ଆସନ୍ତା ୩ ବର୍ଷ ପାଇଁ ରିଟେନ୍ ରଖିବ । ତେବେ ଚତୁର୍ଥ ସ୍ଥାନରେ ସିଏସକେ କାହାକୁ ରିଟେନ୍ ରଖିବ ସେନେଇ କୌଣସି ନିଷ୍ପତ୍ତି ନିଆହୋଇନି । ଏହି ଚତୁର୍ଥ ସ୍ଥାନରେ ଦଳ ମୋଇନ୍ ଅଲ୍ଲୀ କିମ୍ବା ସାମ୍ କରନଙ୍କ ଭିତରୁ ଜଣକୁ ବାଛିପାରେ ବୋଲି ଖବର ମିଳିଛି । ଆଉ ଏପରି ହେଲେ ଏଥର ଆଇପିଏଲ ନିଲାମରେ ଦେଖିବାକୁ ମିଳିପାରନ୍ତି ମିଷ୍ଟର ଆଇପିଏଲ କୁହାଯାଉଥିବା ସୁରେଶ ରାଇନା ।

ଏବର୍ଷ ଆଇପିଏଲରେ ଦେଖିବାକୁ ମିଳିବେ ୮ ବଦଳରେ ୧୦ ଟିମ । ଲକ୍ଷ୍ନୌ ଆଉ ଅହମ୍ମଦାବାଦ ଦୁଇ ନୂଆ ଟିମ ଏଥର ନିଜର ଆଇପିଏଲ ଅଭିଯାନ ଆରମ୍ଭ କରିବେ । କୁହାଯାଉଛି ଏହି ଦୁଇ ନୂଆ ଟିମ ଭିତରୁ ଲକ୍ଷ୍ନୌ ଟିମରେ ସାମିଲ ହୋଇପାରନ୍ତି ସୁରେଶ ରାଇନା । କେବଳ ସେତିକି ନୁହେଁ, ରାଇନା ଲକ୍ଷ୍ନୌ ଟିମର କ୍ୟାପଟେନ୍ ମଧ୍ୟ ହୋଇପାରନ୍ତି ବୋଲି ସୂଚନା ମିଳୁଛି । ଗତ କିଛି ସିଜିନ ହେଲା ଆଇପିଏଲରେ ରାଇନାଙ୍କ ବ୍ୟାଟ୍ ଶାନ୍ତ ରହିଛି । ୨୦୨୧ରେ ବି ରାଇନାଙ୍କ ବ୍ୟାଟରୁ ସେଭଳି କୌଣସି ବଡ ସ୍କୋର ଦେଖିବାକୁ ମିଳିନଥିଲା । ଆଇପିଏଲ ଫାଇନାଲ ମ୍ୟାଚରେ ତାଙ୍କୁ୍ ଡ୍ରପ୍ କରି ଅନ୍ୟ ଖେଳାଳିଙ୍କୁ ସୁଯୋଗ ଦେଇଥିଲେ ମାହି । ତେଣୁ ଆଗାମୀ ସିଜିନରେ ରାଇନା ନୂଆ ଦଳରେ ସାମିଲ ହେବା କଥା ଏବେ ଚର୍ଚ୍ଚାରେ ।

ଆଇପିଏଲ ଇତିହାସ ଉପରେ ନଜର ପକାଇଲେ, ଜଣାପଡିବ । ୩୪ ବର୍ଷୀୟ ଏହି ଖେଳାଳି ବିରାଟ କୋହଲିଙ୍କ ପରେ …ଆଇପିଏଲରେ ସବୁଠୁ ଅଧିକ ରନ୍ ସ୍କୋର କରିଛନ୍ତି । ୨୦୨୧ ମସିହା ସୁଦ୍ଧା ସେ ଆଇପିଏଲରେ ୨୦୫ଟି ମ୍ୟାଚ୍ ଖେଳିଥିବାବେଳେ, ଏଥିରୁ ୫୫୨୮ ରନ୍ ସଂଗ୍ରହ କରିଛନ୍ତି । ଯାହାକି ଆଇପିଏଲରେ ଏକ ରେକର୍ଡ । ରାଇନାଙ୍କ ଜନ୍ମ ଉତରପ୍ରଦେଶରେ । ସେ ୟୁପି ପକ୍ଷରୁ ଘରୋଇ ଟୁର୍ଣ୍ଣାମେଂଟ ବି ଖେଳିସାରିଛନ୍ତି । ଆଉ ଆଗାମୀ ସିଜିନରୁ ଲକ୍ଷ୍ନୌ ଟିମ ଆଇପିଏଲରେ ସାମିଲ ହେବାକୁ ଥିବାବେଳେ, ରାଇନା ନିଜ ହୋମ୍ ଟାଉନ୍ ଲକ୍ଷ୍ନୌରୁ ଖେଳିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ ଲକ୍ଷ୍ନୌର ଷ୍ଟାଡିୟମ – ଅଟଳ ବିହାରୀ ବାଜପେୟୀ ଏକାନ୍ନା କ୍ରିକେଟ୍ ଷ୍ଟାଡିୟମ ଏହି ନୂଆ ଟିମର ହୋମ୍ ଗ୍ରାଉଣ୍ଡ ହେବ ।