ଧୋନିଙ୍କ ରାସ୍ତାରେ ରାଇନା: ଇନଷ୍ଟାଗ୍ରାମରେ ପୋଷ୍ଟ କରି ଅବସର ନେଇ ସୂଚନା ଦେଲେ ସୁରେଶ; କହିଲେ, ଆପଣଙ୍କ ଯାତ୍ରାରେ ମୁଁ ମଧ୍ୟ ସାମିଲ ହେବାକୁ ଚାହୁଁଛି

341

କନକ ବ୍ୟୁରୋ: ଅନ୍ୟତମ ଭାରତୀୟ କ୍ରିକେଟର ସୁରେଶ ରାଇନା ମଧ୍ୟ କ୍ରିକେଟରୁ ଅବସର ନେଇ ସୂଚନା ଦେଇଛନ୍ତି । ନିଜ ଇନ୍ଷ୍ଟାଗ୍ରାମରେ ଏନେଇ ପୋଷ୍ଟ କରି ଧୋନିଙ୍କ ଉଦ୍ଦେଶ୍ୟରେ ସେ ଲେଖିଛନ୍ତି, ଆପଣଙ୍କ ସହ ଖେଳିବା ବେଶ ଗୌରବର କଥା । ଏହା ମୋର ଛାତିକୁ ଗର୍ବରେ ଭରି ଦେଇଛି । ମୁଁ ଆପଣଙ୍କ ଯାତ୍ରାରେ ମୁଁ ମଧ୍ୟ ସାମିଲ ହେବାକୁ ଚାହୁଁଛି । ଧନ୍ୟବାଦ ଭାରତ । ଜୟହିନ୍ଦ । ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଅବସର ଘୋଷଣା କରିବାର ଅଳ୍ପ ସମୟ ପରେ ଟିମ୍ ଇଣ୍ଡିଆର ମଧ୍ୟମକ୍ରମର ବ୍ୟାଟସମ୍ୟାନ ସୁରେଶ ରାଇନା ମଧ୍ୟ ଏଭଳି ପୋଷ୍ଟ କରି ଅବସରର ସଂକେତ ଦେଇଛନ୍ତି । ଜାତୀୟ ଗଣମାଧ୍ୟମରେ ରାଇନା ଅବସର ଘୋଷଣା କରିସାରିଥିବା ନେଇ କୁହାଯାଉଛି ।

ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ସହ ଇଂଟରନେସନାସ କ୍ରିକେଟରୁ ଅବସର ନେଇଛନ୍ତି ସୁରେଶ ରୈନା । ଉତରପ୍ରଦେଶର ଏହି କ୍ରିକେଟର ବିଶ୍ୱସ୍ତରରେ ବେଶ ନାଁ କରିଛନ୍ତି । ୨୦୦୫ ମସିହାରେ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ଖେଳିଥିବା ରୈନା ମଧ୍ୟକ୍ରମ ବ୍ୟାଟିଂ ଅର୍ଡରରେ ଦ୍ରୁତ ରନ ସଂଗ୍ରହ, କାମଚଳା ସ୍ପିନ ବୋଲିଂ ସହ ଜବରଦସ୍ତ ଫିଲଡିଂ ଯୋଗୁଁ ଚର୍ଚାରେ ରହିଆସିଥିଲେ । ରୈନା ଭାରତ ପାଇଁ ୧୮ଟି ଟେଷ୍ଟ, ୨୨୬ ଏକ ଦିବସୀୟ ଓ ୭୮ଟି ଟି-୨୦ ମ୍ୟାଚ ଖେଳିଥିଲେ । ଅନ୍ତର୍ଜାତୀୟ କ୍ରିକେଟରେ ରୈନା ୭ ହଜାରରୁ ଅଧିକ ରନ କରିଛନ୍ତି । ସେ ଖେଳିଥିବା ୧୮ଟି ଟେଷ୍ଟ ମ୍ୟାଚରୁ ୭୬୮ ରନ କରିଥିବା ବେଳେ ଏଥିରେ ରହିଛି ଗୋଟିଏ ଶତକ ଓ ୭ଟି ଅର୍ଧଶତକ । ୨୨୬ଟି ଅନ୍ତର୍ଜାତୀୟ ଏକଦିବସୀୟ ମ୍ୟାଚରୁ ରୈନା ୫ ହଜାର ୬ଶହ ୧୫ ରନ କରିଛନ୍ତି ।

ଦିନିକିଆରେ ୫ ଶତକ ଓ ୩୬ଟି ଅର୍ଧ ଶତକ କରିଥିବା ରେକର୍ଡ ରୈନାଙ୍କ ନାମରେ ରହିଛି । ଅପରାଜିତ ୧୧୬ ରନ ଦିନିକିଆ ମ୍ୟାଚରେ ରୈନାଙ୍କ ସର୍ବ ଶ୍ରେଷ୍ଠ ପ୍ରଦର୍ଶନ । ଟି-୨୦ରେ ରୈନା ମୋଟ ୧୬୦୫ ରନ କରିଛନ୍ତି, ଯେଉଁଥିରେ ରହିଛି ଗୋଟିଏ ଶତକ ଓ ୫ଟି ଅର୍ଧ ଶତକ । ସୁରେଶ ରୈନା ହେଉଛନ୍ତି ପ୍ରଥମ ଭାରତୀୟ ଖେଳିଳି, ଯିଏ କ୍ରିକେଟର ୩ଟି ଫର୍ମାଟରେ ଶତକ ହାସଲ କରିଛନ୍ତି । ଆଇପିଏଲରେ ସବୁଠୁ ଅଧିକ ରନ ଓ ମ୍ୟାଚ ଖେଳିବା ରେକର୍ଡ ମଧ୍ୟ ତାଙ୍କ ନାମରେ ରହିଛି । ଟି-୨୦ ବିଶ୍ୱକପ -୨୦୦୭, ବିଶ୍ୱକପ-୨୦୧୧ ଓ ଚାମ୍ପିଅନ୍ସ ଟ୍ରଫି -୨୦୧୩ ବିଜୟୀ ହୋଇଥିବା ଟିମ ଇଣ୍ଡିଆର ସଦସ୍ୟ ଥିଲେ ସୁରେଶ ରୈନା ।

ସୁରେଶ ରୈନାଙ୍କ ଅବସର ଘୋଷଣା ପରେ ସଚିନ ତେନ୍ଦୁଲକର ଟୁଇଟ କରି ଭବିଷ୍ୟତ ପାଇଁ ଶୁଭ କାମନା ଜଣାଇଛନ୍ତି । ଏଥିସହ ରୈନାଙ୍କ ପ୍ରଥମ ଟେଷ୍ଟର ଏକ ଫୋଟୋ ସେୟାର କରିଛନ୍ତି ସଚିନ । କ୍ରିକେଟର ଇରଫାନ ପଠାନ ମଧ୍ୟ ରୈନଙ୍କ ରିଟାୟର୍ଡକୁ ନେଇ ଟୁଇଟ କରିଛନ୍ତି । ସେ ଲେଖିଛନ୍ତି ଚମକ୍ରାର ଫିଲଡର, ଆକ୍ରାମଣାତ୍ମକ ବ୍ୟାଟସମ୍ୟାନ ନିଜ କ୍ୟାରିଅରରେ ଦେଶ ପାଇଁ ଭଲ ଅବଦାନ ଦେଇଛ । ଏହାପରେ ରାଇନାକ ୁଭବିଷ୍ୟତ ପାଇଁଶୁଭେଛା ଜଣାଇଛନ୍ତି ଇରଫାନ । ସେହିପରି ବିରାଟ କୋହଲି ମଧ୍ୟ ଟୁଇଟ କରି ଭବିଷ୍ୟତ ଜିବନ ପାଇଁ ରାଇନାକୁ ଶୁଭ କାମନା ଜଣାଇଛନ୍ତି । ଅନ୍ୟପଟେ ମହେନ୍ଦ୍ର ସିଂ ଧୋନି ଓ ସୁରେଶ ରୈନାଙ୍କ ଅବସର ଘୋଷଣା ପରେ ଚେନ୍ନାଇ ସୁପର କିଙ୍ଗସ ମଧ୍ୟ ଟୁଇଟ କରିଛି