ବିଜେଡିର ରଥୀ ମହାରଥୀଙ୍କ ଚକ୍ରବ୍ୟୁହ ଭିତରୁ ବରଗଡରେ ବାଜି ମାରିଲା ବିଜେପି । ସୁରେଶ ପୂଜାରୀଙ୍କୁ ମିଳିଲା ବଡ ସଫଳତା ।

342

କନକ ବ୍ୟୁରୋ : କେନ୍ଦ୍ରରେ ମୋଦି, ଓଡ଼ିଶାରେ ନବୀନ । ଫଳାଫଳ ଆସିବା ପୂର୍ବରୁ ଯାହା ଆକଳନ କରାଯାଉଥିଲା ତାହା ଶତ ପ୍ରତିଶତ ସଠିକ୍ ହୋଇଛି । ଦେଶରେ ମୋଦି ମ୍ୟାଜିକ୍ କାମ କରିଥିବା ବେଳେ ରାଜ୍ୟରେ ଚାଲିଛି ନବୀନଙ୍କ ଯାଦୁ । କିନ୍ତୁ ଏସବୁ ଭିତରେ ଓଡ଼ିଶାର ୩ଟି ଲୋକସଭା ଆସନରେ ଏଭଳି ପରିଣାମ ଆସିଛି, ଯାହା ସମସ୍ତଙ୍କୁ ଚକିତ କରିଦେଇଛି । ବରଗଡ଼ ଏବଂ ଭୁବନେଶ୍ୱରର ୭ଟି ଯାକ ବିଧାନସଭା କ୍ଷେତ୍ରରେ ବିଜେଡି ବିଜୟୀ ହୋଇଥିବା ବେଳେ ଲୋକସଭା କ୍ଷେତ୍ରରେ ବାଜି ମାରିଛି ବିଜେପି । ଠିକ୍ ସେହିପରି କୋରାପୁଟ ଲୋକସଭାରେ କ୍ଷେତ୍ରରେ ନା କାମ କରିଛି ମୋଦି ମ୍ୟାଜିକ୍ ନା’ ନବୀନଙ୍କ ଲୋକପ୍ରିୟତା ।

ବରଗଡ଼ରେ ବାଜି ମାରିଲା ବିଜେପି । ସୁରେଶ ପୂଜାରୀଙ୍କୁ ମିଳିଲା ସଫଳତା । ବିଜେଡିର ରଥୀ-ମହାରଥୀଙ୍କ ଚକ୍ରଭ୍ୟୁହ ଭିତରେ ଲଢ଼େଇ କରୁଥିଲେ ବିଜେପିର ସୂରେଶ ପୂଜାରୀ । ଲଢ଼େଇ ଏତେ ସହଜ ନଥିଲା । କାରଣ, ବିଜେପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଅତାବିରାରେ ମନ୍ତ୍ରୀ ସ୍ନେହାଙ୍ଗୀନୀ ଛୁରିଆ, ଭଟଲୀରେ ମନ୍ତ୍ରୀ ସୁଶାନ୍ତ ସିଂ, ବ୍ରଜରାଜନଗରରେ ପୂର୍ବତନ ବାଚସ୍ପତି ତଥା ଡବ୍ଲୁଓଡିସି ଚେୟାରମ୍ୟାଚ୍ କିଶୋର ମହାନ୍ତି, ଝାରସୁଗଡ଼ାରେ ପିସିସିର ପୂର୍ବତନ କାର୍ଯ୍ୟକାରୀ ସଭାପତି ନବ ଦାସ, ବରଗଡ଼ରେ ଷ୍ଟାଣ୍ଡିଂ ଏମଏଲଏ ତଥା ପୂର୍ବତନ ଅର୍ଥମନ୍ତ୍ରୀଙ୍କ ସଂପର୍କୀୟ ଦେବେଶ ଆଚାର୍ଯ୍ୟ ଏବଂ ପଦ୍ମପୁରରେ ପୂର୍ବତନ ବିଧାୟକ ତଥା ତୃଣମୁଳସ୍ତରର ଟାଣୁଆ ନେତା ବିଜୟ ରଂଜନ ସିଂ ବରିହା । ଆଉ ଏ ସମସ୍ତଙ୍କ ଭିତରେ ପୁଣି ରାଜ୍ୟସଭା ସାଂସଦ ତଥା ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କ ସହ ପ୍ରତିଦ୍ୱନ୍ଦିତା କରୁଥିଲେ ସୁରେଶ ପୂଜାରୀ ।

ଏତେ ସବୁ ପ୍ରତିକୂଳ ପରିସ୍ଥିତିରେ ବି ବରଗଡ଼ ଲୋକସଭା ଆସନ ଜିତି ନେଇଛନ୍ତି ସୁରେଶ ପୂଜାରୀ । ବଡ କଥା ହେଲେ ବରଗଡ଼ର ୭ଟି ଯାକ ବିଧାନସଭାରେ ବିଜୟୀ ହୋଇଛି ବିଜେଡି । ଏଠି ଭୋଟର୍ ଉଭୟ ଲୋକସଭା ଏବଂ ବିଧାନସଭା ପାଇଁ ଅଲଗା ଅଲଗା ଭୋଟିଂ କରିଥିବା ସ୍ପଷ୍ଟ ଜଣାପଡୁଛି ।

ବରଗଡ଼ ଭଳି ଭୁବନେଶ୍ୱର ଲୋକସଭାରେ ବି ଦେଖିବାକୁ ମିଳିଛି ସମାନ ଚିତ୍ର । ଭୁବନେଶ୍ୱର ଲୋକସଭା କ୍ଷେତରେ ଆସୁଥିବା ୭ଟି ଯାକ ଆସନରେ ବିଜେପିର ପ୍ରତିପକ୍ଷ ଦଳ ବିଜୟୀ ହୋଇଥିବା ବେଳେ ଏକାକି ଲଢ଼େଇ କରି ଲୋକସଭା ଆସନକୁ କବଜା କରିଛନ୍ତି ଅପରାଜିତା ଷଡଙ୍ଗୀ । ୭ଟି ଲୋକସଭା ଆସନରୁ ୬ଟିରେ ବିଜୁ ଜନତା ଦଳର ପ୍ରାର୍ଥୀ ବାଜିମାତ କରିଥିବା ବେଳେ ଜଟଣୀ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ସୁର ରାଉତରାୟ ବିଜୟୀ ହୋଇଛନ୍ତି ।

ଆଉ ସବୁ ଭିତରେ କୋରାପୁଟ ଲୋକସଭା ଆସନରେ ଯେଉଁ ପରିଣାମ ଆସିଛି ତାହା ସମସ୍ତଙ୍କୁ ଚକିତ କରିଦେଇଛି । କାରଣ ନା’ଏଠି ମୋଦି ମ୍ୟାଜିକ୍ କାମ କରିଛି ନା’ ନବୀନଙ୍କ ଲୋକପ୍ରିୟତା କଂଗ୍ରେସ ଲୋକସଭା ପ୍ରାର୍ଥୀଙ୍କ ବାଟ ଓଗାଳି ପାରିଛି । ଆଉ ୨୧ଟି ଲୋକସଭା ଆସନରେ ଏକମାତ୍ର କଂଗ୍ରେସ ସାଂସଦ ପ୍ରାର୍ଥୀ ଭାବରେ ନିର୍ବାଚିତ ହୋଇଛନ୍ତି ସପ୍ତଗିରି ଉଲାକା ।