ଝାରସୁଗଡାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ମଂଚରେ ବସିଲେ ସୁରେଶ ପୂଜାରୀ : ସରକାରୀ ଯୋଜନାର କଲେ ପ୍ରଶଂସା

ସ୍ୱାସ୍ଥ୍ୟ ଭିତ୍ତିଭୂମିର ସୁଧାର ପାଇଁ ଦେଲେ ପରାମର୍ଶ; ବରଗଡ କାର୍ଯ୍ୟକ୍ରମରେ ସାମିଲ ହୋଇନଥିଲେ ସାଂସଦ

569

କନକ ବ୍ୟୁରୋ : ଝାରସୁଗୁଡ଼ାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ମଂଚରେ ବରଗଡ଼ ସାଂସଦ ସୁରେଶ ପୂଜାରୀ । ଆଜି ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଂଟନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ବିଜେପି ସାଂସଦ । ବଡ଼ କଥା ହେଉଛି ବରଗଡ଼ କାର୍ଯ୍ୟକ୍ରମକୁ ବୟକଟ୍ କରିଥିଲେ ସାଂସଦ । ମମିତା ମେହେର ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବି କରି ବିଜେପି ଚଳାଇଥିବା ଆନ୍ଦୋଳନ ପରିପ୍ରେକ୍ଷିରେ ସାଂସଦ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି ।

ହେଲେ ଆଜି ଝାରସୁଗୁଡ଼ା କାର୍ଯ୍ୟକ୍ରମରେ ଯୋଗଦେଇ ସାଂସଦ ରାଜ୍ୟ ସରକାରଙ୍କ ଯୋଜନାକୁ ପ୍ରଶଂସା କରିଛନ୍ତି । ଯଦିଓ ଝାରସୁଗୁଡ଼ାରେ ହେବାକୁ ଥିବା କ୍ୟାନସର ହସ୍ପିଟାଲ ପାଇଁ ଏମ୍ସ କିମ୍ବା ଟାଟା ଗ୍ରୁପ୍ ଠାରୁ ବୈଷୟିକ ସହାୟତା ନେବାକୁ ପରାମର୍ଶ ଦେଇଛନ୍ତି । ସେହିପରି ସ୍ୱାସ୍ଥ୍ୟ ରାଜ୍ୟ ବିଷୟ ହୋଇଥିବା ବେଳେ ଏହାକୁ କିପରି କନକରେଣ୍ଟ ଲିଷ୍ଟରେ ରଖି ହେବ ସେଥିପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି । ଆବଶ୍ୟକ ସମ୍ବିଧାନ ସଂଶୋଧନ ହୋଇପାରିଲେ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ର ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଷୟ ହେଲେ ସ୍ୱାସ୍ଥ୍ୟ ଭିତିଭୂମି ଅଧିକ ସୁଦୃଢ ହୋଇପାରିବ ବୋଲି କହିଛନ୍ତି ସାଂସଦ ସୁରେଶ ପୂଜାରୀ ।