ଗ୍ଲୋବାଲ୍ ଟେଣ୍ଡର ଜରିଆରେ ୩ କୋଟି ୮୦ ଲକ୍ଷ ଭ୍ୟାକ୍ସିନ୍ କିଣିବ ଓଡିଶା । ପ୍ରେସମିଟ୍ କରି ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ।

249

କନକ ବ୍ୟୁରୋ: ରାଜ୍ୟରେ ଖୁବଶୀଘ୍ର ଦୂର ହେବ ଟିକା ଅଭାବ । କାହିଁକି ନା ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା ସାହାଯ୍ୟରେ ବିଶ୍ୱ ବଜାରରୁ ୩ କୋଟି ୮୦ ଲକ୍ଷ ଭ୍ୟାକ୍ସିନ୍ କିଣିବ ଓଡିଶା । ଏଥିପାଇଁ ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା ଆହ୍ୱାନ କରାଯାଇଥିବାବେଳେ ଆସନ୍ତା ୨୮ ତାରିଖ ପରେ ରାଜ୍ୟ ସରକାର ଭ୍ୟାକ୍ସିନ କିଣିବେ ବୋଲି ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

ଅନ୍ୟପଟେ ଆସନ୍ତା ୪ ମାସ ଭିତରେ ନିର୍ଦ୍ଧିଷ୍ଟ କମ୍ପାନୀ ଓଡିଶାକୁ ଏହି ଟିକା ଯୋଗାଇବ । ଏହି ଟେଣ୍ଡର ପ୍ରକ୍ରିୟାରେ ବିଶ୍ୱର ଯେକୌଣସି କୋଣରୁ କୌଣସି କମ୍ପାନି ଯୋଗ ଦେଇପାରିବେ ବୋଲି କୁହାଯାଇଛି । ଏନେଇ ଗତ କ୍ୟାବିନେଟ୍ ବୈଠକରେ ପ୍ରସ୍ତାବ ପାରିତ ହୋଇଥିଲା । ଅନ୍ୟପଟେ ମୁଖ୍ୟ ଶାସନ ସଚିବଙ୍କ କହିବା ମୁତାବକ, ଲକଡାଉନ୍ କାରଣରୁ ରାଜ୍ୟର କିଛି ଜିଲ୍ଲାରେ ପଜିଟିଭିଟି ରେଟ୍ ସ୍ଥିର ଏବଂ ଅନ୍ୟ କେତେକ ଜିଲ୍ଲାରେ ସଂକ୍ରମଣ କମିବାରେ ଲାଗିଛି । ତେଣୁ ଆମେ ଯଦି ଆଉ ୧୦ରୁ ୧୫ ଦିନ କୋଭିଡ୍ ନିୟମ କଡାକଡି ଭାବେ ପାଳନ କରିବା ତେବେ ଆମେ ସଂକ୍ରମଣକୁ ରୋକିବାରେ ସମର୍ଥ ହେବା । ଏହା ସହିତ ସମସ୍ତେ ପୂର୍ବଭଳି ମାସ୍କ ଓ ସାମାଜିକ ଦୂରତା ପାଳନ କରିବା ସହିତ ଭୂତାଣୁକୁ ମାତ୍ ଦିଅନ୍ତୁ ବୋଲି ସେ କହିଛନ୍ତି ।

ଲକଡାଉନ୍ କାରଣରୁ ପଶ୍ଚିମ ଓଡିଶାର ଜିଲ୍ଲା ଗୁଡିକରେ ସଂକ୍ରମଣ ସ୍ଥିର ଥିବାବେଳେ କିଛି ଜିଲ୍ଲାରେ ପଜିଟିଭିଟି ରେଟ୍ କମିବାରେ ଲାଗିଛି । ତେଣୁ ଲୋକମାନେ ଏବେ ସତର୍କ ହେବା ନିହାତି ଆବଶ୍ୟକ । ଅନ୍ୟପଟେ ପରିବା କିଣିବାକୁ ମାର୍କେଟରେ ଗହଳି ନକରି ଏକାଥରକେ ପରିବା କିଣି ଆଣିବାକୁ ସେ ପରାମର୍ଶ ଦେଇଛନ୍ତି । ସେହିପରି ଟିକାକରଣକୁ ନେଇ ମୁଖ୍ୟ ଶାସନ ସଚିବ ମଧ୍ୟ ପ୍ରେସମିଟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ।

ତା ସହିତ ଟିକାକରଣ ଓ କୋଭିଡ୍ ସମ୍ପର୍କରେ ରାଜ୍ୟ ସରକାର ଏକ ପରାମର୍ଶଦାତା କମିଟି ଗଠନ କରିଛନ୍ତି । ଏହି କମିଟିରେ ଥିବା ବିଶେଷଜ୍ଞ ଟିମ୍ ରାଜ୍ୟ ସରକାରଙ୍କୁ ଏ ସମ୍ପର୍କରେ ଅବଗତ କରିବା ସହିତ ପରାମର୍ଶ ଦେବ । ଆଗାମୀ ଦିନରେ ରାଜ୍ୟ ସରକାର କୋଭିଡକୁ କିପରି ମୁକାବିଲା କରିବେ ସେନେଇ ମଧ୍ୟ ଏହି ଟିମ୍ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବ ବୋଲି ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି ।