କନକ ବ୍ୟୁରୋ : ମୁଖ୍ୟ ଶାସନ ସଚିବ ପଦରୁ ଡିସେମ୍ବର ୩୧ରେ ଅସିତ ତ୍ରିପାଠୀ ଅବସର ନେଉଥିବା ବେଳେ ତାଙ୍କ ସ୍ଥାନ କିଏ ନେବ, ଏ ନେଇ ପାୱାର କରିଡରରେ କିଛି ଦିନ ଧରି ଜୋରଦାର ଚର୍ଚ୍ଚା ଚାଲିଥିଲା । ତେବେ ଏହି ଚର୍ଚ୍ଚାର ଅବସାନ ଘଟିଛି । ୧୯୮୬ ବ୍ୟାଚର ଆଇଏଏସ ଅଫିସର ତଥା ବର୍ତମାନର ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କୁ ନୂଆ ଶାସନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ୧୪ମାସ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହିବେ ସୁରେଶ ।
ଜଣେ ଦକ୍ଷ, ଅଭିଜ୍ଞ ଆଇଏଏସ ଅଧିକାରୀ ଭାବେ ଜଣାଶୁଣା ସୁରେଶ ମହାପାତ୍ର । ଶ୍ରୀମନ୍ଦିରର ସମସ୍ୟା ହେଉ କିମ୍ବା କୌଣସି ପ୍ରଶାସନିକ ସଂକଟ, ଅନେକ ସମୟରେ କ୍ରାଇସେସ୍ ମ୍ୟାନେଜର ଭାବେ ସେ ଦାୟିତ୍ୱ ତୁଲାଇ ଚର୍ଚ୍ଚାକୁ ଆସିଥାନ୍ତି । ଏହି ସବୁ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ ଗୁଡବୁକରେ ରହିଥିଲେ ସୁରେଶ ।
ଡିସେମ୍ବର ୩୧ରେ ଅବସର, ହେଲେ ଏହା ପୂର୍ବରୁ ଅସିତ ତ୍ରିପାଠୀଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ କରିଛନ୍ତି ରାଜ୍ୟ ସରକାର । ଓଡିଶା ପ୍ରଶାସନିକ ଇତିହାସରେ ସେ ପ୍ରଥମ ବ୍ୟକ୍ତି, ଯିଏ ଶାସନ ମୁଖ୍ୟ ପଦରୁ ସିଧାସଳଖ ଏକ ରାଜନୈତିକ ପଦବୀ ହୋଇ ରହି ଆସିଥିବା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି । ଏହା ସହ ତାଙ୍କୁ ମିଳିଛି; ପର୍ଯ୍ୟଟନ, କୃଷି ବ୍ୟବସାୟ, ଆଂଚଳିକ ବିକାଶ ଓ ଶିଳ୍ପ ବିଭାଗର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ଦାୟିତ୍ୱ ।
ସେପଟେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ୧୯୮୯ ବ୍ୟାଚର ବରିଷ୍ଠ ଆଇଏଏସ ତଥା ଏସଆରସି ପ୍ରଦୀପ ଜେନାଙ୍କୁ ମିଳିଛି ଉନ୍ନୟନ କମିଶନର ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । କରୋନା ମୁକାବିଲାରେ ଲକଡାଉନ, ସଟଡାଉନ, ଅନଲକ୍ ଠାରୁ ଆରମ୍ଭ କରି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇ ପ୍ରଶଂସା ଭାଜନ ହୋଇଥିଲେ ପ୍ରଦୀପ ଜେନା ।
ବରିଷ୍ଠତା ଦୃଷ୍ଟିରୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ଉନ୍ନୟନ କମିଶନର ଭାବେ ଦାୟତ୍ୱ ମିଳିବ ବୋଲି ଚର୍ଚ୍ଚା ହେଉଥିଲା । ତେବେ ପ୍ରଦୀପ ଜେନାଙ୍କୁ ଏହି ପଦବୀ ପାଇଁ ବାଛିଛନ୍ତି ମୁଖ୍ୟମନ୍ତ୍ରୀ ।