ଫିଲ୍ମ ପାଇଁ ମନ୍ତ୍ରୀ ପଦ ଛାଡିଦେବେ । ଚର୍ଚ୍ଚାରେ ବିଜେପି ସାଂସଦ ସୁରେଶ ଗୋପୀ ।

7,565

କନକ ବ୍ୟୁରୋ: କେରଳରୁ ପ୍ରଥମ ବିଜେପି ସାଂସଦ ସୁରେଶ ଗୋପୀ , ରବିବାର ମୋଦୀଙ୍କ ଶପଥ ପାଠ ଉତ୍ସବରେ ମନ୍ତ୍ରୀ ପଦର ଶପଥ ଗ୍ରହଣ କଲେ । ଏବେ ମନ୍ତ୍ରୀ ପଦ ଛାଡିବାକୁ କହୁଛନ୍ତି । ଶପଥ ଗ୍ରହଣ ପରେ ଏକ ଆଞ୍ଚଳିକ ଗଣମାଧ୍ୟମରେ କହିଛନ୍ତି, ସେ ମନ୍ତ୍ରୀ ପଦ ମାଗିନଥିଲେ । ତେଣୁ ଖୁବ ଶୀଘ୍ର ତାଙ୍କୁ ମନ୍ତ୍ରୀ ପଦରୁ ମୁକ୍ତି ମିଳିବ ବୋଲି ତାଙ୍କର ବିଶ୍ୱାସ ।

ମନ୍ତ୍ରୀ ପଦ କାହିଁକି ଛାଡିବେ ବୋଲି ପଚାରିବାରୁ ସୁରେଶ କହିଛନ୍ତି, ସେ ଫିଲ୍ମ ସାଇନ୍ କରିଛନ୍ତି, ଯାହାକୁ ସେ କୌଣସି ମତେ ପୂରଣ କରିବାକୁ ଚାହାଁନ୍ତି । ‘ ସେ ତ୍ରିଶୁରର ସାଂସଦ ଭାବେ ଲୋକଙ୍କ ସେବା କରିବାରେ ଖୁସି ପାଇବେ, ମନ୍ତ୍ରୀ ଭାବେ ନୁହେଁ । ସୁରେଶ ଗୋପୀ ତ୍ରିଶୁର ସଂସଦୀୟ କ୍ଷେତ୍ରରେ ବିଜୟୀ ହୋଇ ବିଜେପିର ପ୍ରଥମ ସାଂସଦ ଭାବେ ରେକର୍ଡ କରିଛନ୍ତି । ସୁରେଶ କମ୍ୟୁନିଷ୍ଟ ପାର୍ଟିର ପ୍ରାର୍ଥୀ ସୁନୀଲ କୁମାରଙ୍କୁ ୭୪ ହଜାର ୬୮୬ ଭୋଟରେ ପରାଜିତ କରି ସାଂସଦ ହୋଇଛନ୍ତି ।

ସୁରେଶ ଗୋପୀ କହିଛନ୍ତି, ‘ ମୋର ଉଦ୍ଦେଶ୍ୟ ସାଂସଦ ରୂପେ ଦାୟିତ୍ୱ ସମ୍ପାଦନ କରିବା । ମୁଁ କିଛି ମାଗିନି । ମୋର ମନ୍ତ୍ରୀ ପଦ ଆବଶ୍ୟକ ନାହିଁ ବୋଲି ମୁଁ ଆଗରୁ କିହିଛି । ମୋର ବିଶ୍ୱାସ ମୋତେ ଖୁବ ଶୀଘ୍ର ଏହି ପଦରୁ ମୁକ୍ତ କରିଦିଆଯିବ । କାରଣ ମୋତେ ରାଜିନୀତି ସହ କୌଣସି ମତେ ଫିଲ୍ମ କରିବାର ଅଛି’ ।