କ୍ୟାନସର ରୋଗରେ ଶଯ୍ୟାସାୟୀ ସୁରେନ୍ଦ୍ର ସାହୁ। ପରିବାର ଚଳାଉଛି ସପ୍ତମ ଶ୍ରେଣୀରେ ପଢ଼ୁଥିବା କୁନି ଝିଅ।

52

କନକ ବ୍ୟୁରୋ: କଅଁଳ ବୟସରେ ପରିବାରର ବୋଝ । ଖେଳକୁଦ ଓ ପାଠପଢ଼ା ବୟସରେ ପର ଘରେ ମୂଲ ଲାଗିବା ସହ ଜଙ୍ଗଲରୁ କାଠ ଆଣି ପରିବାର ଚଳଉଛି ସପ୍ତମ ଶ୍ରେଣୀରେ ପାଠପଢ଼ୁଥିବା କୁନି ଝିଅ ରିଙ୍କି । କାରଣ ବାପା ସୁରେନ୍ଦ୍ର ସାହୁଙ୍କୁ ଲିଭର କ୍ୟାନସର । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ କୁରୁମ ଆଦିବାସୀ ସାହିରେ ରୁହନ୍ତି ସୁରେନ୍ଦ୍ର । କ୍ୟାନସର ଭଳି ମାରାତ୍ମକ ରୋଗରେ ଆକ୍ରାନ୍ତ ହେବା ପରେ ଘରେ ଶଯ୍ୟାଶାୟୀ ଅବସ୍ଥାରେ ପଡ଼ିଛନ୍ତି ସୁରେନ୍ଦ୍ର । ସ୍ତ୍ରୀ ଆଉ ବଡ଼ ଝିଅ ମୂଲ ମଜୁରୀକୁ ନଗଲେ ଘରେ ଚୁଲି ଜଳୁନି । ଏଭଳି ସ୍ଥିତିରେ କେମିତି ହେବ ସୁରେନ୍ଦ୍ରଙ୍କ ଚିକିତ୍ସା ।

କୁନି କୁନି ପିଲା ୫ଜଣ ଏବଂ ସ୍ୱାମୀ-ସ୍ତ୍ରୀ ମିିଶି ୭ଜଣ ପରିବାର ସଦସ୍ୟ ଏବେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି । ଦାରିଦ୍ର୍ୟର ପଶାଘାତରେ ବାପାଙ୍କ ଚିକିତ୍ସା ତ ଦୂରର କଥା ନିଜ ପେଟକୁ ଆହାର ଯୋଗାଇବା ଏମାନଙ୍କ ପାଖରେ କଷ୍ଟସାଧ୍ୟ ହୋଇପଡ଼ିଛି । ରାସନକାର୍ଡ଼ରୁ ମିଳୁଥିବା ୧୦କିଲୋ ଚାଉଳ ସମୁଦ୍ରକୁ ଶଂଖେ ପାଲଟିଛି । ଏପଟେ ଭଙ୍ଗା ଦଦରା ଚାଳ ଛପର ଘରେ ଶୀତ, କାକରରେ ରହୁଛନ୍ତି ସୁରେନ୍ଦ୍ରଙ୍କ ପରିବାର । ତେଣୁ ପ୍ରଶାସନ କିମ୍ବା କୌଣସି ସହୃଦୟ ବ୍ୟକ୍ତି ସହାୟତା ଯୋଗାଇଦେବାକୁ ନିବେଦନ କରିଛନ୍ତି ସୁରେନ୍ଦ୍ରଙ୍କ ପରିବାର ।