ଓଡ଼ିଶା କରୁଛି କରୋନା ମୁକାବିଲା । ତାଲାବନ୍ଦ ସମୟରେ ଖାଦ୍ୟ ସାମଗ୍ରୀର ଅଭାବ ହେବାକୁ ଦେବୁନି । ସଂକ୍ରମଣରୁ ଦୂରେଇ ରହିବା ପାଇଁ ସପ୍ତାହକୁ ଦୁଇ ଥର ବଜାରକୁ ଯାଆନ୍ତୁ: ସୁରେନ୍ଦ୍ର କମାର

699

କନକ ବ୍ୟୁରୋ: ଓଡ଼ିଶା କରୁଛି କରୋନା ମୁକାବିଲା । ତାଲାବନ୍ଦ ସମୟରେ ରାଜ୍ୟର ସାଢ଼େ ୪ କୋଟି ଖାଉଟି କିଭଳି ଖାଦ୍ୟପଦାର୍ଥ ଲାଗି ଅସୁବିଧାରେ ପଡ଼ିବେ ନାହିଁ, ତାହା ରାଜ୍ୟ ସରକାର ଅନବରତ ଚିନ୍ତା କରୁଛନ୍ତି । ସେମାନଙ୍କୁ କିଭଳି ଖାଦ୍ୟ ସାମଗ୍ରୀ ଯୋଗାଇ ଦେବେ, ସେଥିପାଇଁ ଏକ ସ୍ୱତନ୍ତ୍ର ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । ଏହି କମିଟି ସାମଗ୍ରୀ ଯୋଗାଣର ପ୍ରତିଟି ଦିଗକୁ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିବା ସହ ବିଭିନ୍ନ  ସମସ୍ୟାର ସମାଧାନ କରୁଛନ୍ତି । ବଜାରରେ ଖାଦ୍ୟସାମଗ୍ରୀର ଅଭାବ ହେବ ନାହିଁ, ତେଣୁ ଲୋକେ ଖାଦ୍ୟ ସାମଗ୍ରୀ ପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ । ସପ୍ତାହରେ ବଜାରକୁ ଅତି ବେଶୀରେ ୨ ଥର ଯାଆନ୍ତୁ, ଏହା ଦ୍ବାରା ସଂକ୍ରମଣର ଆଶଙ୍କା କମ୍ ରହିବ ବୋଲି କହିଛନ୍ତି ଏହି ଉଚ୍ଚସ୍ତରୀୟ କମିଟିର ଅଧ୍ୟକ୍ଷ ତଥା ବରିଷ୍ଠ ଆଇଏଏସ୍ ଅଧିକାରୀ ସୁରେନ୍ଦ୍ର କୁମାର ।

ଖୁସୀର କଥା ୯୦ରୁ ୯୫  ପ୍ରତିଶତ ଲୋକ ଘର ଭିତରେ ହିଁ ରହୁଛନ୍ତି । ବାକି ୫ ପ୍ରତିଶତ ବାରମ୍ବାର ବଜାରକୁ ଆସୁଛନ୍ତି।  ଜାଣିରଖିବା ଉଚିତ ଯେ ଆମେ ଯେତେ ବେଶୀ ଥର ବଜାରକୁ ଯିବା ସେତେ ଅଧିକ ସଂକ୍ରମଣର ଶିକାର ହେବାର ଆଶଙ୍କା ରହିଛି । ସରକାରଙ୍କ ତରଫରୁ ମୁଁ ଆଶ୍ୱାସନା ଦେବାକୁ ଚାହୁଁଛି କି କେଉଁଠି ବି ଖାଉଟି ସାମଗ୍ରୀର ନିଅଣ୍ଟିଆ ପରିସ୍ଥିତି ହେବାକୁ ଦେବୁନି । ଖାଉଟି, ବ୍ୟବସାୟୀ, ମାଲବାହୀ ସଂଘ ଓ ପରିବହନ ସଂସ୍ଥାର ମାଲିକମାନେ ରାଜ୍ୟ ସରକାରଙ୍କୁ ସହଯୋଗ ଦେଉଛନ୍ତି । ଯେତେବେଳେ ଏକ ସଂକଟ ସମୟରେ ଅବତୀର୍ଣ୍ଣ ହୋଇଛି, ଏଭଳି ଦୁର୍ଦ୍ଦିନରେ ସେମାନେ ସରକାରଙ୍କୁ ସହଯୋଗ କରୁଛନ୍ତି । ସାଢ଼େ ୪କୋଟି ଖାଉଟିଙ୍କୁ କଷ୍ଟ ସମୟରେ ସହଯୋଗ କରୁଛନ୍ତି ବୋଲି କହିଛନ୍ତି ସୁରେନ୍ଦ୍ର କୁମାର ।

ଯେଉଁ ଦିନଠାରୁ ଆମ ରାଜ୍ୟରେ ଓ ଦେଶରେ ଲକଡାଉନ ଘୋଷଣା କରାଗଲା ସେହି ଦିନଠାରୁ ରାଜ୍ୟ ସରକାର ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିଥିଲେ । ଏଥିରେ ୭ ଜଣ ପଦସ୍ଥ ଅଧିକାରୀଙ୍କୁ ସାମିଲ କରାଯାଇଥିଲା । ଖାଦ୍ୟ ଯୋଗାଣ, ଗୃହ ଓ ନଗର ଉନ୍ନୟନ, ପରିବହନ ଆୟୋଗ, ବାଣିଜ୍ୟ ଆୟୁକ୍ତ, ପୁଲିସ, ପଂଚାୟତ ବିଭାଗର ଜଣେ ଲେଖାଏଁ ଉଚ୍ଚ ପଦସ୍ଥ ଅଧିକାରୀ ଏଥିରେ ସାମିଲ ଅଛନ୍ତି ।

ଏହି ଉଚ୍ଚସ୍ତରୀୟ କମିଟିର ଉଦ୍ଦେଶ୍ୟ ଥିଲା ରାଜ୍ୟର ସାଢ଼େ ୪ କୋଟି ଖାଉଟିଙ୍କୁ ସୁରକ୍ଷିତ ରଖିବା । ସେମାନଙ୍କୁ ସୂଚାରୁ ରୂପେ ଖାଦ୍ୟ ସାମଗ୍ରୀ ଓ ଅନ୍ୟ ଆବଶ୍ୟକ ସାମଗ୍ରୀ ପହଞ୍ଚାଇବା । ଖାଦ୍ୟ ଓ ଅନ୍ୟ ସାମଗ୍ରୀର ମୂଲ୍ୟାୟନ ସୂଚାରୁ ରୂପେ ପରିଚାଳନା କରିବା । ଯୋଗାଣ ଓ ପରିବହନକୁ ଦୃଷ୍ଟିରେ ରଖି କାର୍ଯ୍ୟପନ୍ଥାକୁ ଯୋଜନା କଲୁ । ମାଲବାହୀ ଗାଡ଼ି ଉପରେ କୌଣସି ପାସ ଯେଭଳି ଦରକାର ପଡ଼ିବ ନାହିଁ, ସେ ଦିଗରେ କାମ କରିଛୁ । ପ୍ରଥମ ୨ ଦିନ କିଛି ସମସ୍ୟା ଦେଖାଯାଇଥିଲା । ରାଜ୍ୟ ସୀମାରେ ଗାଡ଼ିଗୁଡ଼ିକ ଅଟକିଯିବାରୁ ଏହି ସମସ୍ୟା ଦେଖାଯାଇଥିଲା ବୋଲି ସେ କହିଛନ୍ତି ।

Comments are closed.