ନାରୀ ଶସକ୍ତିକରଣର ନିଆରା ବିନ୍ଧାଣୀ ସୁରେଖା । ହାଇସ୍ପିଡ୍ ଟ୍ରେନ୍ ଚଳାଇ ରଚିଲେ ଇତିହାସ ।

213

କନକ ବ୍ୟୁରୋ: ଦେଶରେ ପ୍ରଥମ ମହିଳା ଭାବେ ହାଇସ୍ପିଡ୍ ଟ୍ରେନ୍ ଚଳାଇଲେ । ଇତିହାସ ରଚିଲେ ସୁରେଖା । ଏସୀଆ ମହାଦେଶର ପ୍ରଥମ ଲୋକୋ ପାଇଲଟ୍ ଭାବେ ରେକର୍ଡ ସୃଷ୍ଟି କରିଥିବା ସୁରେଖା ଯାଦବ ଏବେ ପୁଣି ଚର୍ଚ୍ଚାରେ । ପ୍ରଥମ ମହିଳା ଭାବେ ସେମି ହାଇ ସ୍ପିଡ୍ ବନ୍ଦେ ଭାରତ ଟ୍ରେନ୍ ଚଳାଇ ପୁଣି ରଚିଛନ୍ତି ଇତିହାସ । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇବା ସହ ନାରୀ ଶକ୍ତିର ଭୂୟସୀ ପ୍ରଶଂସା କରିଛନ୍ତି ।

ଗୋଟିଏ ପରେ ଗୋଟିଏ ମାଇଲ ଖୁଣ୍ଟ ସ୍ଥାପନ କରିଚାଲିଛନ୍ତି ସୁରେଖା ଯାଦବ । ଦିନେ ଏସୀଆର ପ୍ରଥମ ଲୋକେ ପାଇଲଟ ଭାବେ ପ୍ରସିଦ୍ଧି ପାଇଥିବା ସୁରେଖା ଏବେ ଦେଶର ସର୍ବାଧିକ ବେଗରେ ଚାଲୁଥିବା ବନ୍ଦେ ଭାରତ ଟ୍ରେନ ଚଳାଇ ଇତିହାସ ରଚିଛନ୍ତି । ଦେଶର ଏହି ମହିୟସୀ ମହିଳାଙ୍କୁ ନେଇ ସମସ୍ତଙ୍କ ମୁହଁରେ ପ୍ରଶଂସା । କେନ୍ଦ୍ର ରେଲୱେ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ସୁରେଖା ପୁଣିଥରେ ଇତିହାସ ସୃଷ୍ଟି କରିଛନ୍ତି ।

ସୋମବାର ମୁମ୍ବାଇର ସୋଲାପୁର ଷ୍ଟେସନ ଓ ଛତ୍ରପତି ଶିବାଜୀ ମହାରାଜା ଟର୍ମିନସ୍ ମଧ୍ୟରେ ସେମି ହାଇ ସ୍ପିଡ୍ ବନ୍ଦେ ଭାରତ ଟ୍ରେନକୁ ବେଶ୍ ଭଲ ଭାବେ ଚଳାଇ ସୃଷ୍ଟି କରିଛନ୍ତି । ରେକର୍ଡ । ଏଥିପାଇଁ ଖୋଦ୍ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ୱିଟ୍ କରି ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ନାରୀ ଶକ୍ତି କ୍ଷେତ୍ରରେ ତାଙ୍କର ଅବଦାନକୁ ପ୍ରଶଂସା କରିଛନ୍ତି ।

ଏକ ଚାଷୀ ପରିବାରରୁ ଆସିଛନ୍ତି ସୁରେଖା । ବାପା ଚାଷ କରି ପରିବାର ପ୍ରତିପୋଷଣ କରୁଥିଲେ ବି ପାଠ ପ୍ରତି ତାଙ୍କର ସମ୍ମାନ ଥିଲା । ସବୁ ପିଲାଙ୍କୁ ପାଠ ପଢାଇ ସମାଜରେ ପ୍ରତିଷ୍ଠା କରିବା ତାଙ୍କର ସ୍ୱପ୍ନ ଥିଲା । ବାପାଙ୍କର ଏହି ସ୍ୱପ୍ନକୁ ପୂରଣ କରିଥିଲେ ସୁରେଖା ଓ ତାଙ୍କ ଅନ୍ୟ ଭାଇ ଭଉଣୀ । ଦ୍ୱାଦଶ ପରେ ଡିପ୍ଲୋମା କଲେ ସୁରେଖା । ଏହାପରେ ୧୮୮୯ରେ ରେଲୱେର ଲୋକୋ ପାଇଲଟ୍ ପାଇଁ ପ୍ରକାଶ ପାଇଥିବା ବିଜ୍ଞାପନ ଦେଖି ଆବେଦନ କରିଥିଲେ ଏବଂ ଏଥିରେ ସଫଳ ମଧ୍ୟ ହେଲେ । ତାଙ୍କର ବିସ୍ତୃତ ଅଭିଜ୍ଞତା ତାଙ୍କୁ ଅନେକ ସମ୍ମାନ ଦେଇଛି । ୨୦୦୦ ମସିହା ଏପ୍ରିଲ ମାସରେ ତକ୍ରାଳୀନ ରେଳ ମନ୍ତ୍ରୀ ମମତା ବାନାର୍ଜୀ ପ୍ରଥମ ଥର ପାଇଁ ୪ ମହାନଗରକୁ ସ୍ପେଶାଲ ମହିଳା ଟ୍ରେନ୍ ଚଳାଚଳ ଆରମ୍ଭ କରିଥିଲେ । ଏହାକୁ ମଧ୍ୟ ଚଳାଇଥିଲେ ସୁରେଖା । ଏହାପରେ ତାଙ୍କ କ୍ୟାରିଅରର ମହତ୍ୱପୂର୍ଣ୍ଣ ଘଟଣା ଘଟିଥିଲା ୨୦୧୧ ମାର୍ଚ୍ଚ ୮ ତାରିଖରେ, ଯେବେ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ଅବସରରେ ସୁରେଖା ‘ଡେକାନ୍ କ୍ୱିନ୍’ ନାମକ ଟ୍ରେନ୍ ଚଳାଇ ଚର୍ଚ୍ଚାକୁ ଆସିଥିଲେ । ତାଙ୍କର ଏହି ଯାତ୍ରା ଆଜି ତାଙ୍କୁ କେବଳ ଦେଶରେ ନୁହେଁ ବରଂ ସମଗ୍ର ଏସୀଆ ମହାଦେଶରେ ପ୍ରଥମ ମହିଳା ଲୋକୋ ପାଇଲଟ୍ ।

ମାର୍ଚ୍ଚ ୧୩ ତାରିଖରେ ବନ୍ଦେ ଭାରତ ଏକ୍ସପ୍ରେସ୍ ସୋଲାପୁର ଷ୍ଟେସନ୍ ଛାଡି ସିଏସଏମଟିରେ ପହଞ୍ଚିବା ପରେ ସୁରେଖାଙ୍କୁ ସମ୍ମାନୀତ କରିବାକୁ ରେଲୱେ ବିଭାଗ କରିଥିଲା ଖାସ୍ ପ୍ରସ୍ତୁତି । ହାଇସ୍ପିଡ୍ ଟ୍ରେନକୁ ୪୫୦ କିଲୋମିଟର ଚଳାଇ ପ୍ଲାଟଫର୍ମରେ ପହଞ୍ଚିବେ ପରେ ସୁରେଖାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା ।

କେବଳ ଜଣେ ଲୋକୋ ପାଇଲଟ୍ ଭାବେ ନୁହେଁ ବରଂ ଅଭିନୟ କ୍ଷେତ୍ରରେ ମଧ୍ୟ ରହିଛି ସୁରେଖାଙ୍କ ଅଭିଜ୍ଞତା । ଏଥିପାଇଁ ମଧ୍ୟ ତାଙ୍କୁ ସମ୍ମାନୀତ କରାଯାଇଛି । ତେବେ ଆଜି ଦେଶରେ ହାଇସ୍ପିଡ୍ ଟ୍ରେନ୍ ଚଳାଇ ନାରୀସମାଜକୁ ଦେଇଛନ୍ତି ବାର୍ତ୍ତା । କହିଛନ୍ତି ‘ ଯଦି ସୁରେଖା ସଶକ୍ତ ହୋଇପାରେ ତାହେଲେ ଦେଶର ପ୍ରତିଟି ନାରୀ ହୋଇପାରିବ ସଶକ୍ତ, ।