ଚିନ୍ତା ବଢାଉଛନ୍ତି ସୁରତ ଫେରନ୍ତା: ଭଂଜନଗର ଅଂଚଳରେ ପ୍ରବାସୀ ଶ୍ରମିକଙ୍କ ସଙ୍ଗରୋଧ ନିୟମର ଉଲ୍ଲଂଘନ ଅଭିଯୋଗ; ସ୍ଥାନୀୟ ଅଂଚଳରେ କରୋନା ଆତଙ୍କ

ସେପଟେ ଗଂଜାମରେ ୭୧ଜଣ ଆକ୍ରାନ୍ତ ମଧ୍ୟରୁ ୭୦ ଜଣ ସୁରତ ଫେରନ୍ତା

459

କନକ ବ୍ୟୁରୋ: ସୁରାଟରୁ ଫେରିଛନ୍ତି ଭଂଜନଗର ଉପଖଣ୍ଡକୁ ହଜାର ହଜାର ଶ୍ରମିକ । ୨୮୮ ବସରେ ଆସିଛନ୍ତି ୧୬ ହଜାର ୨୩୬ ଶ୍ରମିକ । ଦିନରେ ଆସିଛନ୍ତି ତ କେତେବେଳେ ରାତିରେ ଆସିଛନ୍ତି । କେତେ ବସ ବିନା ପଂଜିକରଣରେ ଆସିଥିବା ମଧ୍ୟ ଜିଲ୍ଲା ପ୍ରଶାସନ ପାଖରେ ରିପୋର୍ଟ ଅଛି । ଏକା ଥରକେ ଶତାଧିକ ବସ ଆସି ଭଂଜନଗର ଅଂଚଳରେ ପହଁଚିବାରୁ ଜିଲ୍ଲା ପ୍ରଶାସନ ସେମାନଙ୍କ ପାଇଁ ସଂଗରୋଧ ଗୃହ ପ୍ରସ୍ତୁତ କରିପାରି ନଥିଲା । ଏଭଳି ସ୍ଥିତିରେ ୪ଦିନ ପୂର୍ବରୁ ରାତି ତିନିଟାରେ ଆସି ଦୁଇଟି ବସ ବେଲଗୁଂଠା ସହରରେ ପହଁଚିଥିଲା । ସେତେବେଳେକୁ କାହା ପାଖରେ ଖବର ନଥିବାରୁ ସେମାନଙ୍କୁ ସହର ବାହାରକୁ ଚାଲିଯିବା ପାଇଁ ସହରବାସୀ ଅନୁରୋଧ କରି୍ଥିଲେ ।

ସେମାନେ କଲେଜ ପିଂଲ୍ଡିରେ ଯାଇ ରହିଥିଲେ । ବ୍ଳକ୍ କାର୍ଯ୍ୟାଳୟ ଓ ମହାବିଦ୍ୟାଳୟ ନିକଟରେ ଥିବାରୁ ସେମାନଙ୍କ ପାଇଁ ନିକଟସ୍ଥ ଜିଟି ହାଇସ୍କୁଲରେ ରହିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ସେତେବେଳକୁ ପ୍ରବାସୀ ଓଡ଼ିଆମାନଙ୍କ ମଧ୍ୟରେ ହୋହଲ୍ଲା ଆରମ୍ଭ ହୋଇଯାଇଥିଲା । ଅନ୍ୟପଟେ ପ୍ରବାସୀ ଓଡିଆଙ୍କୁ ଭେଟିବାକୁ ସଙ୍ଗରୋଧ ଘର ନିକଟରେ ସଂପର୍କୀୟଙ୍କ ଭିଡ ଜମିଥିଲା । ଏହାସହ ସଙ୍ଗରୋଧରେ ରହୁଥିବା ବହୁ ଶ୍ରମିକ ଲୁଚିଛପି ନିଜ ପରିଚିତଙ୍କୁ ବାହାରେ ଭେଟୁଥିବା ଅଭିଯୋଗ ମଧ୍ୟ ହୋଇଛି । ଫଳରେ ଗୋଷ୍ଠୀ ସଂକ୍ରମଣର ଭୟ ସୃଷ୍ଟି ହୋଇଛି ।