ସୁରତରେ ଦୁଷ୍କର୍ମ ପୀଡିତା ଓଡିଶାର ହୋଇଥିବା ନେଇ ବଢିଲା ସନ୍ଦେହ । ଡିଜିି କହିଲେ, ଯୋଗାଯୋଗ କରି ତଥ୍ୟ ଦେଇଛି ଗୁଜରାଟ ପୁଲିସ୍

57

କନକ ବ୍ୟୁରୋ: ସୁରତରେ ଦୁଷ୍କର୍ମ ପୀଡିତା ଓଡିଶାର ହୋଇଥିବା ନେଇ ବଢିଲା ସନ୍ଦେହ । ଗୋଟିଏ ପଟେ ମୃତଦେହ ମିଳିବାର ୧୦ଦିନ ପରେ ବି ପୀଡିତାଙ୍କ ଚିହ୍ନଟ କରିପାରିନାହିଁ ଗୁଜରାଟ ପୋଲିସ । ଅନ୍ୟପଟେ ପୀଡିତାଙ୍କ ବାବଦରେ ତଥ୍ୟ ସଂଗ୍ରହ କରିବାକୁ ଓଡିଶା ପୋଲିସ ଡିଜିଙ୍କ ସହ ଯୋଗାଯୋଗ କରିଥିବା ସୂଚନା ଦେଇଛନ୍ତି ଗୁଜରାଟ ଗୃହମନ୍ତ୍ରୀ । ତେଣୁ ଏଭଳି ସନ୍ଦେହ ଦାନା ବାନ୍ଧିଛି । ଏପଟେ ନୀଳଗିରିରେ ୪ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ମାମଲା ବିଧାନସଭାରେ ଉଠିଛି । ପ୍ରଶ୍ନକାଳକୁ ବାତିଲ କରି ମହିଳା ବିରୋଧୀ ହିଂସା ପ୍ରସଙ୍ଗରେ ଚର୍ଚ୍ଚା ଦାବିରେ ହଙ୍ଗାମା କରିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି ବିଧାୟକ ।

ଯେଉଁ ସୁରତ ଦୁଷ୍କର୍ମ ଘଟଣାକୁ ନେଇ ସାରାଦେଶରେ ଚର୍ଚ୍ଚା ସୃଷ୍ଟି ହୋଇଛି ଏବଂ ମାନବିକତାର ସବୁ ସୀମାକୁ ଭୁଲିଯାଇ ଅତି ନିର୍ମମ ଭାବରେ ବଳାତ୍କାର କରି ହତ୍ୟା କରାଯାଇଛି, ସେହି ଅସହାୟ ଝିଅଟି ଓଡିଶାର ହୋଇଥିବା ନେଇ ସନ୍ଦେହ ବଢିଛି । ପୀଡିତା ଗୁଜରାଟର ହୋଇନଥିବା ଅନୁମାନ କରି ଅନ୍ୟ ରାଜ୍ୟଗୁଡିକ ସହ ଯୋଗାଯୋଗ ଆରମ୍ଭ ହୋଇଛି । ମହାରାଷ୍ଟ୍ର, ରାଜସ୍ଥାନ ସହ ପଶ୍ଚିମବଙ୍ଗ ଏବଂ ଓଡିଶା ପୋଲିସ ସହିତ ଯୋଗାଯୋଗ କରିଛି ଗୁଜରାଟ ପୋଲିସ । ଯାହାକୁ ସ୍ପଷ୍ଟ କରିଛନ୍ତି ପୋଲିସ ଡିଜି ଡକ୍ଟର ରାଜେନ୍ଦ୍ର ପ୍ରସାଦ ଶର୍ମା ।

ସୁରତ ପାଣ୍ଡେସରାରେ ଗତ ଏପ୍ରିଲ ୬ ତାରିଖରେ ରାସ୍ତାକଡରୁ ମିଳିଥିବା ୯ରୁ ୧୩ ବର୍ଷର ନାବାଳିକାଙ୍କ ଦୁଷ୍କର୍ମକାରୀଙ୍କୁ ଧରିବା ତ ଦୂରର କଥା । ତାଙ୍କ ପରିଚୟ ମଧ୍ୟ ପାଇପାରି ନାହିଁ ଗୁଜରାଟ ପୋଲିସ । ଯେଉଁଥିପାଇଁ ୧୨ ହଜାର ପୋଷ୍ଟର ମରାଯାଇଛି । ସେହିପରି ପାଖାପାଖି ୮ହଜାର ନିଖୋଜ ମାମଲାକୁ ନେଇ ଛାନଭିନ ଆରମ୍ଭ କରିଛି ଗୁଜରାଟ ପୋଲିସ ।

ପୀଡିତାଙ୍କ ସଂପର୍କରେ ସୂଚନା

– ଦୁଷ୍କର୍ମ ପୀଡିତାଙ୍କ ବୟସ ୯ରୁ ୧୩ ବର୍ଷ

– ପୀଡିତାଙ୍କ ଉଚ୍ଚତା ପାଖାପାଖି ୪ ଫୁଟ୍

– ତାଙ୍କ ରଙ୍ଗ ଗୋରା ଓ ପତଳା ଶରୀର

– ନୀଳ ରଙ୍ଗର ସାର୍ଟ ଓ ହାଲୁକା ନୀଳ ଲେଗିଙ୍ଗସ ପିନ୍ଧିଥିଲେ

ଏଠାରେ ଆମେ କହି ରଖୁଛୁ କି, ଗୁଜରାଟର ସୁରତରେ ଅଧିକାଂଶ ଓଡିଆ ବସବାସ କରିଥାନ୍ତି । ବିଶେଷ କରି ପାଣ୍ଡେସରାର ଭେସ୍ଥାନ, ଯେଉଁଠାରୁ ପୀଡିତାଙ୍କ ମୃତଦେହ ମିଳିଥିଲା ସେଠାରେ ମଧ୍ୟ ଓଡିଆ ଭାଷାଭାଷି ଲୋକ ରୁହନ୍ତି । ତେଣୁ ଦୁଷ୍କର୍ମ ପୀଡିତା ଜଣକ ଓଡିଆ ହୋଇଥିବା ନେଇ ସନ୍ଦେହ ବଢିବାରେ ଲାଗିଛି ।

ଏପଟେ ନୀଳଗିରିରେ ଜଣେ ୪ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ପ୍ରସଙ୍ଗରେ ହୁଲସ୍ତୁଲ ହୋଇଛି ବିଧାନସଭା । ଧର୍ଷଣ ଅଭିଯୁକ୍ତ ନୀଳଗିରି ବିଧାୟକଙ୍କ ପୁତୁରା ବୋଲି ବିଜେପି ଅଭିଯୋଗ କରିଛି । ସୋର ଓ ନୀଳଗିରିରେ ନାବାଳିକାଙ୍କୁ ଦୁଷ୍କର୍ମ ପ୍ରସଙ୍ଗରେ ପ୍ରଶ୍ନକାଳ ବାତିଲ କରି ଗୃହରେ ଆଲୋଚନା ଦାବିରେ ହଙ୍ଗାମା କରିଛନ୍ତି କଂଗ୍ରେସ ସଦସ୍ୟ ।