ଏଭଳି କାମ କଲେ ସୁରତର ବ୍ୟବସାୟୀ, ଆଦାନୀ ଅମ୍ବାନୀ ବି ପଡିଯିବେ ଫିକା

192

କନକ ବ୍ୟୁରୋ : ଦେଶର ବ୍ୟବସାୟୀ ମାନଙ୍କର ଗୋଟିଏ ଲକ୍ଷ୍ୟ ଧନୀ ତାଲିକାରେ ନିଜର ନାମ ଦାଖଲ କରିବା । ଏହାସହ କୌଣସି ପ୍ରକାର କଳାବଜାରୀ କରି ବା ସାମଗ୍ରୀର ଦାମ ବୃଦ୍ଧି କରି ଲୋକଙ୍କ ଠାରୁ ଲୁଟ କରିବା । ଏଭଳି ସ୍ଥଳେ ବ୍ୟତିକ୍ରମ ସାଜିଛନ୍ତି ସୁରତର ଜଣେ ବ୍ୟବସାୟୀ ।

ଗୁଜୁରାଟ ସୁରତର ବ୍ୟବସାୟୀ ମହେଶ ସବାଣୀ ଏବେ ଅନାଥ ପିଲାଙ୍କ ପାଇଁ ଭଗବାନ ସାଜିଛନ୍ତି । ସେ ପ୍ରତିବର୍ଷ ଅନାଥ ପିଲାମାନଙ୍କର ବାହାଘର କରାଇ ଚର୍ଚ୍ଚାରେ ଥାନ୍ତି । ଚଳିତ ବର୍ଷ ତାଙ୍କ ଦ୍ୱାରା ଆୟୋଜିତ ସାମୁହିକ ବିବାହରେ ୩୦୦ ଅନାଥ କନ୍ୟାଙ୍କ ସବାରୀ ଉଠିଛି । ସବୁଠାରୁ ବଡକଥା କି ଏହି ଅନାଥ କନ୍ୟାମାନେ ଗୋଟିଏ ଧର୍ମର ନଥିଲେ । ସେମାନଙ୍କ ଭିତରେ ହିନ୍ଦୁ, ମୁସଲିମ, ଶୀଖ ଓ ଇସାଇ ଧର୍ମର ଅନାଥ କନ୍ୟାମାନେ ବି ଥିଲେ । ଶନିବାର ଦିନ ଅନେକ କନ୍ୟାଙ୍କର ବାହାଘର ହୋଇସାରିଥିବା ବେଳେ ରବିବାର ବି ପୁଣି ଏକ ସାମୁହିକ ବିବାହର ଆୟୋଜନ କରିଛନ୍ତି ମହେଶ ।

ଜାତୀୟ ଗଣମାଧ୍ୟମ ଏଏନଆଇର ରିପୋର୍ଟ ମୁତାବକ ଏହି ସାମୁହିକ ବିବାହ ପୂର୍ବରୁ ମେହେନ୍ଦୀ ପର୍ବର ଆୟୋଜନ କରାଯାଇଥିଲା । ଏହି ମେହେନ୍ଦୀ ପର୍ବରେ ୧ ହଜାରରୁ ଅଧିକ ମହିଳା ବିବାହ କରିବାକୁ ଯାଉଥିବା କନ୍ୟାମାନଙ୍କୁ ମେହେନ୍ଦୀରେ ସଜାଇ ଦେଇଥିଲେ । କହିରଖୁ କି ଏହି ବ୍ୟବସାୟୀ ଜଣଙ୍କ ପ୍ରତିବର୍ଷ ଅନାଥ କନ୍ୟାମାନଙ୍କର ବାହାଘର କରାଇଥାନ୍ତି ।

ବିଭିନ୍ନ ବ୍ୟବସାୟ ସହିତ ଜଡି ମହେଶ ମେବାଣୀ ଗତ ୧୦ ବର୍ଷ ହେବ ପିତାଙ୍କ ଛତ୍ରଛାୟାରୁ ବଞ୍ଚିତ କନ୍ୟାମାନଙ୍କୁ ଆପଣାଇ ସେମାନଙ୍କର ବାହାଘର କରାଉଛନ୍ତି । ଏନେଇ ସେ ପ୍ରତିବର୍ଷ ଅନାଥ କନ୍ୟାମାନଙ୍କୁ ସନ୍ଧାନ କରି ସେମାନଙ୍କର ତାଲିକା ପ୍ରସ୍ତୁତ କରିଥାନ୍ତି   । ୨୦୦/୩୦୦ କନ୍ୟା ଯୋଗାଡ ହୋଇସାରିବା ପରେ ମେବାଣୀ ସେମାନଙ୍କ ପାଇଁ ବର ଖୋଜିଥାନ୍ତି । ଏହାପରେ ସମସ୍ତ ପ୍ରସ୍ତୁତ ହୋଇସାରିଲେ ସେମାନଙ୍କୁ ଗୋଟିଏ ବେଦୀରେ ସାମୁହିକ ବିବାହ କରାଇଥାନ୍ତି ।