ସୁରଟ ଅଗ୍ନିକାଣ୍ଡର ପୋଷ୍ଟମର୍ଟମ : କୋଚିଂ ସେଂଟର ମ୍ୟାନେଜରଙ୍କୁ ଅଟକ ରଖିଲା କ୍ରାଇମବ୍ରାଂଚ । ଅଗ୍ନିକାଣ୍ଡରେ ଗଲାଣି ୨୦ ଜଣଙ୍କ ଜୀବନ

200

କନକ ବ୍ୟୁରୋ : ଗୁଜରାଟ ସୁରଟର ଏକ କୋଚିଂ ସେଂଟରରେ ଭୟାବହ ଅଗ୍ନିକାଣ୍ଡରେ ୨୦ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୧୬ଜଣ ଯୁବତୀ ଥିବା ଜଣାପଡିଛି । କ୍ରାଇମବ୍ରାଂଚ କୋଚିଂ ସେଂଟରର ମ୍ୟାନେଜରଙ୍କୁ ଅଟକ ରଖିଛି । ସୁରଟର ତକ୍ଷଶୀଳା ବିଲଣ୍ଡିଂର ଦ୍ୱିତୀୟ ମହଲାରେ ଏକ କୋଚିଂ ସେଂଟର ଚାଲୁଥିବାବେଳେ ସେହି ମହଲାରେ ନିଆଁ ଲାଗିଯାଇଥିଲା । ତେଣୁ ଉପର ମହଲାରେ ଥିବା ଲୋକମାନେ ତଳକୁ ଆସିବାକୁ କୌଣସି ବାଟ ପାଇନଥିଲେ । ଫଳରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀଙ୍କ ସହ କୋଚିଂ ସେଂଟରରେ ଥିବା ଲୋକ ଫସି ଯାଇଥିଲେ । ତେଣୁ ଜୀବନ ବଂଚାଇବା ପାଇଁ ୪ମହଲା କୋଠା ଉପରୁ ଲୋକେ ତଳକୁ ଡେଇଁଥିଲେ । ତେବେ ଲୋକଙ୍କୁ ବଂଚାଇବା ପାଇଁ ସ୍ଥାନୀୟ ଲୋକ ଚେଷ୍ଟା ଜାରି ରଖିଥିଲେ ମଧ୍ୟ କିଛି ଫଳପ୍ରଦ ହୋଇନଥିଲା । ଯାହାଦ୍ୱାରା ଏତେ ଲୋକଙ୍କର ପ୍ରାଣହାନି ହୋଇଛି ।

ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଛି । କିନ୍ତୁ ନିଆଁ ଲିଭାଇବା ପାଇଁ ବିଳମ୍ବ ହେବାରୁ ଏତେ ସଂଖ୍ୟାରେ ମୃତ୍ୟୁ ହୋଇଛି । ଏହି ସଂଖ୍ୟା ମଧ୍ୟ ଆହୁରି ବଢ଼ିବାର ସମ୍ଭାବନା ରହିଛି । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ । ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି । ଏହା ସହ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ମଧ୍ୟ ଦୁଃଖ ପ୍ରକାଶ କରିବା ସହ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମୃତକ ପରିବାରକୁ ୪ଲକ୍ଷ ଟଙ୍କାର ସହାୟତା ଦେବାକୁ ଘୋଷଣା କରିଛନ୍ତି ଗୁଜୁରାଟ ସରକାର ।