କନକ ବ୍ୟୁରୋ : ମାନହାନୀ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବଡ ଝଟକା । ସୁରଟ ସେସନ୍ସ କୋର୍ଟରୁ ରାହୁଲଙ୍କୁ ମିିଳିଲାନି ଆଶ୍ୱସ୍ତି । ମାନହାନି ମାମଲାରେ ରାହୁଲ କରିଥିବା ଆବେଦନକୁ ଖାରଜ କଲେ ସୁରଟ ସେସନ୍ସ କୋର୍ଟ । ମୋଦୀ ସାଙ୍ଗିଆ ବାବଦରେ ରାହୁଲ ଦେଇଥିବା ବୟାନକୁ ନେଇ ତଳ କୋର୍ଟ ରାହୁଲଙ୍କୁ ୨ ବର୍ଷ ଦଣ୍ଡାଦେଶ ଦେଇଥିଲେ । ଯାହାଫଳରେ ରାହୁଲଙ୍କ ସାଂସଦ ପଦ ରଦ୍ଦ ହୋଇଥିଲା । ତେଣୁ ରାହୁଲ ତଳ କୋର୍ଟ ଦେଇଥିବା ରାୟ ଉପରେ ରୋକ ଲଗାଇବାକୁ ସୁରଟ ସେସନ୍ସ କୋର୍ଟରେ ଆବେଦନ କରିଥିଲେ ।ଯାହାକୁ ଖାରଜ କରିଛନ୍ତି କୋର୍ଟ । ତେବେ ଏହି ମାମଲାରେ କଂଗ୍ରେସ ହାଇକୋର୍ଟରେ ଆବେଦନ କରିବ ବୋଲି ଜଣାପଡିଛି ।

Advertisment

ମୋଦୀ ସାଙ୍ଗିଆକୁ ନେଇ ରାହୁଲ ଦେଇଥିବା ବୟାନର ଶୁଣାଣି କରି ଗତ ମାର୍ଚ୍ଚ ୨୩ରେ ସୁରଟର ତଳ କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷର ଦଣ୍ଡାଦେଶ ଦେଇଥିଲେ । ଯାହାଫଳରେ ରାହୁଲଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଥିଲା । ସୁରଟ ସେସନ୍ସ କୋର୍ଟରୁ ଆଶ୍ୱସ୍ତି ମିଳିବ ବୋଲି ରାହୁଳଙ୍କର ଆଶା ଥିଲା । କିନ୍ତୁ ରାୟ ରାହୁଲଙ୍କ ସପକ୍ଷରେ ନ ଆସିବା କାରଣରୁ ତାଙ୍କର ସାଂସଦ ପଦ ରଦ୍ଦ ନିଷ୍ପତ୍ତି ଏବେ ବି କାଏମ ରହିବ ।

ଗତ ୨୦୧୯ ନିର୍ବାଚନ ସମୟରେ ରାହୁଲ ଗାନ୍ଧୀ କର୍ଣ୍ଣାଟକର ଏକ ନିର୍ବାଚନୀ ସଭାରେ କହିଥିଲେ, ନୀରବ ମୋଦୀ, ଲଳିତ ମୋଦୀ, ନରେନ୍ଦ୍ର ମୋଦୀଙ୍କ ସରନେମ ସମାନ କାହିଁକି ? ସମସ୍ତ ଚୋରଙ୍କ ସରନେମ ମୋଦୀ କାହିଁକି ହୋଇଥାଏ? ରାହୁଲଙ୍କ ଏହି ବୟାନ ବିରୋଧରେ ବିଜେପି ବିଧାୟକ ପୂଣ୍ଣେଶ ମୋଦୀ ମାନହାନି ମୋକଦ୍ଦମା ରୁଜୁ କରିଥିଲେ । ମୋଦୀ ସମୁଦାୟକୁ ରାହୁଲ ବଦନାମ କରିଥିବା କହିଥିଲେ ପୂର୍ଣ୍ଣେଶ । ଯାହାର ଶୁଣାଣି କରି ରାହୁଲଙ୍କୁ ୨ ବର୍ଷର ଜେଲ ଦଣ୍ଡାଦେଶ ଦେଇଥିଲେ କୋର୍ଟ ।