କନକ ବ୍ୟୁରୋ: ବୁଧବାର ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଓ ଫାଇଭ-ଟି ସଚିବଙ୍କ ସହ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ଫଟୋ ଦେଖିଲା ପରେ ଆପଣଙ୍କ ମନରେ ଅନେକ ରାଜନୈତିକ ପ୍ରଶ୍ନ ଆସୁଥିବ । ପୁଅ ସିଦ୍ଧାର୍ଥ ରାଉତରାୟଙ୍କ ସହ ନବୀନ ଓ ପାଣ୍ଡିଆନଙ୍କୁ ସୁର ଭେଟିବା ପରେ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା ଦୁଇ ନେତାଙ୍କ ଭିତରେ କଣ ଆଲୋଚନା ହେଲା । କିନ୍ତୁ ଏହି ଭେଟଘାଟର ଦିନକ ପରେ ୨୦୨୪ରେ ସିଦ୍ଧାର୍ଥ ନିର୍ବାଚନ ମୈଦାନକୁ ଓହ୍ଲାଇବେ ବୋଲି କନକ ନ୍ୟୁଜକୁ କହି ଚର୍ଚ୍ଚାକୁ ବଢାଇଦେଇଛନ୍ତି । ତେବେ ସେ କେଉଁ ଆସନରୁ ଓ କେଉଁଦଳରୁ ପ୍ରାର୍ଥୀ ହେବେ ସେନେଇ କୌଣସି ସୂଚନା ଦେଇନାହାନ୍ତି । ଆଉ ଏହା ରାଜନୈତିକ ମହଲକୁ ଆଲୋଚନାର ଖୋରାକ ଯୋଗାଇଛି ।

Advertisment

ସୁରଙ୍କ ଦୁଇ ପୁଅଙ୍କ ମଧ୍ୟରୁ ସାନପୁଅ ମନ୍ମଥ ରାଉତରାୟ ରାଜନୀତିରେ ପ୍ରବେଶ କରିବା ସହ ଜଟଣୀ ନିର୍ବାଚନମଣ୍ଡଳୀରେ ସକ୍ରିୟ ରହିଛନ୍ତି । ଏବେ ସିଦ୍ଧାର୍ଥଙ୍କ ଅଚାନକ ରାଜନୀତି ମଇଦାନକୁ ଓହ୍ଲାଇବା କହିବା ଅନେକ କଥା ବୟାନ କରୁଛି । ଏପରିକି ସିଦ୍ଧାର୍ଥ ନିଜସ୍ତରରେ ଆସନ ଓ ଦଳକୁ ନେଇ ଏକ ସର୍ଭେ କରୁଥିବା ସୂଚନା ମିଳିଛି ।

ଆମେରିକାରେ ଏକ ବଡ ବ୍ୟବସାୟିକ ସଂସ୍ଥାର ଉଚ୍ଚ ପଦବୀରେ ଥିବା ସିଦ୍ଧାର୍ଥ ରାଉତରାୟ ବିଶ୍ୱରେ ଜଣେ ଭଲ ପର୍ବାତାରୋହୀ ଭାବେ ଜଣାଶୁଣା । ଏବେ ସେ ରାଜନୀତିକୁ ଓହ୍ଲାଇବା ପାଇଁ ସଙ୍କେତ ଦେବା ପରେ ତାଙ୍କର ଭବିଷ୍ୟତ ରଣନୀତି କଣ ହେବ ସେ ନେଇ ଆଲୋଚନା ଆରମ୍ଭ ହୋଇଛି । ସିଦ୍ଧାର୍ଥ କହିଛନ୍ତି, ଭଲ ଓ ଶିକ୍ଷିତ ଲୋକ ରାଜନୀତିକୁ ଆସିବା ଦରକାର । ସେ ନିଜ ବାପାଙ୍କ ଅର୍ଥ ଓ ପରିଚୟକୁ ନେଇ ନୁହେଁ , ବରଂ ନିଜ ଦମରେ ନିର୍ବାଚନ ଲଢିବେ ବୋଲି କହିଛନ୍ତି । ପୂର୍ବରୁ ନିଜ ନିର୍ବାଚନମଣ୍ଡଳୀ ଜଟଣୀରୁ ସାନପୁଅ ମନ୍ମଥ ରାଉତରାୟଙ୍କ ପାଇଁ ବାଟ ଛାଡିଦେଇଥିବା କହିଛନ୍ତି ସୁର ରାଉତରାୟ ।

ଜଟଣୀରୁ ୬-୬ ଥର ବିଧାୟକ ହୋଇ ଭୋଟରଙ୍କ ପ୍ରିୟଭାଜନ ହୋଇପାରିଛନ୍ତି ସୁର ରାଉତରାୟ । ତାଙ୍କ କହିବା ଅନୁସାରେ, ପୁଅ ମନ୍ମଥଙ୍କ ପାଇଁ ଜଟଣୀ ନିର୍ବାଚନମଣ୍ଡଳୀ ପକ୍କା ହୋଇସାରିଛି । ଆଉ ଏବେ ବଡ ପୁଅ ନବୀନଙ୍କୁ ଭେଟିବା ପରେ ରାଜନୀତିରେ ପ୍ରବେଶ କଥା କହିବା କେଉଁ ଦିଗକୁ ଇସାରା କରୁଛି ବୋଲି ଚର୍ଚ୍ଚା ହେଉଛି ।