କନକ ବ୍ୟୁରୋ : ବିଜେପିର ବାଚସ୍ପତି ପ୍ରାର୍ଥୀ ହେଲେ ରଣପୁର ବିଧାୟିକା ସୁରମା ପାଢୀ । ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି ସୁରମା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ୨ ଉପମୁଖ୍ୟମନ୍ତ୍ରୀ ଓ ବିଜେପିର ଅନ୍ୟ ବିଧାୟକଙ୍କ ଉପସ୍ଥିତିରେ ନାମାଙ୍କନପତ୍ର ଦାଖଲ କରିଛନ୍ତି ସୁରମା ପାଢୀ । ଆଜି ବାଚସ୍ପତି ପ୍ରାର୍ଥୀ ପାଇଁ ବିଜେପିର ବିଧାୟକ ଦଳ ବୈଠକ ବସିଥିଲା । କାହାକୁ ବାଚସ୍ପତି ପ୍ରାର୍ଥୀ କରାଯିବ ସେନେଇ ଦୀର୍ଘସମୟ ଧରି ମାନସମନ୍ଥନ ଚାଲିଥିଲା । ଏହି ବୈଠକରେ ସର୍ବସମ୍ମତି କ୍ରମେ ସୁରମା ପାଢୀଙ୍କ ନାଁରେ ମୋହର ବାଜିଛି । ବିଧାୟକ ଦଳ ବୈଠକ ପରେ ସୁରମା ପାଢୀଙ୍କ ନାଁ ଘୋଷଣା ହୋଇଛି । ବିଧାନସଭାରେ ବିଜେପିର ଆବଶ୍ୟକୀୟ ସଂଖ୍ୟା ଥିବାରୁ ସୁରମା ନିଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ଏକପ୍ରକାର ସ୍ପଷ୍ଟ ହୋଇଛି । ସେହିଭଳି ବିରୋଧୀ ଦଳ ପକ୍ଷରୁ ଏଯାଏଁ କାହାକୁ ବାଚସ୍ପତି ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଯାଇନାହିଁ ।

Advertisment

ରଣପୁରରୁ ବିଧାୟିକା ଥିବା ସୁରମା ପାଢୀ ଏହାପୂର୍ବରୁ ବିଜେଡି-ବିଜେପି ମେଣ୍ଟ ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ବିଧାନସଭା କେମିତି ପରିଚାଳନା ହୁଏ ସେନେଇ ସୁରମାଙ୍କର ଯଥେଷ୍ଟ ଅନୁଭବ ରହିଛି । ବରିଷ୍ଠତା ଓ ଅନୁଭବ ଦୃଷ୍ଟିରୁ ସୁରମାଙ୍କୁ ବାଚସ୍ପତି ପ୍ରାର୍ଥୀ କରିଛି ବିଜେପି । ଅନ୍ୟପଟେ ସୁରମାଙ୍କୁ ବାଚସ୍ପତି ପ୍ରାର୍ଥୀ କରି ମହିଳା କାର୍ଡ ଖେଳିଛି ବିଜେପି ।