ଅସୁସ୍ଥ ଜେଜେମା’ଙ୍କ ପାଇଁ ଔଷଧ ଆଣିବାକୁ ଯାଉଥିଲେ ଯୁବକ । ରାସ୍ତାରେ ଅଟକାଇଲେ ଜିଲ୍ଲାପାଳ, ଫୋନ ଭାଙ୍ଗିଦେଲେ, ଶକ୍ତ ଚାପୁଡା ମାରିଲେ । ଜିଲ୍ଲାପାଳ ପଦରୁ ବିଦା କରିଦେଲେ ବାଘେଲ ସରକାର ।

264

କନକ ବ୍ୟୁରୋ : କଲେକ୍ଟରଙ୍କ ଦବଙ୍ଗଗିରି । ସବୁ ସୀମା ଟପିଗଲା ଜିଲ୍ଲାପାଳଙ୍କ ଜୁଲମ୍ । ନିରୀହ ଲୋକଙ୍କୁ ମାଡ଼ ମାରିଲେ, ମୋବାଇଲ୍ ଭାଙ୍ଗିଦେଲେ । ଦବଙ୍ଗ ଡିଏମ୍ । ଯିଏ ଲୋକଙ୍କୁ ଲକଡାଉନର ପାଠ ପଢାଇବାକୁ ଯାଇ ନିଜ ମଣିଷପଣିଆକୁ ମାରିଦେଇଛନ୍ତି । ଜରୁରୀକାମରେ ବାହାରକୁ ବାହାରୁଥିବା ଲୋକଙ୍କୁ ବି ପ୍ରବଳ ପିଟୁଛନ୍ତି କଲେକ୍ଟର । ଆଉ ଜିଲ୍ଲାପାଳଙ୍କ ଜୁଲମର ସବୁ ସୀମା ସେତେବେଳେ ଟପିଯାଇଥିଲା, ଯେତେବେଳେ, ଟୀକା ନେବାକୁ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଅଟକାଇ, ତାଙ୍କ ମୋବାଇଲକୁ କଚାଡି କଚାଡି ଭାଙ୍ଗିଦେଇଥିଲେ ।

ଛତିଶଗଡ ସୁରଜପୁର ଜିଲ୍ଲାର ଜିଲ୍ଲାପାଳ ରଣବୀର ଶର୍ମାଙ୍କ ଅମାନବୀୟ କାଣ୍ଡର ଏକ ଭିଡିଓ ଏବେ ସୋସିଆସଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓରେ ଦେଖିବାକୁ ମିଳିଛି, ଜିଲ୍ଲାପାଳ ଜଣେ ଯୁବକଙ୍କ ମୋବାଇଲ ଭାଙ୍ଗୁଥିବା ବେଳେ ତାଙ୍କୁ ନିସ୍ତୁକ ମାଡ ମଧ୍ୟ ମାରୁଛନ୍ତି । ନିଜେ ମାରିବା ପରେ ମନ ଶାନ୍ତି ହେଲାନି ଯେ, ସେଠାରେ ଉପସ୍ଥିତ ଥିବା ପୋଲିସକୁ ବି ଯୁବକଙ୍କୁ ମାରିବାକୁ କହିଲେ ।

ତେବେ ସୁରଜପୁରରେ ମେ ୩୧ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଲାଗୁ କରାଯାଇଛି । ଆଉ ଲକଡାଉନ୍ କେମିତି ପାଳନ କରାଯାଉଛି, ତାର ତଦାରଖ କରିବା ପାଇଁ ଗତ ଶନିବାର ନିଜେ ରାସ୍ତାକୁ ବାହାରିଥିଲେ ଜିଲ୍ଲାପାଳ । କିନ୍ତୁ ଲୋକଙ୍କୁ ଲକଡାଉନର ପାଠ କଣ ପଢାଇବେ, ନିଜେ ମଣିଷପଣିଆ ଭୁଲିଗଲେ ଆଉ ଦାଦାଗିରି ଦେଖାଇଲେ । ଏପରିକି ଏହି ସମୟରେ ସେ ମହିଳାମାନଙ୍କ ସହ ମଧ୍ୟ ଅଭଦ୍ରାମି ବ୍ୟବହାର ପ୍ରଦର୍ଶନ କରିଥିଲେ । କିଛି ଲୋକଙ୍କୁ ରାସ୍ତା ଉପରେ ଉଠ ବସ୍ କରାଇଥିଲେ । ଆଉ ସବୁଠାରୁ ଲଜ୍ଜ୍ୟାଜନକ କଥା ହେଉଛି, ଜଣେ ନାବାଳକ ଛୋଟ ଛୁଆ, ନିଜ ଅସୁସ୍ଥ ବାପାଙ୍କ ପାଇଁ ମେଡିସିନ୍ ଆଣିବାକୁ ଯାଇଥିବା ବେଳେ, ଛୋଟ ପିଲାଟିକୁ ମଧ୍ୟ ନିସ୍ତୁକ ମାଡ ମରା କରାଇଥିଲେ କଲେକ୍ଟର । ଯେତେବେଳେ କି ପିଲାଟି ଔଷଧର ପ୍ରେସକ୍ରିପସନ୍ ମଧ୍ୟ ଦେଖାଇଥିଲା ।

କେବଳ ଏତିକି ନୁହେଁ, କଲେକ୍ଟର ବାବୁ ଏମିତି ରାଗିଯାଉଥିଲେ ଯେ, ଯେଉଁ ଲୋକ ବାହାରକୁ ବାହାରିବାର ଯଥାର୍ଥ କାରଣ ବି କହୁଥିଲେ, ତାଙ୍କୁ ମଧ୍ୟ ନିସ୍ତୁକ ମାଡ ମାରୁଥିଲେ ଜିଲ୍ଲାପାଳ । କଲେକ୍ଟରଙ୍କ ଏଭଳି ଅମାନବୀୟ କାର୍ଯ୍ୟାନୁଷ୍ଠାନରେ ଜଣେ ୧୩ ବର୍ଷର ଛୋଟ ପିଲା ସମେତ, ଅନେକ ଲୋକ ଆହତ ହୋଇଛନ୍ତି ।

ତେବେ ଏହିସବୁ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ନିଜେ ଜିଲ୍ଲାପାଳ, ଏକ ଭିଡିଓ ଜାରି କରି ସଫେଇ ଦେବା ସହ କ୍ଷମା ପ୍ରାର୍ଥନା କରିଛନ୍ତି । ତେବେ କଲେକ୍ଟରଙ୍କ ଏଭଳି କାର୍ଯ୍ୟରେ ଖପ୍ପା ହୋଇଥିଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ । ସୁରଜପୁର ଜିଲ୍ଲାପାଳ ପଦରୁ ତାଙ୍କୁ ହଟାଇ ଦିଆଯାଇଥିବା ବେଳେ, ଆଇଏଏସ ଗୌରବ କୁମାର ସିଂହଙ୍କୁ ସୁରଜପୂରର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ଦିଆଯାଇଛି । ଆଉ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଘଟଣା ଅତ୍ୟନ୍ତ ନିନ୍ଦନୀୟ, ଛତିଶଗଡରେ ଏଭଳି କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ । ଅନ୍ୟପକ୍ଷରେ ଆଇଏଏସ ସଂଘ ମଧ୍ୟ ଜିଲ୍ଲାପାଳଙ୍କ ଏଭଳି ଅମାନବୀୟ ଜୁଲମକୁ ନିନ୍ଦା କରିଛି ।