ଆ… କହିଲେ ପକ୍ଷୀ ଆସୁଛନ୍ତି, ହାତରେ ବସି ଦାନା ଖାଉଛନ୍ତି… ବାରିପଦାରୁ ଆସିଲା ପକ୍ଷୀ-ମଣିଷଙ୍କ ମନଲୋଭା ଚିତ୍ର

ସେ ଆ... କହି ଡାକି ଦେଲେ ତାଙ୍କ ଚାରିପଟେ ଘୁରି ବୁଲନ୍ତି ଶାନ୍ତିର ବିହଙ୍ଗ । ତାଙ୍କ ହାତରେ ବସନ୍ତି, ପାଦରେ ଚଢନ୍ତି ଆଉ ଛାତି ଉପରେ ଆଉଜି ହୋଇ ତାଙ୍କ ହାତରୁ ଟୁକ୍ ଟୁକ୍ କରି ଦାନା ଖାଆନ୍ତି । ପକ୍ଷୀ-ମଣିଷଙ୍କ ଏ ପ୍ରେମଭରା ଚିତ୍ର ଆସିଛି ବାରିପଦା ସହରରୁ । ଯାହା ମଣିଷ ସମାଜର ଜୀବେଦୟା ପ୍ରବୃତିକୁ ଜୀବନ୍ତ କରିଛି ।

239

କନକ ବ୍ୟୁରୋ: ଗୋଟିଏ ମଣିଷ, କୋଟିଏ ପକ୍ଷୀ । ପକ୍ଷୀ-ମଣିଷଙ୍କ ନିଆରା ପ୍ରୀତି । ସେ ହାଜର ହେଲେ ଆକାଶରୁ ଉଡି ଆସନ୍ତି ହଜାର ହଜାର ପକ୍ଷୀ । ସେ ଆ… କହି ଡାକି ଦେଲେ ତାଙ୍କ ଚାରିପଟେ ଘୁରି ବୁଲନ୍ତି ଶାନ୍ତିର ବିହଙ୍ଗ । ତାଙ୍କ ହାତରେ ବସନ୍ତି, ପାଦରେ ଚଢନ୍ତି ଆଉ ଛାତି ଉପରେ ଆଉଜି ହୋଇ ତାଙ୍କ ହାତରୁ ଟୁକ୍ ଟୁକ୍ କରି ଦାନା ଖାଆନ୍ତି । ପକ୍ଷୀ-ମଣିଷଙ୍କ ଏ ପ୍ରେମଭରା ଚିତ୍ର ଆସିଛି ବାରିପଦା ସହରରୁ । ଯାହା ମଣିଷ ସମାଜର ଜୀବେଦୟା ପ୍ରବୃତିକୁ ଜୀବନ୍ତ କରିଛି ।

ତେବେ ପକ୍ଷୀ ପ୍ରେମରେ ପଡିଥିବା ଏ ନିଆରା ମଣିଷ ଜଣଙ୍କ ହେଉଛନ୍ତି ବାରିପଦା ସହରର ସୁରଜ କୁମାର ରାଜ । ବୃତିରେ ସୁରଜ ହେଉଛନ୍ତି ଜଣେ ଟ୍ରାଫିକ୍ ପୋଲିସ । ପ୍ରତିଦିନ ରାସ୍ତା ଉପରେ ଠିଆ ହୋଇ ଯାନବାହନ ନିୟନ୍ତ୍ରଣ କରୁଛନ୍ତି । ତେବେ ନିଜ ଡ୍ୟୁଟି ସମୟରେ ରାସ୍ତାକଡରେ ବସୁଥିବା ପାରାଙ୍କ ଉପରେ ସୁରଜଙ୍କ ନଜର ପଡିଥିଲା ଆଉ ତାପରେ ସେ ପକ୍ଷୀଙ୍କ ପ୍ରେମରେ ପଡି ପ୍ରତିଦିନ ତାଙ୍କ ପେଟ କଥା ବୁଝୁଛନ୍ତି ।

ଦୀର୍ଘ ୨ ବର୍ଷ ହେବ ପାରାମାନଙ୍କୁ ଖାଦ୍ୟ ଦେଉଥିବା ସୁରଜ ନିଜ ଡ୍ୟୁଟି ସରିବା ପରେ ସବୁଦିନ ସେମାନଙ୍କ ସହ ସମୟ ବିତାନ୍ତି । ଆଉ ପରିବାର ଲୋକ ଭଳି ପାରାମାନଙ୍କୁ ନିଜ ହାତରେ ଖାଇବା ଦିଅନ୍ତି । ତେବେ ଟ୍ରାଫିକ ଡ୍ୟୁଟି ଭଳି ପକ୍ଷୀଙ୍କୁ ଖାଦ୍ୟ ଦେବା ବି ତାଙ୍କର ଗୋଟେ ଡ୍ୟୁଟି ବୋଲି ସୁରଜ କୁହନ୍ତି । ପାରାଙ୍କ ମେଳରେ ସେ ମାନସିକ ଶାନ୍ତି ପାଉଥିବା ବେଳେ ଯେଉଁଦିନ ସେ ଆସିପାରନ୍ତିନି ସେଦିନ ତାଙ୍କୁ ଭଲଲାଗେନି ବୋଲି କହିଛନ୍ତି ସୁରଜ ।

ତେବେ ସୁରଜଙ୍କ ଏ ନିଆରା ପ୍ରୀତି ପାଇଁ ବାରିପଦାରେ ସେ ପକ୍ଷୀମଣିଷ ଭାବେ ପରିଚିତ । ସୁରଜଙ୍କ ଏପରି ଗୁଣକୁ ସାରା ସହରରେ ପ୍ରଶଂସା କରିବା ସହ ତାଙ୍କ ସହକର୍ମୀମାନେ ମଧ୍ୟ ବେଶ ପସନ୍ଦ କରିଛନ୍ତି । ଆଉ ସୁରଜଙ୍କ ଏ କାହାଣୀ ପଶୁପକ୍ଷୀଙ୍କ ଉପରେ ନିଷ୍ଠୁରତା ଦେଖାଉଥିବା ମଣିଷମାନଙ୍କ ପାଇଁ ଏକ ବଡ ଶିକ୍ଷା ।