ଠକ ଠିକା ସଂସ୍ଥାକୁ ପାନେ ଦେଲେ ସରକାର ! କଳାତାଲିକା ଭୁକ୍ତ ହେଲା ସୁରଜ ଏଣ୍ଟରପ୍ରାଇର୍ଜସ

56

କନକ ବ୍ୟୁରୋ : କଳା ତାଲିକା ଭୁକ୍ତ ହେଲା ଠକ ଠିକା ସଂସ୍ଥା ସୁରଜ ଏଣ୍ଟରପ୍ରାଇଜେସ । ପଶ୍ଚିମ ଓଡ଼ିଶାରେ ଜାଲ ଟିଡିଆର ଦେଇ କୋଟି କୋଟି ଟଙ୍କାର ଠିକା କାମ ହାତେଇଥିଲା କଳାହାଣ୍ଡି ଜିଲ୍ଲାର ଏହି ସଂସ୍ଥା । ସୁରଜ ଏଣ୍ଟରପ୍ରାଇଜେସର ମାଲିକ ବଣ୍ଟି ଅଗ୍ରୱାଲ ଏବଂ ତାଙ୍କ ବାପା ରାଜେନ୍ଦ୍ର ଅଗ୍ରୱାଲ କୋଟି କୋଟି ଟଙ୍କା ଠିକା ହାତେଇବାକୁ ମାର୍ଜିନ ମନି ଆକାରରେ ଦେଉଥିଲେ ଜାଲି ଟିଡିଆର । ଏହି ସଂସ୍ଥା ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡା ଜିଲ୍ଲାରେ ବିଭିନ୍ନ ପୋଲ ଓ ରାଜପଥ ଭଳି କୋଟି କୋଟି ଟଙ୍କାର କାମ ଏହିଭଳି ଭାବେ ହାତେଇଛି ।

ଜାଲ କାଗଜପତ୍ର ବ୍ୟବହାର କରି ସୁରଜ ଏଂଟରପ୍ରାଇଜେସ କଳାହାଣ୍ଡିରେ ୮୯ଲକ୍ଷ, ଖରିଆରରେ ୯କୋଟି ଓ ବଲାଙ୍ଗୀରରେ ୧କୋଟି ୩୦ଲକ୍ଷର ଠିକା କାମ ହାତେଇଥିଲା । ସେହିପରି ବଲାଙ୍ଗୀରରେ ବ୍ୟାଙ୍କ ଗ୍ୟାରେଂଟି ଦିଆଯାଇଥିବା ୧୨ଟିରୁ ୧୧ଟି ଜାଲ ବୋଲି ଜଣାପଡିଛି । ଏହି ଘଟଣା ଜଣାପଡିବା ପରେ ପୂର୍ତ ବିଭାଗ ଠିକା ସଂସ୍ଥାର କାମ ବନ୍ଦ କରିବା ସହ ତାକୁ କଳା ତାଲିକାଭୁକ୍ତ କରିଛି । ଏନେଇ କଳାହାଣ୍ଡି, ନୂଆପଡା ଓ ବଲାଙ୍ଗୀର ଥାନାରେ ବଲାଙ୍ଗୀର ପୂର୍ତ ବିଭାଗ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି । ପୁଲିସ ଘଟଣାର ଛାନଭିନ କରୁଛି ।