ସୁରଜ୍ ପୁରସ୍କାର-୨୦୨୨ ପାଇଲେ ଗଞ୍ଜାମର ସ୍ୱର୍ଗତ ସୁଶୀଲ ସାହୁ ଓ ସିଦ୍ଧି ସମୃଦ୍ଧି । ଉଭୟଙ୍କ ପରିବାରକୁ ମିଳିଲା ୫ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ।

119

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମର ଜଗନ୍ନାଥ ପ୍ରସାଦ ଅଞ୍ଚଳର ଆଲାଡ଼ି ଗ୍ରାମର ସ୍ଵର୍ଗତ ସୁଶୀଲ ସାହୁ ଓ ଗଞ୍ଜାମ ଜିଲ୍ଲା ଗୋପାଳପୁର ସ୍ଥିତ କନିଶି ବ୍ଲକ୍ ନୀଳାଚଳ ନଗରର ସିଦ୍ଧି ସମୃଦ୍ଧିଙ୍କୁ ୨୦୨୨ ପାଇଁ ସୁରଜ୍ ପୁରସ୍କାର ପ୍ରଦାନ କରିଛନ୍ତି। ଭିଡିଓ କନଫରେନ୍ସ ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ସୁଶିଲଙ୍କ ପତ୍ନୀ ପିଙ୍କି ସାହୁ ଓ ସିଦ୍ଧିଙ୍କ ପିତା ସପନ୍ କୁମାର ବିନ୍ଧାଣୀଙ୍କୁ ୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି।

ହୃଦୟ, କିଡନୀ ଓ ଯକୃତ ପରି ଜୀବନ ରକ୍ଷାକାରୀ ଅଙ୍ଗଦାନ ପାଇଁ ୨୦୨୦ ଠାରୁ ଏହି ପୁରସ୍କାର ଦିଆଯାଉଛି। ଚଳିତ ବର୍ଷ ଏହା ତୃତୀୟ ସୁରଜ୍ ପୁରସ୍କାର। ୨୦୨୦ ରେ ଗଞ୍ଜାମର ମସ୍ତିଷ୍କ ମୃତ ସୁରଜ୍ ବେହେରାଙ୍କ ପିତାମାତା ତାଙ୍କର ୬ଟି ଗୁରୁତବପୂର୍ଣ ଅଙ୍ଗ ଦାନ କରି ୬ଟି ଜୀବନ ରକ୍ଷା କରି ଥିବାରୁ , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେହି ବର୍ଷ ତାଙ୍କ ନାମରେ ସୁରଜ୍ ପୁରସ୍କାର ଆରମ୍ଭ କରିଥିଲେ।

ଉଭୟ ସୁଶୀଲ ଓ ସିଦ୍ଧିଙ୍କ ପିତା ମାତାଙ୍କ ନିକଟରେ ସମାଜ ଋଣୀ ବୋଲି ମତ ଦେବା ସହ ନବୀନ କହିଛନ୍ତି, ଏହା ଦ୍ବାରା ସମାଜ ଉପରେ ବହୁତ୍ ଭଲ ପ୍ରଭାବ ପଡୁଛି। ଏହି ପରି ଭଲ କାମ କରି ସମାଜ ପାଇଁ ପ୍ରେରଣା ସୃଷ୍ଟି କରି ଏକ ସୁନ୍ଦର ସମାଜ ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଅଙ୍ଗ ଦାନ ଅନେକ ପରିବାର ପାଇଁ ଆଶା ସୃଷ୍ଟି କରି ପାରୁଛି। ଅନ୍ୟର ଜୀବନ ରକ୍ଷା ସବୁଠାରୁ ଅଧିକ ପୁଣ୍ୟ କାର୍ଯ୍ୟ। ଅଙ୍ଗ ଦାନ ଏକ ସାହସିକ ନିଷ୍ପତ୍ତି। ଅଙ୍ଗ ଦାନ କରୁଥିବା ପରିବାରଙ୍କ ତ୍ୟାଗର ତୁଳନା ନାହିଁ ବୋଲି ସେ କହିଛନ୍ତି ।