କନକ ବ୍ୟୁରୋ: ବାଜି ସାରିଛି ନିର୍ବାଚନୀ ବିଗୁଲ ଆଉ ଆରମ୍ଭ ହୋଇଛି କାଉଣ୍ଟଡ଼ାଉନ । ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଆଗାମୀ ଲୋକସଭା ନିର୍ବାଚନ ତାରିଖ ଘୋଷଣା ପରେ ଉଷ୍ମ ହୋଇଛି ରାଜ୍ୟ ରାଜନୀତି ପାରଦ । ଏପ୍ରିଲ ୧୮ ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ଅସ୍କା ଲୋକସଭା କ୍ଷେତ୍ରରେ ଯାଉଥିବା ଗଞ୍ଜାମ ଜିଲ୍ଲାର ସୋରଡ଼ା ବିଧାନସଭା ନିର୍ବାଚନମଣ୍ଡଳୀକୁ ନେଇ ତାତୁଛି ରାଜନୀତି । ଏକଦା ଗଞ୍ଜାମ ଜିଲ୍ଲା ସୋରଡା ନିର୍ବାଚନମଣ୍ଡଳୀ କଂଗ୍ରେସର ଗଡ ଥିଲା ।
ଏହି ନିର୍ବାଚନ ମଣ୍ଡଳୀରେ ପ୍ରଥମ ବିଧାୟକ ଭାବେ କଂଗ୍ରେସ ଦଳରୁ ବିଜୁ ପଟ୍ଟନାୟକ ବିଜୟଲାଭ କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଏହାପରେ ସବୁଠାରୁ ଅଧିକ ଥର କଂଗ୍ରେସ ହାତକୁ ଏହି ନିର୍ବାଚନମଣ୍ଡଳୀ ଯାଇଛି। କିନ୍ତୁ ଲଗାତାର ଦୁଇ ଦୁଇ ଥର ଏଠାରୁ ବିଜେଡ଼ି ପ୍ରାର୍ଥୀ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ଏହି ଆସନକୁ କବଜାରେ ରଖିଛନ୍ତି । ତେଣୁ ଚଳିତ ଥର ମଧ୍ୟ ପୂର୍ଣ୍ଣ ଟିକଟ ପାଇବା ପାଇଁ ଆଶାୟୀ ଅଛନ୍ତି। ତାଙ୍କ ବ୍ୟତୀତ କିଛି ପୁରୁଖା ନେତା ମଧ୍ୟ ଟିକେଟ୍ ପାଇପାରନ୍ତି ବୋଲି କଡ଼ା ନଜର ରହିଛି ।
ବେଲଗୁଣ୍ଠା ବ୍ଲକ ଓ ଏନଏସି , ସୋରଡା ବ୍ଲକ ଓ ଏନଏସି ମିଶି ଗଠନ ହୋଇଛି ଏହି ବିଧାନସଭା କ୍ଷେତ୍ର । ସୀମା ନିର୍ଦ୍ଧାରଣ ପରେ ଏହି ଆସନ ବିଜେଡି ହାତରେ ରହିଛି । ୨୦୦୯ ମସିହାରେ କଂଗ୍ରେସ ଟିକଟ ଆଶାୟୀ ଥିବା ନୀଳମଣି ବିଷୋୟୀଙ୍କୁ ଟିକଟ ମିଳିନଥିବାରୁ ସେ ସ୍ବାଧୀନ ଭାବେ ଲଢିଥିଲେ ଏବଂ ଦ୍ୱିତୀୟ ସ୍ଥାନରେ ରହିଥିଲେ । କାରଣ ସେହିଥର ବିଜେଡି ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ବିଜୟୀ ହୋଇଥିଲେ । କଂଗ୍ରେସ ପ୍ରାର୍ଥୀ ସୟଦ ମୁବାରକ ତୃତୀୟ ସ୍ଥାନରେ ରହିଥିଲେ। ୨୦୧୪ ମସିହାରେ ବି ନୀଳମଣିଙ୍କ ଭାଇ ବସନ୍ତ ବିଷୋୟୀ କଂଗ୍ରେସରୁ ଟିକେଟ ପାଇ ନିର୍ବାଚନ ଲଢିଥିଲେ। ସେଥର ପୁଣି ବିଜେଡିରୁ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ବିଜୟ ଲାଭ କରିଥିଲେ।
ଆସନ୍ତା ୧୮ ତାରିଖରେ ରାଜ୍ୟର ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ଏହି ବିଧାନସଭା କ୍ଷେତ୍ର ରହିଛି । ତେଣୁ କଂଗ୍ରେସ ପାଇଁ କିଏ ଏଠାରୁ ପ୍ରାର୍ଥୀ ହେବ ସେନେଇ ଚାଲିଛି ମନ୍ତ୍ରଣା । ତେବେ ନୀଳମଣି ବିଷୋୟୀ କଂଗ୍ରେସରୁ ଓହରିବା ପରେ ଦଳର ଭୋଟ୍ ବ୍ୟାଙ୍କ ପ୍ରଭାବିତ ହୋଇଛି । ପୁରୁଣା କଂଗ୍ରେସ ନେତା ଏବେ କେଂଗ୍ରସ ଗଡକୁ ସୁଦୃଢ କରିବା ଲାଗି ଅଣ୍ଟା ଭିଡିଛନ୍ତି । କଂଗ୍ରେସ ଏଠାରେ ନୂଆ ମୁହଁକୁ ସୁଯୋଗ ଦେଇପାରେ ବୋଲି ଶୁଣିବାକୁ ମିଳୁଛି । କଂଗ୍ରେସରୁ ପିସିସି ସଭ୍ୟ ସଂଗ୍ରାମ ମହାନ୍ତି ଓ ଆଇନଜୀବୀ ଓମ ପ୍ରକାଶ ସାହୁ ଆଶାୟୀ ପାର୍ଥୀ ରହିଛନ୍ତି। ବିଜେପିରୁ ପୂର୍ବତନ ଛାତ୍ର ନେତା ତଥା ଜିଲ୍ଲା କାର୍ୟ୍ୟକାରିଣୀ ସଦସ୍ୟ ସନ୍ତୋଷ ଦାସ ଓ ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ଭଗବାନ ପଣ୍ଡା ପ୍ରମୁଖ ଟିକେଟ ପାଇବା ପାଇଁ ସଂଗଠନ ଚଳାଇଛନ୍ତି।
ଅନ୍ୟପଟେ ନିର୍ବାଚନ ତାରିଖ ଘୋଷଣା ପରେ ଶାସକ ବିଜେଡି ସାମ୍ନାରେ ପ୍ରମୁଖ ବିରୋଧୀ ଭାବେ ଛିଡ଼ା ହୋଇଥିବା ବିଜେପି ମଧ୍ୟ ଜୋରଦାର ଉଦ୍ୟମ ଚଳାଇଥିବା ଦେଖିବାକୁ ମିଳୁଛି । ବିଜେପି କର୍ମୀ ଗାଁ ଗାଁ ବୁଲି ଯୁବ ଗୋଷ୍ଠୀ ମାଧ୍ୟମରେ ନିଜର ସମର୍ଥକ ବଢ଼ାଇବାରେ ଲାଗିଛି। ଗତ ନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହୋଇ ଲଢ଼ିଥିବା ଭଗବାନ ପଣ୍ଡା ଏଥର ମଧ୍ୟ ଟିକେଟ୍ ପାଇବାକୁ ଆଶାୟୀ ରହିଥିବା ଗେରୁଆ କ୍ୟାମ୍ପରେ ଶୁଣିବାକୁ ମିଳୁଛି ।