ପୁଅ କଂଗ୍ରେସରୁ ଛିଡା ନହେଲେ ମୋ ଭୋଟ ବି ଦେବିନି । କଂଗ୍ରେସରୁ ଲଢିବାକୁ ଶେଷ ପର୍ଯ୍ୟନ୍ତ ବୁଝାଇବି । ସାନପୁଅକୁ ନେଇ କାହିଁକି ଏମିତି କହିଲେ ସୁର ରାଉତରାୟ ।

565

କନକ ବ୍ୟୁରୋ : ୧୮ଟି ଲୋକସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା ପରେ ସରଗରମ ହୋଇଛି ରାଜ୍ୟ ରାଜନୀତି । ଏସବୁ ଭିତରେ ବଡ ବୟାନ ରଖିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ସାନପୁଅ ମନ୍ମଥ ରାଉତରାୟ କେଉଁ ଦଳରୁ ନିର୍ବାଚନ ଲଢିବେ ତାହାକୁ ନେଇ ସସପେନ୍ସ ଲାଗି ରହିଥିବା ବେଳେ ସୁର କହିଛନ୍ତି, ସାନ ପୁଅ ମୋର ଅବୁଝା ହୋଇଯାଇଛି । ବିଜେଡି ପ୍ରତି ଆକର୍ଷିତ ହୋଇଯାଇଛି ସାନପୁଅ । କିନ୍ତୁ କଂଗ୍ରେସରୁ ଲଢିବାକୁ ମୁଁ ତାକୁ ବୁଝାଉଛି । ଶେଷ ପର୍ଯ୍ୟନ୍ତ ତାକୁ କଂଗ୍ରେସରୁ ଲଢିବାକୁ ବୁଝାଇବି ।

ଏହାସହ ସୁର କହିଛନ୍ତି, ପୁଅ ମୋର ସାବାଳକ ହୋଇଗଲାଣି । କିଛି ବନ୍ଧୁ ମଧ୍ୟ କହୁଛନ୍ତି ପୁଅକୁ ନିଜ ନିଷ୍ପତ୍ତି ନେବାକୁ ଛାଡିଦିଅ । କିନ୍ତୁ ମୁଁ ତାକୁ କଂଗ୍ରେସରୁ ଲଢିବାକୁ ବୁଝାଇ ଚାଲିଛି । କାରଣ ମୋ ପାଇଁ କଂଗ୍ରେସ ଦଳ ମନ୍ଦିର ଏବଂ ହାତ ଚିହ୍ନ ଭଗବାନ । ମନ୍ମଥ ହାତ ଚିହ୍ନରେ ଛିଡା ହେଉ ବୋଲି ମୁଁ ଚାହେଁ । ଆଗକୁ ସମୟ କହିବ କଣ ହେବ । କିନ୍ତୁ ପୁଅ ଯଦି ବିଜେଡିରୁ ଛିଡା ହେବ ତେବେ ତାହା ପାଇଁ ପ୍ରଚାର କରିବିନି କି ମୋ ନିଜ ଭୋଟ ମଧ୍ୟ ତାକୁ ଦେବିନି । କାରଣ ମୁଁ ନୀତିବାନ ଲୋକ । କଂଗ୍ରେସ ଦଳରେ ଜନ୍ମ, କଂଗ୍ରେସ ଦଳରେ ହିଁ ମୋର ମୃତ୍ୟୁ । ଦରକାର ପଡିଲେ ଜଟଣୀରୁ କଂଗ୍ରେସର ଭଲ ପ୍ରାର୍ଥୀ ଦେବି । ଯାହାର ବିଜୟ ସମ୍ଭାବନା ଥିବ ତାକୁ ପ୍ରାର୍ଥୀ କରି ବିଜୟୀ କରାଇବି ବୋଲି କହିଛନ୍ତି ସୁର ।