ସୁର ରାଉତରାୟଙ୍କୁ କରୋନା । ପତ୍ନୀ ମଧ୍ୟ କରୋନାରେ ସଂକ୍ରମିତ ।

403

କନକ ବ୍ୟୁରୋ : କଂଗ୍ରେସ ବିଧାୟକ ସୁର ରାଉତରାୟ କରୋନାରେ ସଂକ୍ରମିତ । ପ୍ରଥମଥର ପାଇଁ କରୋନାରେ ସଂକ୍ରମିତ ହୋଇଛନ୍ତି ଜଟଣୀ ବିଧାୟକ । ପାଖାପାଖି ୨ ବର୍ଷ ହେବ କରୋନା ବ୍ୟାପୁଥିବା ବେଳେ ଏବେ ଏହାର ଶିକାର ହୋଇଛନ୍ତି ସୁର । ଉଭୟ ସ୍ୱାମୀ ଓ ସ୍ତ୍ରୀ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ମୁତାବକ, କିଛି ଦିନ ପୂର୍ବେ ସୁରଙ୍କ ପତ୍ନୀ କରୋନାରେ ସଂକ୍ରମିତ ହୋଇଥିଲେ । ଏହାସହ ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ସୁର ରାଉତରାୟଙ୍କର କରୋନା ରିପୋର୍ଟ ପଜିଟିଭ ଆସିଛି । କରୋନା ରିପୋର୍ଟ ଆସିବା ପରେ ସୁର ନିଜକୁ ଘରେ ସଙ୍ଗରୋଧରେ ରଖିଛନ୍ତି । ଏହାସହ ସୁରଙ୍କ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ଭଲ ଥିବା ସୂଚନା ମିଳିଛି । ତେବେ ଏହି କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନେ ନିଜର ପରୀକ୍ଷା କରାଇ ନିଅନ୍ତୁ ବୋଲି କହିଛନ୍ତି  ।

କରୋନାର ଦୁଇଟି ଲହର ଅତିିକ୍ରମ କରିଥିଲେ ମଧ୍ୟ ସୁରଙ୍କୁ କରୋନା କବଳିତ କରିପାରିନଥିଲା । କରୋନା ଯେତେବେଳେ ଶୀର୍ଷ ସ୍ତରରେ ଥିଲା ସେତେବେଳେ ମଧ୍ୟ ସଂକ୍ରମଣକୁ ଖାତିର ନକରି ବାହାରେ ବୁଲୁଥିଲେ ସୁର । ଆଉ ତାହା ବି ପୁଣି ବିନା ମାସ୍କ ଓ ବିନା ସାମାଜିକ ଦୂରତାରେ । କରୋନା କାଳରେ ଯେତେବେଳେ ଅନ୍ୟ ନେତା ମାନେ ସରକାରଙ୍କ ଗାଇଡଲାଇନ ମାନିବା ସହ ଘରେ ରହୁଥିଲେ ସେତେବେଳେ ସୁରଙ୍କୁ ସବୁବେଳେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଥିଲା । କେତେବେଳେ ହସ୍ପିଟାଲରେ ତ ପୁଣି କେତେବେଳେ ଲୋକଙ୍କ ଗହଣରେ ।  କିନ୍ତୁ କରୋନାର ଦ୍ୱିତୀୟ ଲହରରେ ଅକ୍ସିଜେନ ଅଭାବରୁ ମୃତ୍ୟୁସଂଖ୍ୟା ବଢିବା ପରେ ସୁର କିଛି ମାତ୍ରାରେ ସତର୍କ ହୋଇଥିଲେ । ମୁହଁରେ ମାସ୍କ ପିନ୍ଧି ଲୋକଙ୍କ ଗହଣକୁ ଯାଉଥିଲେ । ତେବେ ଗତ କିଛିଦିନ ହେବ କରୋନା ସଂକ୍ରମଣ କମିବା କାରଣରୁ ସୁରଙ୍କୁ ବିଭିନ୍ନ ସମୟରେ ଅନେକ ଲୋକଙ୍କ ଗହଣରେ ଦେଖିବାକୁ ମିଳୁଥିଲା । ଆଉ ଏହି ସମୟରେ ସୁର କରୋନାରେ ସଂକ୍ରମିତ ହୋଇଥିବା କୁହାଯାଉଛି ।