ସଗରିଆଙ୍କୁ ନେଇ ସୁରଙ୍କ ବୟାନ ! କହିଲେ କଂଗ୍ରେସ ସମୁଦ୍ର, ବାଲଟିଏ ପାଣି ଗଲେ ଅସୁବିଧା ନାହିଁ ।

148

କନକ ବ୍ୟୁରୋ : କଂଗ୍ରେସ ଦଳ ଏକ ବିରାଟ ସମୁଦ୍ର । ସମୁଦ୍ରରୁ ବାଲଟିଏ ପାଣି ନେଇଗଲେ କୌଣସି କ୍ଷତି ହେବ ନାହିଁ । କୋରାପୁଟ ବିଧାୟକ ନିଜ ପଦରୁ ଇସ୍ତଫା ଦେବା ପରେ କିଛି ଏଭଳି ବୟାନ ରଖିଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ । ସୁର କହିଛନ୍ତି, ସଗରିଆ ତାଙ୍କର ସ୍ୱାଭିମାନ କ୍ଷୁର୍ଣ୍ଣ ହେଉଥିଲା ବୋଲି ଇସ୍ତଫା ଦେଇଥିବା ସେ ଶୁଣିଛନ୍ତି । କୁନ୍ଦୁଲି ପୀଡିତାଙ୍କୁ ନ୍ୟାୟ ଦେଇପାରିନଥିବାରୁ ନିଜ ପଦରୁ ଇସ୍ତଫା ଦେଉଥିବା ପୂର୍ବରୁ କୃଷ୍ଣଚନ୍ଦ୍ର ସଗରିଆ କହିଥିଲେ । ତେବେ ତାଙ୍କ ଇସ୍ତଫା ପ୍ରସଙ୍ଗ ନେଇ ଆଜି ଏହିଭଳି କିଛି ମନ୍ତବ୍ୟ ରଖିଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ ।

ସେହିପରି ସଗରିଆ ବିଜେପିରେ ମିଶିବେ କି ବୋଲି ପ୍ରଶ୍ନରେ ସୁର କହିଛନ୍ତି, କଂଗ୍ରେସରେ କିଏ ରହିବ ନ ରହିବ, ତାହା କେହି କହିପାରିବେ ନାହିଁ । ଏ ନିଷ୍ପତ୍ତି କେବଳ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧି ନେଇଥାନ୍ତି । ଯିଏ ନିଜ ଇଚ୍ଛାରେ ଯିବାକୁ ଚାହୁଁଛନ୍ତି, ସିଏ ଯାଆନ୍ତୁ । ସଗରିଆ ବିଜେପିକୁ ଗଲେ କଂଗ୍ରେସର କିଛି କ୍ଷତି ହେବ ନାହିଁ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ କହିଛନ୍ତି । କଂଗ୍ରେସରେ କେବଳ ଧାନ ରହିବ, ଅଳିଆ ଅଗାଡି ସବୁ ହଟିଗଲେ ଭଲ ବୋଲି ବୟାନ୍ ଦେଇଛନ୍ତି ସୁର ରାଉତରାୟ । ନିର୍ବାଚନ ଆଉ ମାତ୍ର ଚାରି ମାସ ଥିବାବେଳେ ସଗରିଆଙ୍କ ଇସ୍ତଫା କିଛି ଫରକ ପଡିବନି ବୋଲି ସେ କହିଛନ୍ତି ।