‘ହର୍ପିସ୍’ ଭାଇରସକୁ ନେଇ ତେଜିଲା ରାଜନୀତି। ବୁଧବାର ନନ୍ଦନକାନନ ବନ୍ଦ ଡାକରା ଦେଲା କଂଗ୍ରେସ, ସରକାର ଆସି ଆଲୋଚନା ନକରିବା ଯାଏଁ ନନ୍ଦନକାନନ ବନ୍ଦ ରଖିବାକୁ ଚେତାବନୀ

402

କନକ ବ୍ୟୁରୋ: ହର୍ପିସ୍ ଭାଇରସକୁ ନେଇ ତେଜିଲା ରାଜନୀତି । ନନ୍ଦନକାନନରେ ଘାତକ ସାଜିଥିବା ହର୍ପିସ୍ ଭୂତାଣୁ କାରଣରୁ ମାତ୍ର ୨ ମାସ ମଧ୍ୟରେ ୪ଟି ହାତୀର ମୃତ୍ୟୁ ହେବା ଘଟଣାକୁ ନେଇ ଏବେ ଆରମ୍ଭ ହୋଇଯାଇଛି ରାଜନୀତି । ନନ୍ଦନକାନନରେ ଗୋଟିଏ ପରେ ଗୋଟିଏ ହାତୀଙ୍କ ମୃତ୍ୟୁ ହେବା ଘଟଣାକୁ ପାଥେୟ କରି ପୁଣି ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧି । ତେବେ ହାତୀ ମୃତ୍ୟୁକୁ ନେଇ ଆସନ୍ତା ବୁଧବାର ନନ୍ଦନକାନନ ବନ୍ଦ ଡାକରା ଦେଇଛି କଂଗ୍ରେସ ।

କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ କହିଛନ୍ତି , ଦାରୁଠେଙ୍ଗରେ ଯେଉଁ ଅଳିଆ ଆବର୍ଜନା ଗଦା ହେଉଛି, ସେଥିରୁ ଏହି ହର୍ପିସ୍ ନାମକ ଏକ ବିଷାକ୍ତ ଭାଇରସ୍ ଜନ୍ମ ନେଇଛି । ଏହାର ପ୍ରଭାବରେ ନନ୍ଦନକାନନରେ ଥିବା ପଶୁପକ୍ଷୀଙ୍କର ଜୀବନ ଯାଉଛି । ଏପରିକି ଏହି ଭାଇରସ୍ ଚନ୍ଦକା ଅଭ୍ୟାରଣ୍ୟକୁ ମଧ୍ୟ ବ୍ୟାପିପାରେ । ଯାହା ଫଳରେ ଚନ୍ଦକାରେ ଥିବା ଜୀବଜନ୍ତୁଙ୍କ ଜୀବନ ପ୍ରତି ବି ବିପଦ ସୃଷ୍ଟି ହୋଇପାରେ । ତେବେ ଏଭଳି ଏକ ଭୟଙ୍କର ପରିସ୍ଥିତି ଦେଇ ଓଡିଶା ବର୍ତ୍ତମାନ ଗତି କରୁଛି । ଯଦି ବାହାରୁ ବିଶେଷଜ୍ଞ ନଆସିବେ ତେବେ ସବୁ ପଶୁ ପକ୍ଷୀ ମରିଯିବେ ଏବଂ ନନ୍ଦନକାନନ ପୂରା ବନ୍ଦ ହୋଇଯିବ । ତେଣୁ ଏହାକୁ ବିରୋଧ କରି ଆସନ୍ତା ବୁଧବାର ସକାଳ ୧୦ଟାରୁ ନନ୍ଦନକାନନ ବନ୍ଦ ରଖାଯିବ ଏବଂ ଯେପର୍ଯ୍ୟନ୍ତ ନିଜେ ସରକାର ଆସି ଏସଂକ୍ରାନ୍ତରେ ଆଲୋଚନା ନକରିବେ ସେ ପର୍ଯ୍ୟନ୍ତ ନନ୍ଦନକାନନରେ ତାଲା ଝୁଲିବ ବୋଲି ଚେତାବନୀ ଦେଇଛି କଂଗ୍ରେସ ।

ସେପଟେ, ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ଘାରିଛି ହାତୀ ସୁରକ୍ଷା ଚିନ୍ତା। ୪ଟି ହାତୀ ମୃତ୍ୟୁ ପରେ ଆରମ୍ଭ ହୋଇଛି ସମୀକ୍ଷା। ହାତୀଙ୍କ ମୃତ୍ୟୁର ବିଭୀଷିକା ପରେ ବିଭାଗୀୟ ମନ୍ତ୍ରୀ, ସଚିବ ଓ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ସାମଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ମୁକାବିଲା ପାଇଁ ଆରମ୍ଭ ହୋଇଛି ମାନସ ମନ୍ଥନ। ଆସନ୍ତା ୨୫ ତାରିଖରେ ନନ୍ଦନକାନନ ପରିଦର୍ଶନରେ ଆସୁଛନ୍ତି କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ। ନନ୍ଦନକାନନରେ ପହଞ୍ଚି କୈଫିୟତ ମାଗିବେ।