ଚର୍ଚ୍ଚାରେ ସୁର ରାଉତରାୟଙ୍କ ପରିବାର: ସୁର କହିଲେ ମୁଁ ନିର୍ଦ୍ଦଳୀୟ, ଦୁଇ ପୁଅଙ୍କ ପାଇଁ ପ୍ରଚାର କରିବି

345

କନକ ବ୍ୟୁରୋ: ଚର୍ଚ୍ଚାରେ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପରିବାର । ଏବେ ନିର୍ବାଚନ ମୈଦାନରେ ସୁରଙ୍କ ଦୁଇ ପୁଅ ସିଦ୍ଧାର୍ଥ ରାଉତରାୟ ଓ ମନ୍ମଥ ରାଉତରାୟ । ବଡ ପୁଅ ସିଦ୍ଧାର୍ଥ ରାଉତରାୟ ନିମପାଡାରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବାବେଳେ ସାନ ପୁଅ ମନ୍ମଥ ରାଉତରାୟ ଭୁବନେଶ୍ୱର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି । ଆଉ ଏବେ କୌଣସି ଦଳରେ ନଥିବାରୁ ଦୁଇପୁଅଙ୍କ ପାଇଁ ଖୋଲାଖୋଲି ପ୍ରଚାର କରିବେ ବୋଲି କହିଛନ୍ତି ସୁର ରାଉତରାୟ ।

ଗୋଟିଏ ପଟେ ସୁରଙ୍କ ବଡ ପୁଅ ସିଦ୍ଧାର୍ଥ ରାଉତରାୟ, ଆଉ ଗୋଟିଏ ପଟେ ସାନ ପୁଅ ମନ୍ମଥ ରାଉତରାୟ, ଆଉ ମଝିରେ ସୁର ରାଉତରାୟ । ସୁରଙ୍କ ପରିବାରର ଏହି ରୋଚକ ଦୃଶ୍ୟ ଏବେ ସବୁଠି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ବିଶେଷକରି ସିଦ୍ଧାର୍ଥ ରାଉତରାୟଙ୍କୁ କଂଗ୍ରେସ ନିମାପଡା ବିଧାନସଭା କ୍ଷେତ୍ରରୁ ପ୍ରାର୍ଥୀ କରିବା ପରେ, ସୁର କଣ କରିବେ ସେ ନେଇ ଚର୍ଚ୍ଚା ବଢ଼ି ଯାଇଛି । କାରଣ ସୁରଙ୍କ ସାନ ପୁଅ ମନ୍ମଥଙ୍କୁ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ କରିଛି ବିଜେଡି । ତେବେ ସେ ଏବେ କୌଣସି ଦଳରେ ନଥିବାରୁ ଦୁଇ ପୁଅଙ୍କ ପାଇଁ ପ୍ରଚାର କରିବେ ବୋଲି ଖୋଲାଖୋଲି ଘୋଷଣା କରିଛନ୍ତି ସୁର ।

ମନ୍ମଥ ବିଜେଡିରେ ଯୋଗ ଦେବା ପରେ, ସିଦ୍ଧାର୍ଥ ଉଭୟ ବାପା ଓ ଭାଇଙ୍କୁ କଡା ସମାଲୋଚନା କରିଥିଲେ । ସ୍ୱାଭିମାନ ଓ ଓଡିଆ ଅସ୍ମିତାର କଥା କହି ଘେରିଥିଲେ । ଅନ୍ୟପଟେ ମନ୍ମଥଙ୍କ ପାଇଁ ପ୍ରଚାର କରିବା ଭିଡିଓ ଭାଇରାଲ ହେବା ପରେ ସୁରଙ୍କ ବିରୋଧରେ କଂଗ୍ରେସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ତାଙ୍କୁ ୬ ବର୍ଷ ପାଇଁ କଂଗ୍ରେସରୁ ବହିଷ୍ମାର କରାଯାଇଛି । ଏସବୁ ଭିତରେ ସିଦ୍ଧାର୍ଥଙ୍କୁ ନିମାପଡାରୁ ପ୍ରାର୍ଥୀ କରିଛି କଂଗ୍ରେସ ।

ସୁରଙ୍କ ପରିବାରର ଏହି ରାଜନୀତି ଆଗାମି ଦିନରେ ବେଶ ରୋଚକ ହେବ । ସୁରଙ୍କ ପୁଅ ସିଦ୍ଧାର୍ଥ ପ୍ରଚାରରେ ବାପାଙ୍କ ସହାୟତା ନେବେ କି ନାହିଁ ତାହା ଆଗାମି ଦିନରେ ସ୍ପଷ୍ଟ ହେବ ।