ସେସୁ-ସରକାରଙ୍କୁ ସୁରଙ୍କ ସତର୍କବାଣୀ । କହିଲେ, ବିଜୁଳି କାଟିଲେ କଂଗ୍ରେସ କରିବ ପ୍ରତିବାଦ, ମୁଣ୍ଡ ଉପରେ ପିଲାଙ୍କ ପରୀକ୍ଷା, ଲାଇନ୍ କାଟିଲେ ପଢ଼ିବେ କେମିତି ?

554

କନକ ବ୍ୟୁରୋ: ‘ସେସୁ’ର ବିଦ୍ୟୁତ୍ କାଟ୍ ନିଷ୍ପତିକୁ ନେଇ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ଚେତାବନୀ । ଯଦି ବିଦ୍ୟୁତ୍ କାଟ୍ ହେବ, ତା’ହେଲେ ରାଜରାସ୍ତାରେ ନିଆଁ ଜଳିବ । ଯଦି ୧୬ ତାରିଖରୁ ଗରିବ ଲୋକଙ୍କ ବିଜୁଳି କଟାଯାଏ, ତେବେ କଂଗ୍ରେସ ଜୋରଦାର ପ୍ରତିବାଦ କରିବ ବୋଲି କହିଛନ୍ତି ସୁର ରାଉତରାୟ । ଏପରିକି ବିଦ୍ୟୁତ୍ କାଟିବା ପାଇଁ ଗାଁ ଭିତରକୁ କାହାକୁ ପୁରାଇ ଦିଆଯିବନାହିଁ ବୋଲି ଖୋଲାଖୋଲି ଚେତାବନୀ ଦେଇଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।

ସରକାରଙ୍କ ସତର୍କ କରାଇ ସୁର କହିଛନ୍ତି, ମୁଣ୍ଡ ଉପରେ ପିଲାମାନଙ୍କ ପରୀକ୍ଷା ରହିଛି, ତେଣୁ ସେସୁ ଓ ସରକାର ଏଦିଗରେ ପୁନଃ ବିଚାର କରି ନିଷ୍ପତି ବଦଳାନ୍ତୁ । ଏପରିକି ହାତରେ ଆହୁରି ଛଅ ଦିନ ବାକି ରହିଛି ତେଣୁ ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ପରିବାରକୁ ସମୟ ଦିଅନ୍ତୁ । କାରଣ ଆଉ କିଛି ଦିନ ପରେ ସେମାନଙ୍କ ପିଲାମାନେ ଆଲୁଅ ସାହାରାରେ ପାଠ ପଢ଼ିବେ ଓ ପରୀକ୍ଷା ଦେବେ । ତେଣୁ ସରକାର ଓ ସେସୁ ଏନେଇ ପଣିଥରେ ତର୍ଜମା କରନ୍ତୁ ନଚେତ୍ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି କହିଛନ୍ତି ସୁର ।