ସୁରଙ୍କ ଭବିଷ୍ୟବାଣୀ । ଏଥର କଂଗ୍ରେସ ହେବ ନମ୍ବର-୨ ଦଳ, ୨୦୦ରୁ ଅଧିକ ଜିଲ୍ଲା ପରିଷଦ ଆସନରେ ‘ହାତ’ ଟେକିବ କଂଗ୍ରେସ ।

133

କନକ ବ୍ୟୁରୋ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳର ଶିବିର ଚଳଚଞ୍ଚଳ । କିଭଳି ପଞ୍ଚାୟତ ନିର୍ବାଚନରେ ଅଧିକରୁ ଅଧିକ ଆସନରେ ବିଜୟର ବାନା ଉଡାଇ ହେବ ସେଥିପାଇଁ ୩ ଦଳ ତରଫରୁ ରଣନୀତି ପ୍ରସ୍ତୁତ ଚାଲିଛି । ଶାସକ ବିଜେଡି ଗତଥର ଅପେକ୍ଷା ଏଥର ଅଧିକ ଆସନ ହାତେଇବାକୁ ଜି ଜାନ ଲଗାଇଥିବା ବେଳେ ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟ ଏହି ରେସରେ ପଛରେ ନାହାନ୍ତି । ତେବେ ଗତଥର କଂଗ୍ରେସ ଯେଉଁଭଳି ନୈରାଶ୍ୟଜନକ ପ୍ରଦର୍ଶନ ସହ ନମ୍ବର-୨ରୁ ନମ୍ବର-୩ ସ୍ଥାନକୁ ଖସିଥିଲା ଚଳିତ ଥର ତାହା ଦେଖିବାକୁ ମିଳିବନି ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଦଳର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ।

ପଞ୍ଚାୟତ ଭୋଟ ପଡିବା ପୂର୍ବରୁ ୁବଡ ଭବିଷ୍ୟବାଣୀ କରିଛନ୍ତି ସୁର । ଚଳିତ ୨୦୨୨ ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ହାତ ପୁଣି ଉଠିବ ବୋଲି ସୁର ଦମ୍ଭ ଦେଖାଇଛନ୍ତି । ଚଳିତ ନିର୍ବାଚନରେ କଂଗ୍ରେସ ପୁଣିଥରେ କମବ୍ୟାକ କରିବ ଏବଂ ୨୦୦ରୁ ଅଧିକ ଜିଲ୍ଲା ପରିଷଦ ଆସନରେ ବିଜୟୀ ହେବ ବୋଲି ସୁର କହିଛନ୍ତି । ଏହାଛଡା ଏଥର ବିଜେପି ନୁହେଁ କଂଗ୍ରେସ ନମ୍ବର-୨ ଦଳ ଭାବେ ବିଜେଡିର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ସାଜିବ ବୋଲି ସୁର କହିଛନ୍ତି । ଖୋର୍ଦ୍ଧାରେ ୧୨ରୁ ଅଧିକ ଆସନରେ ବିଜୟୀ ହେବୁ ବୋଲି ସେ କହିଛନ୍ତି ।

ତେବେ ସୁରଙ୍କ ଏହି ଆକଳନ କେତେ ସଠିକ ହେବ ତାହା ତ ଭୋଟ ଗଣତି ପରେ ସ୍ପଷ୍ଟ ହେବ । କିନ୍ତୁ ଚଳିତ ନିର୍ବାଚନରେ ବିରୋଧୀ ବିଜେପି କ୍ୟାମ୍ପ ସେତେଟା ଆକ୍ଟିଭ ନଥିବା ଚର୍ଚ୍ଚା ହେଉଛି । ଦଳର ପୋଷ୍ଟରବଏ କୁହାଯାଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍ତର ପ୍ରଦେଶ ନିର୍ବାଚନ ପାଇଁ ବ୍ୟସ୍ତ ଥିବା ବେଳେ ରାଜ୍ୟ ବିଜେପି କ୍ୟାମ୍ପ ପଞ୍ଚାୟତ ନିର୍ବାଚନକୁ ନେଇ ସେତେଟା ଉତ୍ସାହିତ ନଥିବା ଭଳି ମନେ ହେଉଛି । କାରଣ ୨୦୧୭ ପଞ୍ଚାୟତ ନିର୍ବାଚନରେ ଧର୍ମେନ୍ଦ୍ରଙ୍କ ରଣନୀତି ବଳରେ ବିଜେପି ଦମଦାର ପ୍ରଦର୍ଶନ ସହ ନମ୍ବର-୨ ସ୍ଥାନ ଅକ୍ତିଆର କରିଥିଲା । କିନ୍ତୁ ଚଳିତଥର ବିଜେପିର ଅନେକ ବଡ ଚେହେରା ନିଜ ନିଜ ନିର୍ବାଚନମଣ୍ଡଳୀରେ ସୀମିତ ରହୁଥିବାର ଦେଖିବାକୁ ମିଳୁଛି । ଏହାଛଡା ଚଳିତ ପଞ୍ଚାୟତ ନିର୍ବାଚନରେ ପ୍ରଚାର ଉପରେ କଟକଣା ଲଗାଯାଇଥିବାରୁ ଲୋକଙ୍କ ପାଖରେ ପହଞ୍ଚିବା ନେତାଙ୍କ ପାଇଁ ସହଜ ହେଉନାହିଁ । ଆଉ ଏହା କଂଗ୍ରେସକୁ ବେଶ ସୁହାଇବ ବୋଲି କୁହାଯାଉଛି । କାରଣ କଂଗ୍ରେସ ହାତରେ ଏବେ ବି ଅନେକ ସ୍ଥାନରେ ପାରମ୍ପରିକ ଭୋଟ ରହିଛି । ଯାହା ବଳରେ ବିଜେପିକୁ ଚେକମେଟ ଦେଇ ନମ୍ବର-୨ ସ୍ଥାନକୁ ଅକ୍ତିଆର କରିବାକୁ ଦଳ ଅଙ୍କ କଷୁ ଥାଇପାରେ । ଆଉ ଏଭଳି ଏକ ସମୀକରଣକୁ ନେଇ ସୁର ଦୃଢୋକ୍ତି ପ୍ରକାଶ କରିଥାଇପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।