କଂଗ୍ରେସ କଣ ସତରେ ସମୁଦ୍ର । ଶଗରିଆ ବାଲଟିଏ ପାଣି ନେଇ ପଳାଇଲେ କିଛି ହେବନି ।

ନେତାଙ୍କ ବୟାନ, କୃଷ୍ଣ ଶଗରିଆଙ୍କ ଇସ୍ତଫା ଦଳ ଉପରେ କୈାଣସି ପ୍ରଭାବ ପକାଇବନି । ହେଲେ ଗତ ଚାରୋଟି ନିର୍ବାଚନରେ ହାରିଥିବା ଦଳ ବିଧାୟକଙ୍କ ଗୁରୁତ୍ୱ ବୁଝିବାର ଆବଶ୍ୟକତା ରହୁଛି ।

202

କନକ ବ୍ୟୁରୋ :କଂଗ୍ରେସ ବିଧାୟକ କୃଷ୍ଣ ଶଗରିଆ ବିଧାୟକ ପଦରୁ ଇସ୍ତଫା ଦେବା ପରେ କଂଗ୍ରେସ ଶିବିର ବିଚଳିତ ଥିଲା ଭଳି ଲାଗୁନି । ବରଂ ଏହାର ପ୍ରଭାବ କିଛି ରହିବନି ବୋଲି ନେତା ବୟାନ ଦେଉଛନ୍ତି । ୧୮ ବର୍ଷ ଧରି କ୍ଷମତାରେ ବାହାରେ ଥିବା ଦଳ ଉପରେ ପ୍ରକୃତରେ କିଛି ପ୍ରଭାବ ପଡିନି ନା ଦଳ ବାହାରକୁ ବିଚଳିତ ଅଛି ବୋଲି ଦେଖାଇବାକୁ ଚାହୁଁନି ।


ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି, କଂଗ୍ରେସ ଦଳ ହେଉଛି ସମୁଦ୍ର । କେହି ବାଲଟିଏ ପାଣି ନେଇ ପଳାଇଲେ ଦଳ ଉପରେ କିଛି ବି ପ୍ରଭାବ ପଡିବନି । ସୁର ରାଉତରାୟଙ୍କ ଏହି କଥାକୁ ଯେତେବେଳେ ସଂଖ୍ୟା ଗଣିତରେ ତଉଲାଯାଉଛି ସେତେବେଳେ ଭିନ୍ନ ଏକ ଚିତ୍ର ସାମ୍ନାକୁ ଆସୁଛି ।


ଚାରି ଚାରି ଥର ନିର୍ବାଚନ ରାଜ୍ୟରେ ହାରିଲାଣି କଂଗ୍ରେସ । ପ୍ରତିଥର ବିଧାୟକ ସଂଖ୍ୟା କମୁଛି । ଉପ ନିର୍ବାଚନରେ ଦଳ ଅମାନତ ହରାଉଛି । ରାଜ୍ୟ ନିର୍ବାଚନ ଇତିହାସରେ ପଂଚାୟତ ନିର୍ବାଚନରେ ପ୍ରଥମ ଥର ଦଳ ତୃତୀୟ ସ୍ଥାନକୁ ଯାଉଛି । ଅବଶ୍ୟ ଏତିକି ବେଳକୁ ପିସିସି ସଭାପତି ବଦଳି ନଥିଲେ । ହେଲେ ବର୍ତ୍ତମାନ ସ୍ଥିତିରେ କଣ ପରିବର୍ତ୍ତନ ଆସିଛି କି?

congress

କୃଷ୍ଣ ଶଗରିଆ ଯେଉଁ ବୟାନ ଦେଇ ଦଳ ଛାଡିଛନ୍ତି, ତାଉପରେ ଦଳର ତମାମ ବରିଷ୍ଠ ନେତା ପ୍ରଶ୍ନ ଉଠାଇଛନ୍ତି । ନିରଂଜନ କହିଛନ୍ତି, ଇସ୍ତଫା ଦେବାର ଯଥାର୍ଥତା ନଥିଲା । ଅନନ୍ତ ସେଠୀ କହିଛନ୍ତି, କୁନ୍ଦୁଲୀ ପ୍ରସଙ୍ଗ ଏକ ବାହାନା । ବିଭୂ ତରେଇ କହିଛନ୍ତି, କୃଷ୍ଣଙ୍କ ଅଭିଯୋଗ ନିରାଧାର ।


ବୁଝିବାକୁ ଗଲେ, କୃଷ୍ଣ ବିଧାୟକ ପଦ ଛାଡନ୍ତୁ ଅବା ଦଳ ଛାଡନ୍ତୁ, କଂଗ୍ରେସ ଉପରେ ଏହାର କୈାଣସି ପ୍ରଭାବ ପଡିବନି । ହଁ, ଗତ ୧୮ ବର୍ଷ ଭିତରେ ଦଳ ଏଭଳି ଅନେକ ଆହ୍ୱାନର ସାମ୍ନା କରିଛି, ୨୦୧୯ରେ ମଧ୍ୟ ଠିକ ସମାନ ସ୍ଥିତି ରହିପାରେ ବୋଲି ଚର୍ଚ୍ଚା ହେଉଛି । କାରଣ, ଦଳର ବହୁ ନେତା ବିଜେଡି ବିଜେପି ସହ ଯୋଗାଯୋଗରେ ଥିବା କୁହାଯାଉଛି ।

ଜାତୀୟ ସ୍ତରରେ କଂଗ୍ରେସ ପ୍ରଦର୍ଶନ ଆଉ ରାଜ୍ୟରେ ଗତ ୪ଟି ନିର୍ବାଚନରେ ଦଳର ସ୍ଥିତିକୁ ଦେଖି ଯଦି ସୁର ବାବୁ ଦଳକୁ ସମୁଦ୍ର ସହ ତଉଲୁଛନ୍ତି, ତେବେ ବୁଝୀବାକୁ ପଡିବ ସମୁଦ୍ର ଧୀରେ ଧୀରେ ଶୁଖିବାକୁ ଯାଉଛି । ଆଉ ଶୁଖୁଥିବା ସମୁଦ୍ରରୁ ବାଲଟିଏ ପାଣି ନେଇଯିବା ଅର୍ଥାତ୍ ସମୁଦ୍ରକୁ ଆଉ କିଛି ପରିମାଣରେ ଶୁଖାଇଦେବା ।


ସମୁଦ୍ର କିଏ ଶୁଖାଇବାକୁ ଉଦ୍ୟମ କରୁଛି, ଆଉ କିଏ ଦଳ ବିରୋଧରେ କାମ କରୁଛି ସେହି ତତ୍ୱକୁ ଖୋଜିବାର ଆବଶ୍ୟକତା ରହୁଛି । ନଚେତ ସ୍ଥିତି ଏମିତି ହେବ ଯେ, ରାଜ୍ୟରେ ଦଳର ସ୍ଥିତି ଦୁର୍ବଳ ହୋଇ ଚାଲିଥିବ ହେଲେ ନେତା ଦଳକୁ ସମୁଦ୍ର ବୋଲି ଭାବି ଚାଲୁଥିବେ । ଦୁର୍ବଳତାକୁ ଦୂର କରି ଏବଂ ଦଳରେ ଅସନ୍ତୋଷର ନିଆଁ ଜଳାଉଥିବା ତତ୍ତ୍ୱଙ୍କୁ ମୁଖିଆ କିଭଳି ମୁକାବିଲା କରୁଛନ୍ତି, ତାହା ଗୁରୁତ୍ୱପୂର୍ଣ୍ଣ । ନଚେତ ସମୁଦ୍ର ବି ଶୁଖିଯାଇପାରେ ।