କନକ ବ୍ୟୁରୋ : ମୁହଁ ଖୋଲିଲେ ସୁର । କହିଲେ, ହଁ ଦୁଇ ପୁଅ ନିର୍ବାଚନ ଲଢିବାକୁ ଯୋଗ୍ୟ । ତେଣୁ କାହିଁକି ନିର୍ବାଚନ ଲଢିବେନି । ଦୁଇ ପୁଅ ନିଜ ଗୋଡରେ ଛିଡା ହୋଇଛନ୍ତି, ନାଁ କମେଇଛନ୍ତି । ତେଣୁ ସେମାନେ କଣ ଏମଏଲଏ /ଏମପି ହେବାକୁ ଅନଫିଟ୍ କି? ସାନପୁଅ ଜଟଣୀରୁ ଲଢିବ ଅସୁବିଧା କଣ? ମୁଁ ତାକୁ ଜଟଣୀରେ ବୁଲି ଲୋକଙ୍କ ସହ ସମ୍ପର୍କ ବଢାଇବାକୁ ଛାଡିଛି ।

Advertisment

ସେହିଭଳି ବଡ ପୁଅ ଆମେରିକାରେ ଅନେକ ନାଁ କମାଇଛି । ବିଦେଶରେ ପାହାଡ ଚଢି ଓଡ଼ିଶାକୁ ଗର୍ବିତ କରିଛି । ତେଣୁ ପୁଅର ସେହି ସଫଳତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଣାଇବାକୁ ଯାଇଥିଲୁ । ଖାଲି ତ ନବୀନ ନୁହଁନ୍ତି ଧର୍ମେନ୍ଦ୍ର ମୋ ପୁଅର ସଫଳତାର ଦେଖି କୁଣ୍ଢାଇପକାଇଛନ୍ତି । ରାଷ୍ଟ୍ରପତି ବାହାବା ଦେଇଛନ୍ତି । ତା ବୋଲି କଣ ଆମେ ବିଜେପିକୁ ପଳାଇବୁ ।

ଆମ କଂଗ୍ରେସ ଦଳର କିଛି ନେତା ମୋ ପୁଅ ନାଁରେ ଏଣୁତେଣୁ ଗପୁଛନ୍ତି । କିନ୍ତୁ ଜଗନ୍ନାଥଙ୍କ ଦ୍ୱାହି ଦେଇ କହୁଛି ନବୀନଙ୍କ ସହ କେବଳ ପୁଅର ପାହାଡ ଚଢିବା ସଫଳତାକୁ ନେଇ କଥା ହେଇଛୁ । କଂଗ୍ରେସର କିଛି ନେତା ଆମକୁ ସହିପାରୁନାହାନ୍ତି । ତେଣୁ ଯାହା ତାହା ଗପୁଛନ୍ତି । କିନ୍ତୁ ଯେଉଁମାନେ ଗପୁଛନ୍ତି ସେମାନେ ମୋ ପୁଅ ଭଳି କେବେ ସଫଳତା ପାଇଛନ୍ତି କି? ମୋର କିଛି ଚିନ୍ତା ନାହିଁ ଯେତେବେଳେ ପିଲା ଚାହିଁବେ ଲଢିବେ ।