ଶେଷ ଲଢେଇ ପାଇଁ ମୈଦାନକୁ ଓହ୍ଲାଇଲେ ସୁର । ଦାଖଲ କଲେ ନାମାଙ୍କନପତ୍ର, କହିଲେ, ମାତ୍ର ଶହେଙ୍କୁ ଡାକିଥିଲି କିନ୍ତୁ ଆସିଲେ ହଜାର ହଜାର ସମର୍ଥକ 

455

କନକ ବ୍ୟୁରୋ : ଡାକିଥିଲି ଶହେ, ଆସିଲେ ହଜାର ହଜାର କର୍ମୀ । ମୈଦାନକୁ ଓହ୍ଲାଇବା ପୂର୍ବରୁ ଜୋଶ ଦେଖାଇଛନ୍ତି ଜଟଣୀ କଂଗ୍ରେସ ପ୍ରାର୍ଥୀ ସୁର ରାଉତରାୟ । ଆଜି ଜଟଣୀ ଆସନ ପାଇଁ କଂଗ୍ରେସ ନେତା ସୁର ରାଉତରାୟ ପ୍ରାର୍ଥୀପତ୍ର ଦାଖଲ କରିବା ସହ ନିଜ ଶକ୍ତି ପ୍ରଦର୍ଶନ କରିଛନ୍ତି । ନାମାଙ୍କନ ପତ୍ର ଦାଖଲ ପାଇଁ ମାତ୍ର ୧୦୦ ଜଣ ସମର୍ଥକଙ୍କୁ ଡାକିଥିବା ବେଳେ ହଜାର ହଜାର ସଂଖ୍ୟାରେ ସମର୍ଥକ ଆସିଥିବା କହିଛନ୍ତି ସୁର ।

ରାଜ୍ୟ ରାଜନୀତିର ଚିହ୍ନା ପରିଚିତ ଚେହେରା କଂଗ୍ରେସର ସୁର ରାଉତରାୟ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଭୁବନେଶ୍ୱର ପାଇଁ କଂଗ୍ରେସ ସମର୍ଥିତ ସିପିଆଇ(ଏମ)ର ସାଂସଦ ପ୍ରାର୍ଥୀ ଜନାର୍ଦ୍ଦନ ପତିଙ୍କ ସହ ମିଶି ସୁର ନାମାଙ୍କନ ଦାଖଲ କରିଥିବା ବେଳେ ହଜାର ହଜାର ସଂଖ୍ୟାରେ ଜନସମାଗମ ହୋଇଥିଲା । ଛାତ୍ର, ଯୁବ, ମହିଳା ଏପରିକି ଭୁବନେଶ୍ୱରର ବିଭିନ୍ନ ବର୍ଗର ଲୋକ ସୁରଙ୍କ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

ଏତେ ଲୋକଙ୍କୁ ଦେଖି ସୁର ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଲୋକମାନେ ମୋତେ ଭଲ ପାଉଥିବାରୁ ଆପଣାଛାଏଁ ଏହି ସଭାକୁ ଆସିଛନ୍ତି ବୋଲି ସୁର କହିଛନ୍ତି । । ଏପରିକି ଏହି ଲୋକମାନେ ହିଁ ମୋତେ ୨୦୧୯ ନିର୍ବାଚନ ବୈତରଣୀ ପାର କରାଇବେ ବୋଲି ଦମ୍ଭ ଦେଖାଇ କହିଛନ୍ତି ସୁର । ଏହାଛଡା ଚଳିତ ଥର ଶେଷ ନିର୍ବାଚନ ଲଢୁଥିବାରୁ ଭୋଟର ମାନେ ତାଙ୍କୁ ଏଥର ନିଶ୍ଚିତ ଜିତାଇବେ ବୋଲି କହିଛନ୍ତି କଂଗ୍ରେସର ଏହି ହେଭିୱେଟ ନେତା । ଶେଷ ଲଢେଇ ଲଢୁଥିବା କହି ସୁର ଅନୁକମ୍ପା ଭୋଟ ହାତେଇବାକୁ ଲକ୍ଷ୍ୟ ରଖିଥିବା ବେଳେ ଚଳିତ ନିର୍ବାଚନରେ  ଜଟଣୀରେ କିଏ ଜିତିବ ତାହା ଉପରେ ସମସ୍ତଙ୍କର ନଜର ରହିବ ।