ସୁରଙ୍କ ହିସାବ ନିକାଶ । ରାଜ୍ୟରେ କିଙ୍ଗମେକର ସାଜିବ କଂଗ୍ରେସ, ବିଧାନସଭାରେ ପାଇବ ୪୫ ଆସନ ।

491

କନକ ବ୍ୟୁରୋ : ରାଜ୍ୟରେ କଂଗ୍ରେସ ପାଇବ ୪୫ ବିଧାନସଭା ଆସନ ଓ ୩ ଲୋକସଭା ଆସନ । ଏହା କୌଣସି ଏକଜିଟ୍ ପୋଲର ରିପୋର୍ଟ ନୁହେଁ ବରଂ କଂଗ୍ରେସର ଭେଟରାନ ନେତା ସୁର ରାଉରରାୟଙ୍କର ଅଙ୍କକଷା । ଏକଜିଟ୍ ପୋଲରେ ଯେଉଁ ରିପୋର୍ଟ ସାମ୍ନାକୁ ଆସିଛି ତାହା ନିର୍ବାଚନ ଫଳାଫଳ ଦିନ ବଦଳିଯିବ । କେନ୍ଦ୍ରରେ ୟୁପିଏ ସରକାର ଗଢିବ ଓ ରାଜ୍ୟରେ କିଙ୍ଗମେକର ସାଜିବ କଂଗ୍ରେସ । ସୁରଙ୍କ ଏଭଳି ହିସାବନିକାଶ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଗତକାଲି ଆସିଥିବା ଏକଜିଟ୍ ପୋଲରେ ରାଜ୍ୟରେ କଂଗ୍ରେସକୁ ବଡ ଧରଣର ଝଟକା ଲାଗିପାରେ ବୋଲି ସଂକେତ ମିଳିଥିଲା । ବିଭିନ୍ନ ଜାତୀୟ ଗଣମାଧ୍ୟମ ଓ ସମ୍ବାଦ-କନକ ନ୍ୟୁଜ୍ ଏକଜିଟ୍ ପୋଲ୍ ରିପୋର୍ଟରେ କଂଗ୍ରେସକୁ ରାଜ୍ୟରେ ମାତ୍ର ଗୋଟିଏ ଲୋକସଭା ଆସନ ମିଳିପାରେ ବୋଲି ଆକଳନ କରଯାଇଥିଲା । ଏପରିକି ବିଧାନସଭାରେ ୧୨ରୁ ୧୫ଟି ଆସନ ମଧ୍ୟରେ କଂଗ୍ରେସ ସୀମିତ ରହିପାରେ ବୋଲି ସଂକେତ ମିଳିଥିଲା । କିନ୍ତୁ କଂଗ୍ରେସର ପୁରୁଖା ନେତା ସୁରଙ୍କ ହିସାବ ଓ ଏକଜିଟ୍ ପୋଲ ରିପୋର୍ଟ ମଧ୍ୟରେ ଆକାଶ ପାତାଳ ଫରକ ଦେଖିବାକୁ ମିଳିଛି ।

ଅବଶ୍ୟ ଏକଜିଟ୍ ପୋଲ ରିପୋର୍ଟରେ ରାଜ୍ୟରେ କଂଗ୍ରେସର ବିପର୍ଯ୍ୟୟ ହୋଇଥିବା କଥାକୁ ମାନିଛନ୍ତି ସୁର । ଓଡିଶାରେ କଂଗ୍ରେସର କ୍ଷତି ହୋଇଛି ଓ ଏଥିପାଇଁ କର୍ମୀ ମାନଙ୍କୁ ସିଧାସଳଖ ଦାୟୀ କରିଛନ୍ତି ସୁର । କିଛି ନେତାଙ୍କ ପାଇଁ ଦଳ ବଦନାମ ହୋଇଥିଲା । ତେବେ ଅନ୍ୟ ଦଳ ଭଳି ଯଦି କଂଗ୍ରେସ ଲଢିଥାନ୍ତା ତେବେ ଓଡିଶାରେ ଦଳ ସରକାର ଗଢିଥାନ୍ତା ବୋଲି କହିଛନ୍ତି ସୁର ।

ଏହାଛଡା ରାଜ୍ୟରେ ପୁଣିଥରେ ସରକାର ଗଢିବା ବିଜେଡି ପାଇଁ ଏତେ ସହଜ ହେବ ନାହିଁ  ଏବଂ କାହାକୁ ସାଥୀ କରିବା ପରେ ହିଁ ବିଜେପି ପୁଣିଥରେ କ୍ଷମତାକୁ ଫେରିବ ବୋଲି ଭବିଷ୍ୟବାଣୀ କରିଛନ୍ତି ସୁର । ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଲୋଚନା ପାଇଁ ନବୀନଙ୍କୁ ଡାକିଛନ୍ତି । ଯଦି ନବୀନ ଆଲୋଚନା ପାଇଁ ଯାଆନ୍ତି ଓ ଏହା ସଫଳ ହୁଏ ତେବେ କଂଗ୍ରେସ ସହ ମିଶି ନବୀନ ସରକାର ଗଢିପାରନ୍ତି ବୋଲି ସୁର କହିଛନ୍ତି ।

ଏହାବାଦ୍ ଏକଜିଟ୍ ପୋଲରେ ଯେଉଁ ରିପୋର୍ଟ ଆସିଛି ତାହା ପୂର୍ବରୁ ମଧ୍ୟ ଭୁଲ ପ୍ରମାଣିତ ହୋଇଛି । ଯାହାର ଝଲକ ମଧ୍ୟପ୍ରଦେଶ ଓ ଛତିଶଗଡରେ ମଧ୍ୟ ଦେଖିବାକୁ ମିଳିଥିଲା । ତେଣୁ ଭୋଟଗଣତି ଦିନ ସବୁ ସ୍ପଷ୍ଟ ହୋଇଯିବ ବୋଲି କହିଛନ୍ତି ସୁର ।