ସୁରଙ୍କ ଶୂନ୍ୟ ପୋଥି, ପୋଥି କହୁଥିଲା ଭବିଷ୍ୟତ? ସୁର ସାମ୍ରାଜ୍ୟର ସତ-ମିଛ କାହାଣୀ, ପଢ଼ନ୍ତୁ…

419

କନକ ବ୍ୟୁରୋ: ହିନ୍ଦୁ ଧର୍ମରେ ପୋଥିକୁ ନେଇ ଅନେକ କାହାଣୀ ରହିଛି । ଲୋକଙ୍କ ବିଶ୍ୱାସ ବି ରହିଛି । ବିଶ୍ୱାସ ରହିଛି ମହାପୁରୁଷ ମାନଙ୍କ ଦ୍ୱାରା ଲେଖାଯାଇଥିବା ପୋଥିରୁ ଭବିଷ୍ୟତ ବିଷୟରେ ଆମକୁ ସୂଚନା ଦିଆଯାଇଛି । ଏଥିପାଇଁ ବିଭିନ୍ନ ଦେବାଳୟରେ ପୋଥିକୁ ରଖି ପୂଜା କରାଯାଉଥିବା ଦେଖିବାକୁ ମିଳେ । ଏହାର ସୁଯୋଗ ନେଇ ଲୋକଙ୍କୁ କୁହୁକି ପୋଥିର ବାହାନା ଦେଖାଇ ଲୋକଙ୍କୁ ଠକି ଚାଲିଥିଲେ ସୁର ବାବା ।

ସୁରଙ୍କ ଆଶ୍ରମରେ ପୂଜା ପାଉଥିଲା ତାଳପତ୍ର ପୋଥି । ଏହି ପୋଥିକୁ କୁହୁକୁ ପୋଥି କହିବା ସହ ଏହା ଲୋକଙ୍କ ଭବିଷ୍ୟତ କହି ଦେଉଥିଲା ବୋଲି କହୁଥିଲେ ସୁର । ଆଉ ଏହି କୁହୁକ ପୋଥିର ମାୟାରେ ଟାଣି ହୋଇ ଆସୁଥିଲେ ହଜାର ହଜାର ଶ୍ରଦ୍ଧାଳୁ । ଶ୍ରଦ୍ଧାଳୁଙ୍କ ଏହି ଭାବାବେଗକୁ ଦେଖି ମିଛର ସାମ୍ରାଜ୍ୟ ବଢ଼ାଇ ଚାଲିଥିଲେ ସୁର । ଏହି ପୋଥି ଖୋଲି କାହକୁ ମିଛ ଚାକିରୀର ପ୍ରଲୋଭନ ଦେଖାଉଥିଲେ ତ ଆଉ କାହାକୁ ମୃତ୍ୟୁର ଭୟ ଦେଖାଉଥିଲେ । ସେହିପରି ଆଉ କିଛି ଶ୍ରଦ୍ଧାଳୁଙ୍କୁ କିପରି ସେମାନଙ୍କ ପରିବାର ରକ୍ଷା ହୋଇପାରିବ କହୁଥିଲେ । ଲୋକଙ୍କୁ ପୋଥି ଦେଖାଇ ମିଛ କହିବା ପଛରେ ସୁର ବାବାଙ୍କର ଏକମାତ୍ର ଉଦେଶ୍ୟ ଥିଲା ଲୋକଙ୍କୁ ଠକି ଟଙ୍କା ରୋଜଗାର କରିବା । ଆଉ ଏହି ଟଙ୍କାରେ ନିଜର ବିଶାଳ ସାମ୍ରାଜ୍ୟ ସ୍ଥାପନ କରିବା ।

ଓଡିଶାରେ ଦୁଇ ପ୍ରକାର ପୋଥି ଥିବା କୁହାଯାଏ । ଗୋଟିଏ ହେଉଛି ତାପ୍ର ପୋଥି ଓ ଅନ୍ୟଟି ହେଉଛି ତାଳପତ୍ର ପୋଥି । ତାଳପତ୍ର ପୋଥି ବିଭିନ୍ନ ସ୍ଥାନରେ ପୂଜା କରାଯାଉଥିବାବେଳେ ତାମ୍ରପୋଥି ପୁରୀ ଜିଲ୍ଳା କାକଟପୁର ଅଂଚଳରେ ରହିଛି । ତାଳପତ୍ର ପୋଥି ମହାପୁରୁଷମାନେ ପୂର୍ବରୁ ଲେଖି ଯାଇଥିବା ସେମାନଙ୍କ ବାଣୀ କୁହାଯାଉଥିବାବେଳେ ତାମ୍ରପୋଥି ଏକ ସ୍ୱତନ୍ତ୍ର ପ୍ରକାରର ପୋଥି । ଏଥିରେ ଥିବା ତାମ୍ର ପ୍ଲେଟରେ ପୋଥିରେ ଜିଜ୍ଞାସୁର ମନରେ ଆସୁଥିବା ପ୍ରଶ୍ନର ଉତର ଲେଖି ହୋଇଯାଇଥାଏ । ଏବଂ ଯିଏ ଏହାକୁ ପୂଜା କରେ ସେ ଏହି ଲେଖାକୁ ପଢ଼ି ପ୍ରଶ୍ନ କରୁଥିବା ଲୋକକୁ ଜଣାଇଥାଏ । ତାପରେ ଆପେ ଆପେ ଲିଭି ଯାଏ ।

ସୁର ବାବାଙ୍କ ଆଶ୍ରମର ନାଁକୁ ଯଦି ଦେଖିବେ ତେବେ ନାମକରଣ ଦିନରୁ ହିଁ ସେ କିଭଳି ଯୋଜନା ବଦ୍ଧ ଭାବେ ଷଡଯନ୍ତ୍ର ତାହା ଆପଣ ଜାଣି ପାରିବେ । ଓଡିଶାର ଘରେ ଘରେ ପରିଚିତ ମହାପୁରୁଷ ଅଚ୍ୟୁତାନନ୍ଦ । ଏହି ମହାପୁରୁଷଙ୍କ ନାଁକୁ ବ୍ୟବହାର କରି ଆଶ୍ରମର ନାଁ ରଖିଥିଲେ ତ୍ରାହି ଅଚ୍ୟୁତ ଆଶ୍ରମ । ମହାପୁରୁଷ ଅଚ୍ୟୁତାନ୍ଦଙ୍କ ମାଳିକା ବଚନକୁ ଲୋକେ ଦେବବାଣୀ ବୋଲି ଭାବୁଥିବାରୁ ଏହା ସୁଯୋଗ ନେବାକୁ ସମସ୍ତ ଷଡଯନ୍ତ କରିଥିଲେ ସୁର ।

କେବଳ ଆଶ୍ରମର ନାଁ ତ୍ରାହି ଅଚ୍ୟୁତ ରଖି ଲୋକଙ୍କ ହୃଦୟ ଜିତିବାକୁ ପ୍ରୟାସ କରିଥିଲେ ସେତିକି ନୁହେଁ, କିଭଳି ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇ ସେମାନଙ୍କୁ ଠକି ହେବ ସେଥିପାଇଁ ମଧ୍ୟ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିଲେ ସୁର ବାବା ।

ସୁର ଗିରଫ ହେବା ପରେ ତାଙ୍କ ଆଶ୍ରମରୁ କ୍ରାଇମବ୍ରାଂଚ ଜବତ କରିଥିଲା ପୋଥି । କିଛି ପୋଥି କପଡାରେ ବନ୍ଧା ହୋଇ ରଖାଯାଇଥିବାବେଳେ ଆଉ କିଛି ପୋଥି ବାକ୍ସ ଭିତରେ ରହିଥିଲା । ସେସବୁକୁ ସାଙ୍ଗରେ ନେଇ ଯାଇଥିଲା କ୍ରାଇମବ୍ରାଂଚ ।