କନକ ବ୍ୟୁରୋ : ଲୋକସଭା ନିର୍ବାଚନ ଫଳାଫଳ ଆସିବା ପରଠାରୁ ମହାରାଷ୍ଟ୍ର ରାଜନୀତିରେ ହଟଚମଟ ଲାଗି ରହିଛି । କିଛିଦିନ ତଳେ ଶରଦ ପାୱାର କହିଥିଲେ କି, ଅଜିତ୍ ପାୱାରଙ୍କ ଗୋଷ୍ଠୀର ୧୮ ବିଧାୟକ ତାଙ୍କ ସଂପର୍କରେ ରହିଛନ୍ତି । ଏହାକୁ ଅଜିତ ପାୱାର ଖଣ୍ଡନ କରିଥିଲେ । ହେଲେ ଆଜି ଅଜିତ ପାୱାର ଗୋଷ୍ଠୀର ବରିଷ୍ଠ ନେତା ଛଗନ ଭୂଜବଳ ଶରଦ ପାୱାରଙ୍କୁ ଭେଟିବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏନସିପି (ଶରଦ ଚନ୍ଦ୍ର ପାୱାର) ଗୋଷ୍ଠୀର ମୁଖ୍ୟ ଶରଦ ପାୱାରଙ୍କୁ ଭେଟିଛନ୍ତି ଛଗନ ଭୂଜବଳ । କେବଳ ସେତିକି ନୁହେଁ ଶରଦ ପାୱାରଙ୍କୁ ଭେଟିବାକୁ ଛଗନ ଭୂଜବଳ ପାଖାପାଖି ଦେଢ ଘଣ୍ଟା ଅପେକ୍ଷା କରିଥିଲେ । ହେଲେ କାହିଁକି ଛଗନ ଭୂଜବଳ ଶରଦ ପାୱାରଙ୍କୁ ଭେଟିଲେ ସେ ନେଇ ଭୂଜବଳ କିଛି ପ୍ରତିକ୍ରିୟା ଦେଇ ନଥିବା ବେଳେ ଶରଦ ପାୱାରଙ୍କ କନ୍ୟା ସୁପ୍ରିୟା ସୋଲେ କହିଛନ୍ତି କି, ମୁଁ ସ୍ପଷ୍ଟ ଭାବେ ଏନେଇ କୌଣସି କଥା କହିପାରିବି ନାହିଁ । ହେଲେ ଆମେ ଏକ ଜରୁରୀ ବୈଠକ କରି ଅଜିତ୍ ପାୱାର ଗୋଷ୍ଠୀର କେଉଁ କେଉଁ ବିଧାୟକଙ୍କୁ ଫେରାଇ ଆଣିବୁ ତା ଉପରେ ଆଲୋଚନା କରିବୁ ।
ସେପଟେ ଭେଟକୁ ଭୂଜବଳ ସଫେଇ ଦେଇଛନ୍ତି । ସେ କହିଛନ୍ତି କି, ଶରଦ ପାୱାରଙ୍କ ସହ ସେ ଅଧାଘଂଟା କାଳ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ କେବଳ ମରାଠା ଆରକ୍ଷଣକୁ ନେଇ ଆଲୋଚନା ହୋଇଥିବା ଛଗନ ଭୂଜବଳ କହିଛନ୍ତି । ଅନ୍ୟପଟେ ଛଗନ ଭୂଜବଳ ଓ ଶରଦ ପାୱାରଙ୍କ ଭେଟଘାଟକୁ ନେଇ ବିଜେପି ପ୍ରତିକ୍ରିୟା ରଖିଛି । ମହାରାଷ୍ଟ୍ର ବିଜେପି ଅଧ୍ୟକ୍ଷ ଚନ୍ଦ୍ରଶେଖର ବାବନକୁଲେ କହିଛନ୍ତି କି, ଶରଦ ପାୱାର ଓ ଛଗନ ଭୂଜବଳଙ୍କ ମଧ୍ୟରେ ମହାରାଷ୍ଟ୍ରରେ ହେଉଥିବା ସାମାଜିକ କାର୍ଯ୍ୟକ୍ରମ କ୍ରମରେ ହୋଇଥାଇପାରେ । ଛଗନ ଭୂଜବଳ ମହାମେଣ୍ଟର ବଡ ନେତା, ସେ କେବେ ବି ଭୂଲ ପଦକ୍ଷେପ ନେବେ ନାହିଁ ବୋଲି ବିଜେପି ରାଜ୍ୟ ଅଧ୍ୟକ୍ଷ କହିଛନ୍ତି ।