ପଛକଥା ଛାଡି ବିଧାନସଭା ଆଗରେ କୋଳାକୋଳି ହେଲେ ଭାଇଭଉଣୀ ! ବିଧାନସଭାରେ ପହଁଚିଥିବା ଏନସିପି ନେତା ଅଜିତ୍ ପାୱାରଙ୍କୁ ସୁପ୍ରିୟା ସୋଲେ କଲେ ଆଲିଙ୍ଗନ ।

528

୨୪ ଘଣ୍ଟା ଭିତରେ ବଦଳିଗଲା ମହାରାଷ୍ଟ୍ର ରାଜନୀତିର ସମ୍ପୁର୍ଣ୍ଣ ଚିତ୍ର । ୭୮ ଘଣ୍ଟା ମୁଖ୍ୟମନ୍ତ୍ରୀ ପଦରେ ଦେବେନ୍ଦ୍ର ଫଡନବିସ୍ ରହିବା ପରେ ଏବେ ଶିବସେନା ପ୍ରମୁଖ ଉଦ୍ଧବ୍ ଠାକରେ ଧରିବେ ମହାରାଷ୍ଟ୍ରର ମଙ୍ଗ । ଏନସିପିକୁ ଛାଡି ବାଟବଣା ହୋଇ ବିଜେପିକୁ ଯାଇଥିବା ଅଜିତ୍ ପାୱାର୍ ପୁଣିଥରେ ଘର ଲେଉଟାଣି ହୋଇଛନ୍ତି ଏବଂ ତାଙ୍କୁ ଆଲିଙ୍ଗନ କରି ସ୍ୱାଗତ କରିଛନ୍ତି ଏନସିପି ନେତ୍ରୀ ତଥା ଭଉଣୀ ସୁପ୍ରିୟା ସୋଲେ । ଏହି ସମୟରେ ସୁପ୍ରିୟା କହିଛନ୍ତି ଜୀବନରେ ଏମିତି ଖଟା ମିଠା ତ ଚାଲେ । ବୁଧବାର ସକାଳ ବିଧାନସଭା ଆଗରେ ଅଜିତ୍ ଙ୍କୁ ଆଲିଙ୍ଗନ କରି ସ୍ୱାଗତ କରିଥିଲେ ସୁପ୍ରିୟା ।

ଏଭଳି ସମୟରେ ଗଣମାଧ୍ୟମକୁ ସାକ୍ଷାତ କରି ଏନସିପି ନେତ୍ରୀ ସୁପ୍ରିୟା ସୋଲେ କହିଥିଲେ , କଂଗ୍ରେସ-ଏନସିପି ଏବଂ ଶିବସେନା ଏକାଠି ହେଲେ ବି ନିଜ ଏଜେଣ୍ଡାରେ ସବୁ ଆଗକୁ ବଢୁଛନ୍ତି । କୌଣସି ସ୍ଥାନରେ କିଛି ଅସୁବିଧା ନ ଉପୁଜୁ ତେଣୁ ଆମେ ସିଏମପି ପ୍ରସ୍ତୁତ କରିଛୁ ଏବଂ ଏହାର ଆଧାରରେ ହିଁ ଆଗକୁ ବଢୁଛୁ । ଆମ ଫୋକସ୍ ସବୁବେଳେ ଭଲ ସରକାର ଆଡକୁ ହିଁ ରହିଛି ।